ନୂଆଦିଲ୍ଲୀ ୫।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଗୋଲ୍ଡ ସ୍କିମ୍ ସୋଭରେନ ଗୋଲ୍ଡ ବଣ୍ଡ (ଏସଜିବି) ଯୋଜନା ବନ୍ଦ ହୋଇଯାଇଛି। ଗତ କିଛି ବର୍ଷ ହେଲା ସୁନା ମୂଲ୍ୟ ବଢୁଥିବାରୁ ସରକାରଙ୍କ ଲାଗି ଏହି ଯୋଜନା ଚଳାଇ ରଖିବା କଷ୍ଟକର ହୋଇପଡିଥିଲା। ବୈଶ୍ୱିକ ବଜାରରେ ସୁନା ଦର ପ୍ରତି ଆଉନ୍ସ ୨,୮୦୦ ଡଲାର ପାର ହୋଇଛି। ଭାରତରେ ମଧ୍ୟ ସୁନା ୧୦ ଗ୍ରାମ ପିଛା ଦର ଏବେ ଆକାଶ ଛୁଉଁଛି। କମଡିଟି ମାର୍କେଟ ଏକ୍ସପର୍ଟଙ୍କ ଅନୁସାରେ ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତି ପରେ ସୁନା ଦର ଆହୁରି ବଢିବାର ସମ୍ଭାବନା ରହିଛି।
ଅନ୍ୟପଟେ ଏସଜିବି ବନ୍ଦ ହେବାରୁ ନିବେଶକଙ୍କ ନିମନ୍ତେ ଭଲ ଗୋଲ୍ଡ ଇନଭେଷ୍ଟମେଣ୍ଟ ଅପସନ ସମାପ୍ତ ହୋଇଯାଇଛି। ଏହା ଏକ ଏପରି ନିବେଶ ଥିଲା ଯାହା ନିବେଶକଙ୍କୁ ଶସ୍ତାରେ ସୁନା କିଣିବାକୁ ସୁଯୋଗ ଦେଉଥିଲା। ଆରବିଆଇଙ୍କ ୱେବସାଇଟ୍ ଅନୁସାରେ ଏହାର ମ୍ୟାଚ୍ୟୋରିଟି ୮ବର୍ଷରେ ହେଉଥିଲା। ଏସଜିବିର ୨.୫ ପ୍ରତିଶତ ଫିକ୍ସଡ ସୁଧ ଥିଲା। ଏହା ଛଡା ସୁନା ଦର ୮ ବର୍ଷରେ ଯେଉଁ ପରିମାଣରେ ବଢୁଥିଲା ଏଥିରୁ ମଧ୍ୟ ସେତିକି ଲାଭ ମିଳୁଥିଲା।
ଏସଜିବିରୁ ମିଳୁଥିବା ସୁଧ ଉପରେ ଶୁଳ୍କ ଲାଗୁ ହେଉଥିଲା। ଏଥିରେ ଯଦି ମ୍ୟାଚ୍ୟୋରିଟି ପୂରଣ ହେଉଥିଲା କ୍ୟାପିଟାଲ ଗେନ ଟ୍ୟାକ୍ସଫ୍ରି ଲାଭ ବି ମିଳୁଥିଲା। ତେବେ ଏହି ଯୋଜନା ଏବେ ବନ୍ଦ ହୋଇସାରିଥିବାରୁ ନିବେଶକଙ୍କ ଲାଗି ସୁନାରେ ନିବେଶ ପାଇଁ ଥିବା ଏକ ବଡ ସରକାରୀ ଯୋଜନାର ସୁଯୋଗ ମଧ୍ୟ ସମାପ୍ତ ହୋଇଯାଇଛି। ଏହାର ସିଧା ଅର୍ଥ ହେଉଛି ଏବେ ସୋଭରେନ ଗୋଲ୍ଡ ବଣ୍ଡର କୌଣସି ନୂଆ କିସ୍ତି ଆଉ ଆସିବ ନାହିଁ। ପୁରୁଣା କିସ୍ତି ଯାହା ଆସି ସାରିଛି ତାହା ମ୍ୟୋଚ୍ୟୋରିଟି ପୂରଣ ହେବା ପର୍ଯ୍ୟନ୍ତ ରହିବ। ଭାରତ ସରକାର ଏହି ଯୋଜନାକୁ ୨୦୧୫ ମସିହାରେ ଆରମ୍ଭ କରିଥିଲେ।
ତେବେ ଏହି ସ୍କିମ୍ ବନ୍ଦ ହେବ ବଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚିତ କରିସାରିଥିଲେ। ଶନିବାର ବଜେଟ୍ ଉପସ୍ଥାପନ କରିବା ପରେ ଗଣମାଧ୍ୟମ ପ୍ରଶ୍ନର ଜବାବ ରଖି ସେ କହିଥିଲେ ଯେ ଏସଜିବି ସ୍କିମ ଏବେ ବନ୍ଦ ହେବା ସ୍ଥିତିକୁ ପହଞ୍ଚି ସାରିଛି। ଉଲ୍ଲେଖଯୋଗ୍ୟ ଯେ ମୋଦି ୩.୦ର ସମ୍ପୂର୍ଣ୍ଣ ବଜେଟରେ ଅନେକ ବଡ଼ ଘୋଷଣା କରାଯାଇଛି। ହେଲେ ଏଥିରେ ଏସଜିବି ଯୋଜନା ନେଇ କୌଣସି ଆଲୋଚନା ହୋଇ ନାହିଁ। ସୋଭରେନ ଗୋଲ୍ଡବଣ୍ଡ ସ୍କିମ୍ ବନ୍ଦ ହେବା ପରେ ଏବେ ନିବେଶକଙ୍କ ଆଗରେ ସୁନାରେ ନିବେଶ ପାଇଁ ଦୁଇଟି ବାଟ ରହିଛି। ତାହା ହେଉଛି ଗୋଲ୍ଟ ଇଟିଏଫ ଓ ଗୋଲ୍ଡ ମ୍ୟୁଚୁଆଲ ଫଣ୍ଡ।
ଆବଶ୍ୟକତା ଅନୁସାରେ ଆପଣ ଏଠି ସୁନା ବିକାକିଣା କରିପାରିବେ। ତେବେ ଫିଜିକାଲ ଗୋଲ୍ଡରେ ନିବେଶ ବଦଳେ ଏହି ଦୁଇ ଅପସନରେ ନିବେଶ କରିବା ବହୁତ ସହଜ। କାରଣ ଏଠାରେ ଅସଲୀ ଓ ନକଲୀ ସୁନା ଆଶଙ୍କା ନାହିଁ। ଗୋଲ୍ଡ ଇଟିଏଫ ଫିଜିକାଲ ଗୋଲ୍ଡ ମୂଲ୍ୟକୁ ଟ୍ରାକ୍ କରିଥାଏ। ଯଦି ଫିଜିକାଲ ଗୋଲ୍ଡ ଦର ତଳ ଉପର ହୁଏ ତେବେ ଗୋଲ୍ଡ ଇଟିଏଫରେ ମଧ୍ୟ ଦର ତଳ ଉପର ହୋଇଥାଏ। ଗୋଲ୍ଡ ଇଟିଏଫରେ ନିବେଶ ଲାଗି ଏକ୍ସଚେଞ୍ଜ ମାଧ୍ୟମରେ କୌଣସି ବ୍ରୋକରେଜ ପ୍ଲାଟଫର୍ମ ମାଧ୍ୟମରେ ସୁନା କିଣାବିକା କରିପାରିବେ।
ଏହା ଛଡା ଗୋଲ୍ଡ ମ୍ୟୁଚୁଆଲ ଫଣ୍ଡ ମଧ୍ୟ ନିବେଶର ଆଉ ଏକ ମାଧ୍ୟମ ହୋଇପାରେ। ଏହା ଓପନ ଏଣ୍ଡେଡ୍ ଫଣ୍ଡ, ଯାହା ଗୋଲ୍ଡ ଇଟିଏଫ ୟୁନିଟସ୍ ରେ ନିବେଶ କରିଥାଏ। ପ୍ରତ୍ୟେକ ଗୋଲ୍ଡ ମ୍ୟୁଚୁଆଲ ଫଣ୍ଡର ଏକ ଫଣ୍ଡ ମ୍ୟାନେଜର ଥାଏ, ଯିଏ ନିବେଶ ସମ୍ପର୍କିତ ନିଷ୍ପତ୍ତି ନେଇଥାନ୍ତି। ଗୋଲ୍ଡ ମ୍ୟୁଚୁଆଲ ଫଣ୍ଡ ସ୍କିମରେ ୟୁନିଟର ନେଟ୍ ଆସେଟ ଭାଲ୍ୟୁ (ଏନଏଭି) ଥାଏ। ଗୋଲ୍ଡ ମ୍ୟୁଚୁଆଲ ଫଣ୍ଡରେ ଆସେଟର ମ୍ୟାନେଜର ଫଣ୍ଡ ମ୍ୟାନେଜ କରିଥାନ୍ତି।