ଭଦ୍ରକ: ଶ୍ରୀ ଚୈତନ୍ୟ ମହାପ୍ରଭୁ ବହୁ ଥର ଓଡିଶା ଆସିଛନ୍ତି । ତେବେ ଅନେକ ଥର ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହଣି ସହ ଧର୍ମର ପ୍ରଚାର ପ୍ରସାର ପାଇଁ ପ୍ରବଚନ ମଧ୍ୟ ଦେଇଛନ୍ତି । ତେବେ ପୁରୀ ଯିବା ସମୟରେ ଭଦ୍ରକ ଜିଲ୍ଲାର ସେତେବେଳର ସନ୍ଥନଗରରେ ରହଣି ସମୟରେ ନିଜ ଅଙ୍ଗ ବସ୍ତ୍ର ମଧ୍ୟ ଛାଡି ଯାଇଛନ୍ତି । ତେବେ ଅଙ୍ଗବସ୍ତ୍ର ଛାଡିଯାଇଥିବା ସ୍ଥାନରେ ଏବେ ପୂଜା ପାଠ ତ ହେଉଛି କିନ୍ତୁ ପ୍ରତ୍ୟକ ଦିନ ଏହି ଅଙ୍ଗବସ୍ତ୍ର ପ୍ରଦର୍ଶନ ହୋଇନଥାଏ । କେବଳ ଆଷାଢ ଶୁକ୍ଳ ପଞ୍ଚମୀ ତିଥି ରେ ଏହି ଅଙ୍ଗବସ୍ତ୍ର ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ ହୋଇଥାଏ।
ସେତେବେଳର ଭଦ୍ରକ ଜିଲ୍ଲାର ସନ୍ଥନଗର ଏବେ ସନ୍ଥିଆ ନାମରେ ନାମିତ ହୋଇଛି। ଏହି ଗ୍ରାମଟି ପୁଣ୍ୟତୋୟା ସାଳନ୍ଦି ନଦୀ କୁଳରେ ଅବସ୍ଥିତ। ଭଦ୍ରକ ଜିଲ୍ଲାର ସର୍ବପୁରାତନ ବୈଷ୍ଣବ ପୀଠ ଭାବେ ସନ୍ଥିଆ ସ୍ଥିତ ଶ୍ରୀ ଶ୍ରୀ ରାଧା ମଦନ ମୋହନ ମନ୍ଦିର ବେଶ ପରିଚିତ। ଏହି ମନ୍ଦିରକୁ ନେଇ ଅନେକ ଲୋକକଥା ରହିଛି। ଚୈତନ୍ୟ ମହାପ୍ରଭୁ ପୁରୀ ଯିବା ସମୟ ରେ ଦୁଇ ଥର ଏହିଠାରେ ଅବସ୍ଥାନ କରିଥିଲେ । ରହଣି ଅବସରରେ ସ୍ଥାନୀୟ ଆଞ୍ଚଳରେ ପ୍ରବଚନ ମଧ୍ୟ ଦେଉଥିଲେ । ତେବେ ଭକ୍ତଙ୍କ ସହ ଭାବର ଆଦାନପ୍ରଦାନ କରୁଥିଲେ । ତେବେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏହିସ୍ଥାନରୁ ପୁଣି ଯାତ୍ରା ସମୟ ରେ ନିଜ ଅଙ୍ଗ ବସ୍ତ୍ର ବା କନ୍ଥା ଏହିଠାରେ ଛାଡିଯାଇଥିଲେ।
ସେହିଦିନ ଠାରୁ ଏହି ପୀଠରେ ଅଙ୍ଗବସ୍ତ୍ର ପୂଜା ହୋଇଥାଏ । ବର୍ଷର ଗୋଟିଏ ଦିନ ଆଶାଢ଼ ଶୁକ୍ଳ ପଞ୍ଜମୀ ତିଥିରେ ଏଠାରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଅଙ୍ଗବସ୍ତ୍ର ପ୍ରଦର୍ଶିତ ହୁଏ। ବର୍ଷକରେ ଗୋଟିଏ ଦିନ ବସ୍ତ୍ର ପ୍ରଦର୍ଶନ ହୋଇଥାଏ । ପ୍ରାୟ ୫୩୯ ବର୍ଷ ତଳର ଏହି ଅଙ୍ଗବସ୍ତ୍ର ଆଜିର ଦିନରେ ପ୍ରଦର୍ଶିତ ହେଉଛି । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଦିବ୍ୟ ଅଙ୍ଗଲାଗି କନ୍ଥାବସ୍ତ୍ର ପ୍ରଦର୍ଶନ ତଥା ଶ୍ରୀରାଧା ମଦନ ମୋହନ ଜୀଉଙ୍କର ପ୍ରତିଷ୍ଠାତା ସାର୍ବଭୌମ ଶ୍ରୀ ଗଂଗାନାରାୟଣ ବିଦ୍ୟା ବାଚସ୍ପତି ଙ୍କ ତିରୋଧାନ ଉତ୍ସବ ରେ ଏହି ଅଙ୍ଗବସ୍ତ୍ର ପ୍ରଦର୍ଶିତ ହୁଏ ।
ପ୍ରଥମ ଥର ୧୫୧୦ ମସିହାରେ ଶ୍ରୀ ଚୈତନ୍ୟ ଏଠାକୁ ଆସିଥିଲେ। ପୁନଃ ୧୫୧୪ ମସିହାରେ ଚୈତନ୍ୟ ମହାପ୍ରଭୁ ଏଠାକୁ ଆସିବା ସହ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚ ଦିନ ଏଠାରେ ଅବସ୍ଥାନ କରିଥିଲେ। ପ୍ରାତଃ ୫ଟାରେ ମଙ୍ଗଳ ଆରତୀ ପରେ ଶ୍ରୀ ବିଗ୍ରହଙ୍କ ବିଶେଷ ପୂଜା କରାଯାଇ ଶ୍ରୀ ଗଙ୍ଗାନାରାୟଣ ବିଦ୍ୟା ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଶ୍ରୀଜିଉଙ୍କ ତରଫରୁ ଗୋସ୍ୱାମୀ ପରିବାର ତରଫରୁ ଦେବକୁମାର ଗୋସ୍ୱାମୀ ଙ୍କ ଦ୍ୱାରା ଓ ମନ୍ଦିରର କୁଳ ପୁରୋହିତ ପୌରହିତ୍ୟରେ ଶ୍ରାଦ୍ଧଉତ୍ସବ ସମ୍ପାଦିତ ହୋଇଥିଲା।
ତେବେ ଶ୍ରୀ ଗଙ୍ଗା ନାରାୟଣ ବିଦ୍ୟା ବାଚସ୍ପତି ଅପୁତ୍ରିକ ଥିବା ବେଳେ ତାଙ୍କର ୫ଟି ଝିଅ ଥିଲେ । ସେ ରାଧା ମଦନମୋହନଙ୍କୁ ନିଜ ମୃତ୍ୟୁ ପରେ ପୁଅ ନଥିବାରୁ ଶ୍ରାଦ୍ଧ କିଏ କରିବ ବୋଲି କହିଥିଲେ। ପରେ ରାଧା ମଦନମୋହନ ସ୍ୱପ୍ନରେ ଶ୍ରାଦ୍ଧ ଅର୍ପଣ କରିବେ ବୋଲି କହିଥିଲେ। ସେହି ଅନୁଯାୟୀ ତାଙ୍କ ତିରୋଧାନ ଦିବସରେ ବିଭିନ୍ନ ପ୍ରକାର ମିଷ୍ଟାନ୍ନ, ଫଳମୂଳ ନୈବିଦ୍ୟ ମଧ୍ୟ ଅର୍ପଣ କରାଯାଇଥିଲା ।
ପରେ ମନ୍ଦିରର ମହନ୍ତ ମହାରାଜ ତଥା ଗ୍ରାମର ବରିଷ୍ଠ ବ୍ୟକ୍ତିମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ଲୀଳା କିର୍ତ୍ତନ ପରିବେଷିତ ହୋଇଥାଏ । ମନ୍ଦିରର ମହନ୍ତ ଆଶୀଷ ଦେବ ଗୋସ୍ୱାମୀ ଉକ୍ତ ମହୋତ୍ସବ ତଥା ମଦନମୋହନଙ୍କ ମହନୀୟତା ସମ୍ପର୍କରେ ସମ୍ୟକ ସୁଚନା ପ୍ରଦାନ ପରେ କୀର୍ତ୍ତନ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତମାନେ କନ୍ଥା ଦର୍ଶନ କରିବା ସହ ପ୍ରସାଦ ସେବନ କରି ନିଜକୁ କୁଥାର୍ଥ ମଣିଥିଲେ । ମହା ଆଡମ୍ବରରେ ପାଳିତ ହେଉଛି ଅଙ୍ଗବସ୍ତ୍ର ପ୍ରଦର୍ଶନୀ । ଏଥର ଶ୍ରୀ ଚୈତନ୍ୟଙ୍କ ଅଙ୍ଗବସ୍ତ୍ର ଦର୍ଶନ ପାଇଁ ଦୂର ଦୁରାନ୍ତର ରୁ ଭକ୍ତ ଙ୍କ ଭିଡ ପରିଲକ୍ଷିତ ହୋଇଛି ।