ନୂଆଦିଲ୍ଲୀ ୨୨।୬: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ରବିବାର ଇରାନ ଉପରେ ଆମେରିକା ଆକ୍ରମଣକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଇରାନ ମାଟିରେ କରାଯାଉଥିବା ବୋମା ବର୍ଷା ଓ ସୁନିୟୋଜିତ ହତ୍ୟାକୁ କଂଗ୍ରେସ ଦୃଢ ନିନ୍ଦା କରୁଛି। ସୋନିଆ ଚେତାବନୀ ଦେଇଛନ୍ତି ଯେ ଏହି ଆକ୍ରମଣ କ୍ଷେତ୍ରରେ ଯୁଦ୍ଧକୁ ଆହୁରି ଭୀଷଣ ରୂପେ ଦେଇପାରେ। ଯାହାର ଆଞ୍ଚଳିକ ଓ ବୌଶ୍ୱିକ ପରିଣାମ ଗୁରୁତର ହେବ।
ସେ ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ଇସ୍ରାଏଲ ଦ୍ୱାରା ଗାଜାରେ କରାଯାଉଥିବା ଅମାନବୀୟ କାର୍ଯ୍ୟାନୁଷ୍ଠାନ ସହ ତୁଳନା କରି କହିଛନ୍ତି ଯେ ଯେପରି ସେଠାରେ ନିର୍ଦ୍ଦୋଷ ନାଗରିକଙ୍କୁ ଟାର୍ଗେଟ କରାଯାଉଛି ସେହିପରି ଇରାନରେ ମଧ୍ୟ ଏହି ଆକ୍ରମଣ ସାଧାରଣ ଲୋକଙ୍କ ଜୀବନ ଓ କ୍ଷେତ୍ରିୟ ସ୍ଥିରତାକୁ ବିପଦରେ ପକାଉଛି। କଂଗ୍ରେସ ଅଧ୍ୟକ୍ଷା ଦାବିର ସହ କହିଛନ୍ତି ଯେ ଏପରି ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ନା କେବଳ ମାନବତା ବିରୋଧୀ ବରଂ ବୈଶ୍ୱିକ ଶାନ୍ତି ଉଦ୍ୟମକୁ ମଧ୍ୟ ଦୁର୍ବଳ କରୁଛି।
ଏହା ପୂର୍ବରୁ ସୋନିଆ ଗାନ୍ଧି ଇଂରାଜୀ ସମ୍ବାଦପତ୍ର ‘ଦି ହିନ୍ଦୁ’ରେ ଏକ ସ୍ତମ୍ବ ଲେଖି ଇରାନ ଉପରେ ଆକ୍ରମଣକୁ ନିନ୍ଦା କରିଥିଲେ। ସେ ତାଙ୍କ ଆର୍ଟିକଲରେ ଆମେରିକା ଓ ଇସ୍ରାଏଲର ନୀତି ଉପରେ ଗୁରୁତର ପ୍ରଶ୍ନଉଠାଇଥିଲେ। ସେ ଲେଖିଥିଲେ ଯେ ଯେତେବେ ଇସ୍ରାଏଲ ନିଜେ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର, ଏଥିରେ ଏପରି କଣ ନୈତିକ ଆଧାର ଅଛି ଯାହାକୁ ନେଇ ପରମାଣୁ କ୍ଷମତା ନଥାଇ ମଧ୍ୟ ଲଗାତାର ଇରାନକୁ ଟାର୍ଗେଟ୍ କରାଯାଉଛି। ସେ ଇସ୍ରାଏଲର ଏହା ଦୋହରା ମାପ ଦଣ୍ଡ ବୋଲି କହିଛନ୍ତି।
ସୋନିଆ ଗାନ୍ଧି ଲେଖିଛନ୍ତି ଏଭଳି କାର୍ଯ୍ୟାନୁଷ୍ଠାନ ନା କେବଳ କ୍ଷେତ୍ରିୟ ଶାନ୍ତିକୁ ବିପଦରେ ପକାଉଛି ବରଂ ଅନ୍ତର୍ଜାତୀୟ ଭରସା ଓ ସନ୍ତୁଳନକୁ ବି ଗୁରୁତର ଆଘାତ ଦେଉଛି। ଏଥିରେ ଭାରତର ନିରବତାକୁ ସେ ବିପଦଜନକ କହିଥିବା ବେଳେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣକୁ ନିରାଶାଜନକ କହିଛନ୍ତି। ସୋନିଆ ଗାନ୍ଧି ତାଙ୍କ ଆଲେଖ୍ୟରେ ସ୍ପଷ୍ଟ ଲେଖିଛନ୍ତି ଯେ ଇରାନ ଭାରତର ଦୀର୍ଘ ବର୍ଷରୁ ନିର୍ଭର ଯୋଗ୍ୟ ଓ ଐତିହାସିକ ମିତ୍ର ରହି ଆସିଛି। ଏପରି ସମୟରେ ଭାରତର ନିରବତା ଚିନ୍ତା ଓ ପୀଡ଼ ଉଭୟ କାରଣ ପାଲଟିଛି।
ଗାଜାରେ ଯେଉଁ ବିନାଶ ହୋଇଛି ଓ ଏବେ ଇରାନରେ ଯାହା ହେଉଛି, ଏହା ଉପରେ ଭାରତକୁ ଦାୟିତ୍ୱବାନ ରୂପେ ସ୍ପଷ୍ଟ ଓ ସାହାସୀ ଭାବେ କହିବା ଦରକାର ବୋଲି ସୋନିଆ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଉପରେ ମଧ୍ୟ ସୋନିଆ ଟିପ୍ପଣୀ କରିଛନ୍ତି। ଟ୍ରମ୍ପ ନିଜେ ପ୍ରଥମେ ‘ସମାପ୍ତ ହେଉନଥିବା ଯୁଦ୍ଧ’ ଓ ‘ମିଲେଟ୍ରି ଇଣ୍ଡଷ୍ଟ୍ରିଆଲ ଲବି’କୁ ସମାଲୋଚନା କରୁଥିଲେ। ହେଲେ ଏବେ ସେ ନିଜେ ସେହି ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି। ସୋନିଆ ଏହା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ ‘ଟ୍ରମ୍ପ ନିଜେ ଅନେକବାର କହିଛନ୍ତି ଇରାକ୍ ଉପରେ ଆକ୍ରମଣ ମିଥ୍ୟା ଅଭିଯୋଗ ଆଧାରରେ କରାଯାଇଥିଲା। ଏଥିରେ ଇରାକ ପାଖରେ ସମୂହ ବିନାଶ ଅସ୍ତ୍ରଶସ୍ଚ୍ର ଥିବା କୁହାଯାଇଥିଲା, ହେଲେ ଏହା କେବେ ବି ମିଳି ନଥିଲା’।