ମାର୍ଚ୍ଚ ୨୦୨୬ ରୁ ସ୍କୁଲ୍‌ରେ ବ୍ୟାନ ହେବ ସ୍ମାର୍ଟଫୋନ ଓ ସ୍ମାର୍ଟ ଡିଭାଇସ୍

Published By : Prameya-News7 Bureau | August 28, 2025 IST

indiatoday

ନୂଆଦିଲ୍ଲୀ: ସ୍କୁଲ ସମୟରେ ସ୍ମାର୍ଟଫୋନ କିମ୍ବା ସ୍ମାର୍ଟ ଡିଭାଇସ ବ୍ୟବହାର କରିପାରିବେନି ଛାତ୍ରଛାତ୍ରୀ। ପାଠପଢ଼ା ସମୟରେ ଏହାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯିବ। ମାର୍ଚ୍ଚ ୨୦୨୬ ଠାରୁ ଦକ୍ଷିଣ କୋରିଆରେ ଏହି ନିୟମ ଲାଗୁ ହେବ। ଏନେଇ ଦକ୍ଷିଣ କୋରିଆରେ ଏକ ବିଲ୍ ପାସ୍ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସ ରିପୋର୍ଟ ପ୍ରକାଶ କରିଛି। ଛାତ୍ରଛାତ୍ରୀମାନଙ୍କୁ ଅତ୍ୟଧିକ ଫୋନ୍ ବ୍ୟବହାର ଏବଂ ସୋସିଆଲ ମିଡିଆ ନିଶାର କ୍ଷତିକାରକ ପ୍ରଭାବରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ଆବଶ୍ୟକ ବୋଲି ଦକ୍ଷିଣ କୋରିଆ ସାଂସଦମାନେ କହିଛନ୍ତି। 

ଦକ୍ଷିଣ କୋରିଆ ସଂସଦରେ ଏହି ବିଲ୍ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବ୍ୟାପକ ସମର୍ଥନରେ ପାସ୍ ହୋଇଥିଲା। ୨୦୨୬ ମାର୍ଚ୍ଚ ଠାରୁ ଏହା ଦେଶରେ ଲାଗୁ ହେବ। ଏହାପରେ ଦକ୍ଷିଣ କୋରିଆ ମଧ୍ୟ ସେହିସବୁ ଦେଶମାନଙ୍କ ତାଲିକାରେ ସାମିଲ୍ ହୋଇଯିବ ଯେଉଁମାନେ ପୂର୍ବରୁ ଏଭଳି କିଛି ପଦକ୍ଷେପ ନେଇଛନ୍ତି।

ଏହା ପୂର୍ବରୁ ଫ୍ରାନ୍ସ, ଫିନଲ୍ୟାଣ୍ଡ, ଇଟାଲୀ, ନେଦରଲ୍ୟାଣ୍ଡ ଏବଂ ଚୀନ୍ ସମେତ ଦେଶଗୁଡ଼ିକ ଏନେଇ ପ୍ରତିବନ୍ଧକ ଲଗାଇଥିବା ବେଳେ ଦକ୍ଷିଣ କୋରିଆ ସିଧାସଳକ ଏକ ଆଇନ ପ୍ରଣୟନ କରିଛି। ବିଲ୍ ଉପରେ ଆଲୋଚନା ବେଳେ ଜଣେ ସାଂସଦ ଚୋ, ଜୁଙ୍ଗ ହୁନ କହିଥିଲେ ଯେ ଆମ ଯୁବପିଢ଼ିଙ୍କ ସୋସିଆଲ ମିଡିଆ ପ୍ରତି ନିଶା ଏବେ ଏକ ଗମ୍ଭୀର ସ୍ତରରେ ପହଞ୍ଚିଛି। ପ୍ରତିଦିନ ସକାଳେ ଆମ ପିଲାମାନଙ୍କର ଆଖି ଲାଲ ଦେଖାଯାଉଛି। ରାତି ୨ରୁ ୩ ଟା ପର୍ଯ୍ୟନ୍ତ ପିଲାମାନେ ଇନଷ୍ଟାଗ୍ରାମରେ ବିତାଉଛନ୍ତି। ସ୍କୁଲ ଗଲାବେଳେ ସେମାନେ ପାଠାରେ ଫୋକସ ନ କରି ସେଥିରେ ମାତୁଛନ୍ତି। ତେଣୁ ଏଥିରେ ପାଠ ନଷ୍ଟ ହେଉଛି ବୋଲି ଦକ୍ଷିଣ କୋରିଆ ସାଂସଦ କହିଛନ୍ତି। 

ଏକ ସର୍ଭେରେ ଜଣାପଡ଼ିଛି ଯେ ଦକ୍ଷିଣ କୋରିଆ ଡିଜିଟାଲ୍ ଡିଭାଇସ୍ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିଛି। ଦେଶର ପ୍ରାୟ ୫୧ ନିୟୁତ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି। ୨୦୨୪ ମସିହାରେ ହୋଇଥିବା ଏକ ସରକାରୀ ଅଧ୍ୟୟନରୁ ଜଣାପଡିଛି ଯେ ୪୩ ପ୍ରତିଶତ କିଶୋର ସେମାନଙ୍କ ଫୋନ୍ ଉପରେ ଅତ୍ୟଧିକ ନିର୍ଭରଶୀଳ ବୋଲି କହିଛନ୍ତି। ଏକ ତୃତୀୟାଂଶରୁ ଅଧିକ କିଶୋର ଏହା ସ୍ୱୀକାର କରିଛନ୍ତି ଯେ ସେମାନେ ମୋବାଇଲ୍‌ରେ କମ ସମୟ ବିତାଇବାକୁ ଚେଷ୍ଟା କରିବାରେ ସଂଘର୍ଷ କରୁଛନ୍ତି। ସେହିପରି ସୋସିଆଲ୍ ମିଡିଆରେ ଗାଳିଗୁଲଜ ଧମକ ଓ ବଢ଼ୁଥିବା ଚାପକୁ ନେଇ ଅଭିଭାବକମାନେ ମଧ୍ୟ ଚିନ୍ତିତ ଅଛନ୍ତି।

ତେଣୁ ନୂଆ ନିୟମ ଲାଗୁ ହେଲେ ଶିକ୍ଷକମାନେ ସ୍କୁଲ୍ ପିଲାଙ୍କର ସ୍ମାର୍ଟଫୋନ ବ୍ୟବହାର ଉପରେ କଟକଣା ଲଗାଇପାରିବେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.