କୋଲ୍ଡ ଡ୍ରିଙ୍କ୍ସଠୁ ଚକଲେଟ୍ ସବୁ ନକଲି : ବୋତଲରେ ତାରିଖ ବଦଳାଇ ହେଉଥିଲା ବିକ୍ରି, ଧରିଲା ପୋଲିସ

NEWS7
state-cabinet-meeting-on-jan-22

ନୂଆଦିଲ୍ଲୀ, ୨୩/୧୨: ମାଳମାଳ ନକଲି ସାମଗ୍ରୀ । ଗୋଟିଏ ପଟେ ବିଷ ବଳୟରେ ଘାଣ୍ଟି ହେଉଛନ୍ତି ଦିଲ୍ଲୀବାସୀ । ଅନ୍ୟ ଦିଗରେ ଏବେ ଏଠାରେ ମାଳମାଳ ନକଲି ଖାଦ୍ୟ ସାମଗ୍ରୀ ଜବତ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୪ ହଜାର ଲିଟରର ନକଲି କୋଲ୍ଡ ଡ୍ରିଙ୍କସ, ଏକ୍ସପାଏରୀ ଖାଦ୍ୟ ସାମଗ୍ରୀ, ଚକଲେଟ୍ ଏବଂ ଶିଶୁଙ୍କ ଖାଦ୍ୟ ଜବତ କରାଯାଇଛି । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ରିପୋର୍ଟ ଅନୁସାରେ, ପୋଲିସକୁ ଦୀର୍ଘ ଦିନୱ ହେବ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ନକଲି ଖାଦ୍ୟ ସାମଗ୍ରୀ ତିଆରି ନେଇ ଖବର ମିଳୁଥିଲା । ଯାହା ପରେ ଚଢାଉ ପାଇଁ ପ୍ଲାନ୍ ହୋଇଥିଲା । ଅନେକ ଗୁଇନ୍ଦା ତଥ୍ୟ ଆଧାରରେ ଏକ ସନ୍ଦିଗ୍ଧ କାରଖାନାରେ ମଙ୍ଗଳବାର ରେଡ୍ କରାଯାଇଥିଲା । କାରଖାନାରେ ପ୍ରବେଶ କରିବା ପରେ ସେଠାକାର ଦୃଶ୍ୟ ସୁରକ୍ଷାକର୍ମୀଙ୍କୁ ଆଶ୍ଚର୍ଯ୍ୟ କରିପକାଇଥିଲା ।

କାରଖାନାରେ ବିପୁଳ ମାତ୍ରାରେ ଏକ୍ସପାୟାରୀ ହୋଇଥିବା କୋଲ୍ଡ ଡ୍ରିଙ୍କସ ରଖାଯାଇଥିଲା । କିନ୍ତୁ ଏସବୁରେ ମେସିନ ସାହାଯ୍ୟରେ ପୁରୁଣା ତାରିଖ ହଟାଯାଇ ନୂଆ ତାରିଖ ଲେଖାଯାଉଥିଲା ।ଫେକ୍ ବାରକୋଡ୍ ପ୍ରସ୍ତୁତ କରାଯାଇ ବୋତଲରେ ଲଗାଯାଉଥିଲା । ଯାହା ଦ୍ୱାରା ଏହା ଅସଲି ଲାଗିବ ଏବଂ ସହଜରେ ବଜାରରେ ବିକ୍ରି ହୋଇଯିବ ।

ଶିଶୁଙ୍କ ଖାଦ୍ୟ ସାମଗ୍ରୀ ସାମିଲ

ନକଲି ସାମଗ୍ରୀ ତିଆରି କରୁଥିବା ଅଭିଯୁକ୍ତମାନେ ଶିଶୁଙ୍କୁ ଅଧିକରୁ ଅଧିକ ଟାର୍ଗେଟ୍ କରୁଥିଲେ । ଯାହା ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ବେବି ଫୁଡ୍ ବା ଶିଶୁ ସାମଗ୍ରୀରେ ଚକଲେଟ୍ ରହିଛି । ଯାହା ସେମାନଙ୍କ ଶରୀରରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ ।

ଦିଲ୍ଲୀ ସହ ଅନ୍ୟ ସ୍ଥାନକୁ ଯୋଗାଣ

ନକଲି ସାମଗ୍ରୀ ପ୍ରସ୍ତୁତି ମାମଲାରେ ୭ ଜଣଙ୍କୁ ଗିରଫ କରି ଜେରା କରୁଛି ପୋଲିସ । ସେମାନଙ୍କଠୁ ମିଳୁଥିବା ତଥ୍ୟ ଆଧାରରେ ତଦନ୍ତ ଚାଲିଛି । ଏହି କାରବାରର ନେଟଓ୍ୱର୍କ କେଉଁ ଆଡେ ଲମ୍ବିଛି ସେନେଇ ମଧ୍ୟ ଖୋଳତାଡ ଆରମ୍ଭ ହେଉଛି । ଦିଲ୍ଲୀ ଏନସିଆର ବ୍ୟତୀତ ଅନ୍ୟ କିଛି ରାଜ୍ୟକୁ ଚେର ଲମ୍ବିଥିବା ଅନୁମାନ କରାଯାଉଛି ।