ଶ୍ରୀମନ୍ଦିର ଭିତରୁ ପୁଣି ଜବତ ହେଲା ସ୍ପାଏ କ୍ୟାମେରା, ଗୁଜରାଟର ଜଣେ ବ୍ୟକ୍ତି ସିଂହଦ୍ବାର ଥାନାରେ ଅଟକ

Published By : Prameya-News7 Bureau | August 04, 2025 IST

ପୁରୀ: ସପ୍ତାହେ ନପୁରୁଣୁ ଶ୍ରୀମନ୍ଦିର ଭିତରୁ ପୁଣି ଜବତ ହେଲା ସ୍ପାଏ କ୍ୟାମେରା । ସୋମବାର ସିଂହଦ୍ଵାର ଥାନା ପୋଲିସ ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି। ଅଟକ ବ୍ୟକ୍ତି ଜଣକ ଗୁଜରାଟର ବିପୁଲ୍ ପଟେଲ ବୋଲି ଜଣାପଡ଼ିଛି। ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ବିପୁଲ୍। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କେଉଁ ସେବକ ଯାଇଥିଲେ ନା’ ସେ ଏକୁଟିଆ ଏଭଳି କାର୍ଯ୍ୟ କରିଛନ୍ତି ତଥା ସେହି ସ୍ପାଏ କ୍ୟାମେରାରେ ସେ ଶ୍ରୀମନ୍ଦିର ଭିତରର କେଉଁ କେଉଁ ସ୍ଥାନର ଫଟୋ ଉଠାଇଛନ୍ତି ? ତାହା ଜାଣିବାକୁ ପୋଲିସ ତଦନ୍ତ କରୁଛି। 

ସୂଚନାଥାଉକି, ଏହା ପୂର୍ବରୁ ଗତ ମାସ ୨୯ ତାରିଖରେ ପୁରୀ ଗଜପତି ନଗରର ଜଣେ ଯୁବକ ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। କିନ୍ତୁ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିବା ସହିତ କ୍ୟାମେରାରେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ ହୋଇନଥିବା ଜଣାପଡ଼ିଥିଲା। ଆଉ ପରେ ସମ୍ପୃକ୍ତ ଯୁବକକୁ ପୋଲିସ ତାଗିଦ୍ କରି ଛାଡ଼ି ଦେଇଥିଲା। 

ହେଲେ ସୋମବାର ପୁଣି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଏହି ବ୍ୟକ୍ତି ଜଣକ ଶ୍ରୀମନ୍ଦିର ଭିତରକୁ ସ୍ପାଏ କ୍ୟାମେରା ନେବାକୁ କିଭଳି ସାହାସ କଲେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଚାରି ଦ୍ଵାରରେ କଡ଼ା ସୁରକ୍ଷା ସହିତ ପୋଲିସ ଚେକିଂ କରି ଭକ୍ତମାନଙ୍କୁ ଭିତରକୁ ଛଡ଼ାଯାଉଛି। ଏଥିସହିତ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ସଶସ୍ତ୍ର ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.