ବାରବାଟୀ ଫ୍ଲଡ ଲାଇଟ୍ ବିଭ୍ରାଟ୍, OCA କୁ କାରଣ ଦର୍ଶାଅ ନୋଟିସ୍‌

Published By : Prameya-News7 Bureau | February 10, 2025 IST

ଭୁବନେଶ୍ୱର ୧୦/୦୨: ବାରବାଟୀରେ ବଡ଼ ବିଭ୍ରାଟ । ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍ । ଭାରତୀୟ ଦଳର ଇନିଂସ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା । ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା । ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର, ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ । 

ହେଲେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳାଳିମାନେ ପ୍ୟାଭିଲିୟନକୁ ଫେରିଯାଇଥିଲେ । ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯାହା ରୋହିତ ଶର୍ମାଙ୍କ ଭାବଭଙ୍ଗୀରୁ ଏହା ସ୍ପଷ୍ଟ ହୋଇଯାଇଥିଲା । ପ୍ରାୟ ୨୫ ମିନିଟ୍ ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା । ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା । 

ତେବେ ଏତେ ବଡ଼ ବିଭ୍ରାଟ କେମିତି ଓ କାହିଁକି ଖେଳ ମଝିରେ ହେଲା? ଏତେ ପ୍ରସ୍ତୁତି ସତ୍ତ୍ବେ କିପରି ଏମିତି ଅଭାବନୀୟ ଘଟଣା ଘଟିଲା? ତାହା ଏବେ ବଡ଼ ପ୍ରଶ୍ନ । ଏହା ଓସିଏର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । ସେପଟେ ବାରବାଟି ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ବନ୍ଦ ହେବା ଘଟଣାରେ OCA କୁ କାରଣ ଦର୍ଶାଅ ନୋଟିସ ଜାରି କଲା କ୍ରୀଡ଼ା ବିଭାଗ । ଆଲୋକ ବିଫଳତା ଯୋଗୁଁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ସମୟରେ ହୋଇଥିବା ବାଧା ପାଇଁ କାରଣ ଦର୍ଶାନ୍ତୁ ବୋଲି OCA କୁ ଚିଠି ଲେଖିଛନ୍ତି କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ । 

କ୍ରୀଡା ବିଭାଗ କହିଛି ଗୋଟିଏ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯାଇଥିଲା । ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ଏହି ଘଟଣା ଯୋଗୁଁ ପ୍ରାୟ ୩୦ ମିନିଟ୍ ପାଇଁ ମ୍ୟାଚ୍ ବନ୍ଦ ରହିଥିଲା । ଯାହା ଫଳରେ ଖେଳାଳି ଏବଂ ଦର୍ଶକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) କୁ ଏହି ବ୍ୟାଘାତର କାରଣ ପାଇଁ ଏକ ବିସ୍ତୃତ ବ୍ୟାଖ୍ୟା ଦାଖଲ କରିବା ଏବଂ ଏପରି ତ୍ରୁଟି ପାଇଁ ଦାୟୀ ବ୍ୟକ୍ତି/ଏଜେନ୍ସିଗୁଡ଼ିକୁ ଚିହ୍ନଟ କରିବାକୁ ଏବଂ ଭବିଷ୍ୟତରେ ସମାନ ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ରୂପରେଖା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠି ପାଇବାର ୧୦ ଦିନ ମଧ୍ୟରେ ନିଷ୍କର୍ଷ ଦାଖଲ କରିବାକୁ OCA କୁ ନିର୍ଦେଶ ଦିଆଯାଇଛି । 

also read..

କ୍ରିସ୍‌ ଗେଲ୍‌ଙ୍କୁ ଟପିଲେ, ଆଫ୍ରିଦୀଙ୍କ ରେକର୍ଡ ସମୀକ୍ଷକ ହେଲେ ହିଟ୍‌ମ୍ୟାନ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.