ଓମ ବିରଳାଙ୍କ ବିରୋଧରେ ଆଗତ ପ୍ରସ୍ତାବ ଉପରେ ନିୟମାନୁସାରେ ଚର୍ଚ୍ଚା ହେବା ଆବଶ୍ୟକ: କଂଗ୍ରେସ

NEWS7
state-president-manmohan-samal-reacts-to-operation-sindoor

ନୂଆଦିଲ୍ଲୀ ୬।୩: ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ପଦରୁ ହଟାଇବା ପାଇଁ ଆଗତ ପ୍ରସ୍ତାବ ଉପରେ ସମ୍ଭାବିତ ଚର୍ଚ୍ଚାର କିଛି ଦିନ ପୂର୍ବରୁ ଶୁକ୍ରବାର କଂଗ୍ରେସ କହିଛି ଯେ ଏହି ପ୍ରସ୍ତାବ ନିୟମ ଓ ପରମ୍ପରା ଅନୁରୂପ ଅଣାଯାଇଛି ଏଣୁ ଏହା ଉପରେ ଚର୍ଚ୍ଚା ହେବା ଆବଶ୍ୟକ। ଲୋକସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବ। ଲୋକସଭାରେ ବିରଳାଙ୍କ ବିରୋଧରେ ଆଗତ ପ୍ରସ୍ତାବ ଉପରେ ସମ୍ଭବତଃ ସେହିଦିନ ଚର୍ଚ୍ଚା ହୋଇପାରେ।

ପ୍ରସ୍ତାବରେ ବିରଳାଙ୍କ ଉପରେ ‘ଖୋଲାଖୋଲି’ ପାତର ଅନ୍ତର ଅଭିଯୋଗ କରାଯାଇଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ କେବଳ ତୃଣମୂଳ କଂଗ୍ରେସକୁ ଛାଡି ପାଖାପାଖି ସବୁ ବିରୋଧୀ ଦଳଙ୍କ ସାଂସଦମାନେ ଲୋକସଭା ବାଚସ୍ପତିଙ୍କୁ ହଟାଇବା ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି। କୁହାଯାଇଛି ଏହା ଉପରେ ମାର୍ଚ୍ଚ ୯ ତାରିଖରେ ବିଚାର କରାଯିବ। ଜୟରାମ ରମେଶ କହିଛନ୍ତି ଯେ ଏହା ଏକ ସୁସ୍ଥ ଲୋକତାନ୍ତ୍ରିକ ପ୍ରକ୍ରିୟା ଓ ଆମେ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛୁ ଯାହା ନିୟମ ଓ ପରମ୍ପରା ଅନୁସାରେ। ଏଣୁ ଏହା ଉପରେ ନିୟମାନୁସାରେ ଚର୍ଚ୍ଚା ହେବା ଆବଶ୍ୟକ।

ସେ କହିଛନ୍ତି ଯେ ଅତୀତରେ ମଧ୍ୟ ଏପରି ଅନେକ ଘଟଣା ଘଟିଛି। ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି ଯେ ୧୯୫୪ ମସିହାରେ ଯେତେବେଳେ ମିଳିତ ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା ଅତି ବେଶିରେ ୫୦ ଜଣ ଥିଲେ ଓ ୪୮୯ ସଦସ୍ୟଙ୍କ ସଦନରେ କଂଗ୍ରେସର ୩୬୪ ସାଂସଦ ଥିଲେ ତତ୍କାଳୀନ ବାଚସ୍ପତି ଜି.ଭି.ମାଭଲଙ୍କର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା। କଂଗ୍ରେସ ନେତା କହିଛନ୍ତି ଏହା ଗଣତନ୍ତ୍ରର ମାଧ୍ୟମ, ସଂସଦୀୟ ଗଣତନ୍ତ୍ର ଲାଗି ଅସ୍ତ୍ର। ଏଥି ପାଇଁ ବିରୋଧୀଙ୍କ ପୁରା ଅଧିକାର ରହିଛି ଓ ଆମେ ଚର୍ଚ୍ଚା କରିବୁ। ଦେଖାଯାଉ ତା ପରେ କଣ ହେଉଛି।