ଆଗାମୀ ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

Published By : Prameya-News7 Bureau | May 24, 2025 IST

ଭୁବନେଶ୍ବର : କେରଳ ଛୁଇଁବ ମୌସୁମୀ । ଧିରେ ଧିରେ ଅଗ୍ରସର ହେଉଛି ମୌସୁମୀ ବାୟୁ । ଆଗାମୀ ୨୪ ଘଣ୍ଟା ମଧ୍ୟରେ କେରଳ ମଧ୍ୟକୁ ଅଗ୍ରସର ହେବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କ ଦାସ ସୂଚନା ପ୍ରଦାନ କରିଛନ୍ତି । ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଏ ନେଇ ସୂଚନା ଦେଇ ଲେଖିଛନ୍ତି, ଆଗାମୀ ୨୪ ଘଣ୍ଟା ମଧ୍ୟରେ କେରଳ ମଧ୍ୟକୁ ଅଗ୍ରସର ହେବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁବ ମୌସୁମୀ । ୨୦୦୯ ମେ' ୨୩ ତାରିଖରେ କେରଳ ଛୁଇଁଥିଲା ମୌସୁମୀ ବାୟୁ ।



ତେବେ ୨୦୨୪ ମସିହାରେ ମେ’ ୩୦ ତାରିଖରେ କେରଳ ଛୁଇଁଥିବା ବେଳେ ୨୦୨୩ ମସିହାରେ ଜୁନ୍ ୮ ତାରିଖ, ୨୦୨୨ ମସିହାରେ ମେ’ ୨୯ ତାରିଖ, ୨୦୨୧ ମସିହାରେ ଜୁନ୍ ୩ ତାରିଖ, ୨୦୨୦ ମସିହାରେ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା । 

ଶୀଘ୍ର କେରଳ ଛୁଇଁବ ମୌସୁମୀ ବାୟୁ, ଆଗାମୀ ୪ରୁ ୫ଦିନ ପାଗ ଅନୁକୂଳ

ସେପଟେ ଆସନ୍ତା ୨୯ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଶନିବାର ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଗଜପତି, ଗଞ୍ଜାମ, ରାୟଗଡ଼ା,  କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା ଓ ସମ୍ବଲପୁରରେ  ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦ କି.ମି. ବେଗରେ ପବନ ବୋହିପାରେ । 

୨୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର,  ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦ କି.ମି. ବେଗରେ ପବନ ବୋହିବ । ୨୭ ତାରିଖରେ କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସହିତ ୪୦ରୁ ୫୦ କି.ମି. ବେଗରେ ପବନ ହେବାର ସମ୍ଭାବନା ଅଛି । ବଜ୍ରପାତର ଆଶଙ୍କା ମଧ୍ୟ ଅଛି । ୨୮ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡିରେ ଅଧିକ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨୯ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବୋହିପାରେ । 

ଆରବସାଗର ଓ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିଥିବା ଜଳୀୟ ବାଷ୍ପ ପ୍ରଭାବରେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ବ୍ୟାପକ ବର୍ଷା ହୋଇଛି । ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଜପତି ଜିଲ୍ଲାର ଗୁମ୍ମା ଠାରେ  ସର୍ବାଧିକ ୧୩୦ ମି.ମି. ବର୍ଷା ରେକର୍ଡ ହୋଇଛି । କେନ୍ଦୁଝର ଚମ୍ପୁଆରେ ୧୦୬ ମି.ମି., କୋରାପୁଟ ସେମିଳିଗୁଡ଼ାରେ ୧୦୫ ମି.ମି., ନୂଆପଡ଼ା କୋମନାରେ ୧୦୦ମି.ମି., କୋରାପୁଟ ବନ୍ଧୁଗାଁରେ ୯୫ମି.ମି., ରାୟଗଡ଼ା କାଶୀପୁରରେ ୮୮ମି.ମି., କୋରାପୁଟ ନନ୍ଦପୁରରେ ୮୫ମି.ମି., କେନ୍ଦୁଝର ତେଲକୋଇରେ ୮୧ମି.ମି., ଦିଗପହଣ୍ଡିରେ ୭୯ମି.ମି., ଗୁଣପୁରରେ ୭୩ମି.ମି., ବଲାଙ୍ଗିର ଦେଓଗାଁରେ ୭୨ମି.ମି., ଦେବଗଡ଼ରେ ୭୧.୬ମି.ମି., ରାୟଗଡ଼ା କୋତ୍ରାଗୁଡ଼ାରେ ୭୦.୪ମି.ମି., ବାଣପୁରରେ ୬୮ମି.ମି.,  କନ୍ଧମାଳ ରାଇକିଆରେ ୬୬.୮ମି.ମି. ଓ ମାଲକାନଗିରିର ମୈଥେଳିରେ ୬୫ ମି.ମି. ବର୍ଷା ରେକର୍ଡ ହୋଇଛି ।

You Can Read:

ରାଜ୍ୟରେ ୨୯ ଯାଏଁ କାଳବୈଶାଖୀ ବର୍ଷା, ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.