ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତରେ ଆଜିଠୁ ଦୈନିକ ଶୁଣାଣି ଆରମ୍ଭ ହୋଇଛି । ଶୁଣାଣି ବେଳେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତି ରଖିଥିଲେ ଅତିରିକ୍ତ ସଲିସିଟର ଜେନେରାଲ ଭି ରାଜୁ । ସେ କହିଥିଲେ ଯେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ୨୦୦୦ କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ । କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ । ଏହି ହାଇପ୍ରୋଫାଇଲ୍ ମାମଲାର ଶୁଣାଣି ସିବିଆଇର ସ୍ୱତନ୍ତ୍ର ନ୍ୟାୟାଧୀଶ ବିଶାଳ ଗୋଗନେ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆସୋସିଏଟେଡ୍ ଜର୍ନାଲ୍ସ ଲିମିଟେଡ୍ (ଏଜେଏଲ୍) ନ୍ୟାସନାଲ ହେରାଲ୍ଡ ଖବରକାଗଜ ପ୍ରକାଶ କରୁଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ଏହାର ପ୍ରତିଷ୍ଠାତା ଥିଲେ।
ଶୁଣାଣି ବେଳେ ଏଏସଜି ରାହୁ କହିଥିଲେ ଯେ ୟଙ୍ଗ ଇଣ୍ଡିଆ ସ୍ଥାପନ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା, ଯେଉଁଥିରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସେୟାର ୭୬ ପ୍ରତିଶତ ଥିଲା । ଏହା ଜରିଆରେ କଂଗ୍ରେସ ପାଇଁ ୯୦ କୋଟି ଟଙ୍କା ଋଣ ବଦଳରେ ୨୦୦୦ କୋଟି ଟଙ୍କା ସମ୍ପତ୍ତି ହଡ଼ପ କରାଯାଇ ପାରିବ । ଇଡି କହିଛି ଯେ କଂଗ୍ରେସର ବରିଷ୍ଠ ନେତାଙ୍କ ନିର୍ଦ୍ଦେଶରେ ଏଜେଏଲକୁ ବିଜ୍ଞାପନ ଟଙ୍କା ମଧ୍ୟ ଦିଆଯାଇଥିଲା ଓ ଏହି ଫେକ୍ କମ୍ପାନିରୁ ଯେଉଁ ଆୟ ହୋଇଛି, ତାହା ଅପରାଧିକ ଆୟ ଅଟେ । ମେ ୨୧ରେ ହୋଇଥିବା ପୂର୍ବ ଶୁଣାଣିରେ ଇଡି କହିଥିଲା ଯେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କଥିତ ନ୍ୟାସନାଲ୍ ହେଲାର୍ଡ ମନି ଲଣ୍ଡ୍ରିଂ ମାମଲା ସହ ଜଡ଼ିତ ୧୪୨ କୋଟି ଟଙ୍କା ଅପରାଧିକ ଆୟରୁ ପାଇଥିଲେ ।
ଇଡି ପିଏମଏଲଏ ଅଧିନରେ ଦାଖଲ ଅଭିଯୋଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଏବଂ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କୁ ଏକ ନମ୍ୱର ଅଭିଯୁକ୍ତ ଓ ରାହୁଲ ଗାନ୍ଧୀଙ୍କୁ ଦୁଇ ନମ୍ୱର ଅଭିଯୁକ୍ତ ଦର୍ଶାଇଛି । ତାଙ୍କ ଛଡ଼ା ଅନ୍ୟ ୫ ଜଣଙ୍କୁ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏଜେଏଲ୍ ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ଓ ପୋର୍ଟାଲ ପ୍ରକାଶ କରୁଛି ଓ ଏହାର ମାଲିକାନା ୟଙ୍ଗ ଇଣ୍ଡିଅନ ପ୍ରାଇଭେଟ୍ ଲିମିଟେଡ୍ ପାଖରେ ଅଛି ।