ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବକୁ ମଞ୍ଜୁରୀ, ବଢ଼ିଲା ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା

Published By : Prameya-News7 Bureau | May 28, 2025 IST

ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ଏହି ୫ ପ୍ରସ୍ତାବ ମଧ୍ୟରେ ରହିଛି ଯୋରନ୍ଦା ମହିମା ଗାଦିର ବିକାଶ, ବିଭିନ୍ନ ସରକାରୀ ଚାକିରିରେ ଆବେଦନ ପାଇଁ ବୟସ ସୀମା ବୃଦ୍ଧି, ଏଆଇ ମିଶନ, ଜଗତସିଂହପୁର JSWର ଜେଟି ନିର୍ମାଣ, ଓଡ଼ିଶା ଚକ୍ଷୁ ସେବା ପାଇଁ ପାଇଁ ପଦବୀ ସୃଷ୍ଟି ଆଦି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ସରକାର ରାଜ୍ୟରେ ବିଭିନ୍ନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମାକୁ ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିଛନ୍ତି। ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା କିମ୍ବା ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ ତାହାକୁ ବାଦ ଦିଆଯାଇଛି। ଏହା ସହ ଯେଉଁ ପଦବୀ ପାଇଁ ସର୍ବୋଚ୍ଚ ସୀମା ଉଲ୍ଲେଖ କରାଯାଇଥିବ ତା’କୁ ବାଦ ଦିଆଯାଇଛି। 

ସେହିଭଳି, ରାଜ୍ୟରେ କୃତ୍ରିମ ବୁଦ୍ଧିମତାକୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦେବାକୁ ଏଆଇ ନୀତିକୁ ଅନୁମୋଦନ ଦିଆଯାଇଛି। ଏହା ଅନୁସାରେ ଏଆଇ ମିଶନ ଓ ଏଆଇ ସେଲ ଆରମ୍ଭ କରାଯିବ। ଏଆଇ କ୍ଷେତ୍ରରେ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦିଆଯିବ। 

ତୃତୀୟରେ ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦିର ଉନ୍ନତିମୂଳକ କାର୍ଯ୍ୟ ଓ ଶୂନ୍ୟ ମଣ୍ଡପ ନିର୍ମାଣକୁ ଅନୁମୋଦନ ମିଳିଛି। ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଗତସିଂହପୁରରେ JSWର ନିଜସ୍ୱ ଜେଟି ପାଇଁ ଅନୁମତି ମିଳିଛି। ଏଥିପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମାକୁ ଅନୁମୋଦନ କରିଛି କ୍ୟାବିନେଟ। ଏହାଦ୍ବାରା ୩୪୫୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ମିଳିବ। ସେହିଭଳି ଓଡ଼ିଶା ଚକ୍ଷୁ ସେବା ପାଇଁ ୧୪୧ଟି ନୂଆ ପଦବୀ ସୃଷ୍ଟି ହେବ ଓ ପଦୋନ୍ନତି ଭିତରେ ୨୦୦ଟି ପଦବୀ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.