ଭୁବନେଶ୍ୱର ୨୭/୧୧: ଶ୍ରୀଲିଙ୍ଗରାଜ ମନ୍ଦିରରେ ସିଗାରେଟ୍ ଟାଣିବାକୁ ନେଇ ଅସନ୍ତୋଷ । ଥାନାରେ ଅଭିଯୋଗ ପରେ ଗିରଫ ଦାବି କଲେ ସେବାୟତ । ରୋଷଘର ଆଗରେ ଯୁବକଙ୍କ ସିଗାରେଟ୍ ଟାଣିବାର ଫଟୋ ହେଉଛି ଭାଇରାଲ । କାରଣ ଯୁବକ ଜଣଙ୍କ ସିଗାରେଟ ଟାଣିବା ପରେ ନିଜ ସୋସିଆଲ ମିଡିଆ ସାଇଟ୍ରେ ଏହାକୁ କରିଥିଲେ ଅପଲୋଡ ।
ସୂଚନାଥାଉକି, ଜଣେ ଯୁବକ ତାଙ୍କ ଇଷ୍ଟାଗ୍ରାମ ଆଇଡ଼ିରେ ସୋମବାର ମନ୍ଦିର ଭିତରେ ସିଗାରେଟ ଟାଣୁଥିବାର ଫଟୋ ଶେୟାର କରିଥିଲେ । ଫଟୋରେ ମନ୍ଦିର ରୋଷ ଘର ପାଖରେ ଠିଆ ହୋଇ ସିଗାରେଟ ଟାଣିବାର ଦୃଶ୍ୟ ରହିଛି । ସମ୍ପୃକ୍ତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଉଛି । ଏନେଇ ପୁରୁଣା ଭୁବନେଶ୍ୱରର ବିଭିନ୍ନ ଖଟି ଉପରେ ନଜର ରଖିଛନ୍ତି ସେବାୟତ । ଧରାପଡ଼ିଲେ ପୋଲିସରେ ଦେବାକୁ ସେବାୟତ କହିଛନ୍ତି । ଏହାସହ ଯୁବକଙ୍କ ଗିରଫ ଦାବି କରିଛନ୍ତି ସେବାୟତ ।
ସେପଟେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଏକାମ୍ର ବିଧାୟକ ବାବୁ ସିଂହ । ସେ କହିଛନ୍ତି ଯିଏ ଏଭଳି କାର୍ଯ୍ୟ କରିଛି ନିନ୍ଦନୀୟ । ଯିଏ ଏହି ଦାୟିତ୍ବରେ ଅଛନ୍ତି ତାଙ୍କ ସହ କଥା ହେବି । ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ । ବିବେକହୀନ କାର୍ଯ୍ୟ ଏହା ନିଶ୍ଚୟ । ଆଗାମୀ ଦିନରେ ସୁରକ୍ଷା ଦୃଷ୍ଟିରୁ କଡାକଡି କରାଯିବ । ଯିଏ ଏଭଳି ହିନକାର୍ଯ୍ୟ କରିବ କାର୍ଯ୍ୟାନୁଷ୍ଠନ କଠୋର ହେବ ।
ଅନ୍ୟପଟେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏଡିଏମ୍ ରବୀନ୍ଦ୍ର ମହାନ୍ତି । ତାଙ୍କ କହିବା କଥା ଆମ ପାଖକୁ ଅଭିଯୋଗ ଆସିନି। ଅଭିଯୋଗ ଆସିଲା ପରେ ପଦକ୍ଷେପ ନେବୁ । ଏଭଳି କାର୍ଯ୍ୟକୁ ନିନ୍ଦା କରୁଛୁ । ଲୋକମାନଙ୍କୁ ଅନୁରୋଧ ଏଭଳି କାର୍ଯ୍ୟରୁ ନିବୃତ ରୁହନ୍ତୁ ।
ଲିଙ୍ଗରାଜ ମନ୍ଦିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ନୂଆ କିଛି ନୁହେଁ । କିଛି ଦିନ ତଳେ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଭିଡ଼ିଓ ସୁଟିଂ କ୍ୟାମେରା ନେଇ ଅନେକ ଫଟୋ ଓ ଭିଡ଼ିଓ ସୁଟ୍ କରିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଏବେ ପ୍ରଶ୍ନ ବାରମ୍ୱାର ମନ୍ଦିର ଭିତରକୁ ନିଶାଦ୍ରବ୍ୟ ବାରଣ ସତ୍ୱେ କେମିତି ସିଗାରେଟ ଟାଣିଲେ ଯୁବକ । ଆଉ ତାର ଫଟୋ କିଭଳି ଭାଇରାଲ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।