LIVE TV

'ବାପା ତୁମେ ଯାଅନି' : କଥା ମାନିଲାନି ବାପା, ଘରକୁ ଫେରିଲା ମୃତଦେହ

NEWS7
special-law-for-lingaraj-temple-to-come-soon-said-by-law-minister

ଶ୍ରୀନଗର, ୧୬|୧୧: ବାପା ତୁମେ ଯାଅନି । ବାସ୍ ଏ ଗୋଟିଏ ପଦ କଥା ବଞ୍ଚାଇ ଦେଇଥାନ୍ତା ଜୀବନ । ହେଲେ ଝିଅର କଥା ଶୁଣିନଥିଲା ବାପା । ଆଉ ରାତିରେ ବାହାରିଯାଇଥିଲା ଘରୁ । ଥାନାରେ କାମ ଅଛି ଜଲଦି ଆସିଯିବି କହି ଚାଲିଗଲା ବାପା । କିନ୍ତୁ ଫେରିଲା ମୃତଦେହ । ୧୪ ତାରିଖ ରାତିରେ ଶ୍ରୀନଗର ନୋଗାମ୍ ଥାନା ବିସ୍ଫୋରଣରେ ପ୍ରାଣ ହରାଇଥିବା ମହମ୍ମଦ ସାଫିଙ୍କ ସହ କିଛି ଏମିତି ଘଟିଥିଲା ।

ଶୁକ୍ରବାର ରାତିରେ ଶ୍ରୀନଗର ଥାନାରେ ସବୁ କିଛି ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ହଠାତ ହୋଇଥିବା ବିସ୍ଫୋରଣ । ଥାନାରେ ଥିବା ଆମୋନିୟମ ନାଇଟ୍ରେଟ ବିସ୍ଫୋରଣ ହୋଇ ଆଖାପାଖ ଅଂଚଳକୁ ଦୋହଲାଇ ଦେଇଥିଲା । ଏଥିରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଏବଂ ସାଧାରଣ ଲୋକେ ପ୍ରାଣ ହରାଇଥିଲେ । ୩୦ରୁ ଅଧିକ ଗୁରୁତର ହୋଇଥିଲା । ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ୩୦୦ ମିଟର ଯାଏଁ ଶରୀରର ବିଭିନ୍ନ ଅଂଶ ପଡିଥିଲା । ତେବେ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ମହମ୍ମଦ ସାଫି ସେଖ୍ ।

ପରିବାର ଲୋକଙ୍କ କହିବା କଥା ହେଲା, ପୋଲିସ ମହମ୍ମଦଙ୍କୁ ଥାନାକୁ ନେଇଥିଲା । ଫରିଦାବାଦ ଜବତ ହୋଇଥିବା ବିସ୍ଫୋରକ ବ୍ୟାଗକୁ ବାନ୍ଧିବା ପାଇଁ ତାଙ୍କୁ ସକାଳେ ପୋଲିସ ଡାକିଥିଲା । ମଝିରେ ସନ୍ଧ୍ୟାରେ ଥରେ ସେ ଘରକୁ ଆସିଥିଲେ । ରାତ୍ରଭୋଜନ ପରେ ସେ ଥାନାକୁ ଯିବା ପାଇଁ ବାହାରିଥିଲେ । ଏହି ସମୟରେ ଝିଅ ନ ଯିବା ପାଇଁ ଅନୁରୋଧ କରିଥିଲା । ସେ କାମ ସାରି ଘରକୁ ଫେରିବେ ବୋଲି କହିଥିଲେ । କିନ୍ତୁ ସେ ଆଉ ଫେରିବେ ନାହିଁ ବୋଲି ପରିବାର ଲୋକେ ଜାଣିନଥିଲେ ।

ମହମ୍ମଦଙ୍କ ଭାଇ କହିଛନ୍ତି ଯେ, ବିସ୍ପୋରଣର ଖବର ପାଇବା ପରେ ସେ ଥାନାକୁ ଯାଇଥିଲେ । କିନ୍ତୁ ଥାନା ପୁରା ଜଳି ଯାଇଥିଲା । ତଥାପି ସେ ମହମ୍ମଦଙ୍କ ମୃତଦେହକୁ ଖୋଜିଥିଲେ । ଯାହାକୁ ସେ ପାଖରେ ଥିବା ହସ୍ପିଟାଲରୁ ପାଇଥିଲେ ।

ସୂଚନାଯୋଗ୍ୟ, ମହମ୍ମଦ ସ୍ତ୍ରୀ ଏବଂ ତିନି ସନ୍ତାନଙ୍କ ସହ ରହୁଥିଲେ । ସେ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତାଙ୍କ ଅକାଳ ମୃତ୍ୟୁରେ ପରିବାର ଲୋକେ ପୁରା ଭାଙ୍ଗି ପଡିଛନ୍ତି ।