ନୀଳଗିରି: ସାମ୍ବାଦିକଙ୍କୁ ଗିରଫ କରି ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ମାନବାଧିକାର ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ମାନବାଧିକାର କ୍ଷୁର୍ଣ୍ଣ ଅଭିଯୋଗରେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଗୃହବିଭାଗକୁ ନିର୍ଦ୍ଦେଶ ଦେଲେ ମାନବାଧିକାର ଆୟୋଗ। ଏହା ସହ ଏହି କ୍ଷତିପୂରଣ ରାଶି ଭରଣା ପାଇଁ ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରା ଓ ହାବିଲଦାର ଚିତ୍ତରଞ୍ଜନ ସିଂଙ୍କ ଦରମାରୁ ଆଦାୟ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ।
ସୂଚନାଯୋଗ୍ୟ, ୨୦୨୨ ଏପ୍ରିଲ ୮ତାରିଖରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଗିରଫ କରି ଗୋଡ଼ରେ ବେଡ଼ି ଲଗାଇଥିଲା ନୀଳଗିରି ପୋଲିସ। ସାମାନ୍ୟ ବାଇକ ଦୁର୍ଘଟଣାକୁ ନେଇ ନୀଳଗିରି ଥାନା ଅଧିକାରୀ ବରିଷ୍ଠ ସାମ୍ବାଦିକ ଶ୍ରୀ ଦଳେଇଙ୍କ ବିରୁଦ୍ଧରେ ସଂଗିନ ଦଫା ଲଗାଇଥିଲେ।
ଆଉ ସାମ୍ବାଦିକଙ୍କୁ ଥାନାକୁ ଡକାଇ ତାଙ୍କ ଠାରୁ ପୋଲିସ ଫୋନ ଛଡ଼ାଇ କୋର୍ଟ ଚାଲାଣ କରିବାକୁ ଯୋଜନା ମଧ୍ୟ କରିଥିଲେ । ତେବେ ଶ୍ରୀ ଦଳେଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ପୋଲିସ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଶ୍ରୀ ଦଲେଇଙ୍କୁ ଚିକିତ୍ସିତ ଅବସ୍ଥାରେ ଗୋଡ଼ରେ ବେଡ଼ି ଲଗାଇ ଡାକ୍ତରଖାନାରେ ଥିବା ଖଟରେ ବାନ୍ଧି ଦେଇଥିଲା ପୋଲିସ । ଏହି ଘଟଣା ସାମ୍ନାକୁ ଆସିବା ପରେ ସବୁଠି ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା।