LIVE TV

ନାଇଜେରିଆ ଉପରେ ଆକ୍ରମଣ କରିବେ ଟ୍ରମ୍ପ୍ ! ସେନାକୁ ମିଳି ସାରିଛି ଗ୍ରୀନ୍ ସିଗନାଲ୍

NEWS7
sonia-gandhi-on-president-draupadi-murmu-address-poor-lady-getting-very-tired

ନୂଆଦିଲ୍ଲୀ, ୦୨ |୧୧ : ଗୋଟିଏ ପଟେ ଶାନ୍ତି ପାଇଁ ନୋବେଲ ଦାବି କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ନୂଆ ବିବାଦ ଆରମ୍ଭ କରିଛନ୍ତି । ବିଭିନ୍ନ ଯୁଦ୍ଧରେ ମୁଣ୍ଡ ପୁରାଇବା ପରେ ଏବେ ଭେନେଜୁଏଲା ସହ ଯୁଦ୍ଧ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଟ୍ରମ୍ପ୍ ସରକାର । ଏହାସହ ଆଫ୍ରିକୀୟ ଦେଶ ନାଇଜେରିଆ ବିରୋଧରେ ମଧ୍ୟ ଲଢେଇ ପାଇଁ ପାଗ ଭିଡିଛନ୍ତି । ନିଜ ସେନାକୁ ସଜାଗ ରହିବାକୁ ଆଦେଶ ମଧ୍ୟ ଦିଆଯାଇଛି ।

ଟ୍ରମ୍ପ୍ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ନାଇଜେରିଆ ସରକାର ଖ୍ରୀଷ୍ଟିଆନଙ୍କ ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି । ଯଦି ଏହା ଆଗକୁ ଲାଗି ରହେ ତେବେ ଆମେରିକା ନାଇଜେରିଆକୁ ପ୍ରଦାନ କରୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରିଦେବ । ଏହାସହ ଇସଲାମ ଦେଶରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ନିପାତ କରିବାରେ କୌଣସି ପଛଘୁଞ୍ଚା ଦେବ ନାହିଁ । ଏପରିକି ପ୍ରତିରକ୍ଷା ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଯୁଦ୍ଧ ହୁଏ ତେବେ ଏହା ଭୟଙ୍କର ଏବଂ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି ଟ୍ରମ୍ପ୍ ।

ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନିବୁ । ସେ କହିଛନ୍ତି ଯେ, ନାଇଜେରିଆକୁ ଧାର୍ମିକ ଦୃଷ୍ଟିକୋଣରୁ ଅସହିଷ୍ଣୁ ଦେଶ ଭାବେ ଚିତ୍ରଣ କରାଯାଉଛି । ଯାହା ଆଦୌ ଠିକ୍ ନୁହେଁ । ଦେଶର ସ୍ବତନ୍ତ୍ରତା ଏବଂ ଅଖଣ୍ଡତା ହେଉଛି ସେମାନଙ୍କର ପରିଚୟ । ଏଠାରେ ସବୁ ଧର୍ମର ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରାଯାଏ ।  ସେହିପରି ଟ୍ରମ୍ପଙ୍କ ପୂର୍ବରୁ ଆମେରିକା ସିନେଟର ଟେଡ୍ କ୍ରୁଜ୍ ନାଇଜେରିଆକୁ ଆତଙ୍କବାଦୀ ଦେଶ ଘୋଷଣା କରିବା ନେଇ ଦାବି କରିଥିଲେ ।

ନାଇଜେରିଆର ଜନସଂଖ୍ୟାକୁ ଦେଖିଲେ ଏଠାରେ ପ୍ରାୟ ୨୨ କୋଟି ଲୋକ ବସବାସ କରନ୍ତି । ଯାହା ମଧ୍ୟରୁ ଅଧା ହେଉଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ । ସେମାନେ ଦୀର୍ଘ ଦିନ ଧରି ବୋକୋ ହାରାମ ନାମକ ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ନିର୍ଯ୍ୟାତିତ ହୋଇ ଆସୁଛନ୍ତି । ଯିଏକି ଦେଶରେ କଠୋର ଇସଲାମିକ ଆଇନ ଲାଗୁ କରିବାକୁ ଚାହୁଁଛି । କେବଳ ଖ୍ରୀଷ୍ଟିଆନ ନୁହେଁ, ମୁସଲିମ ବ୍ୟକ୍ତିବିଶେଷ ମଧ୍ୟ ବୋକୋ ହାରାମ ଦ୍ୱାରା ଶିକାର ହେଉଛନ୍ତି। କାରଣ ଆତଙ୍କବାଦୀମାନେ ସେମାନଙ୍କୁ ଛଦ୍ମ ମୁସଲିମ୍ ଭାବେ ବିଚାର କରୁଛନ୍ତି ।

ଏସବୁ ମଧ୍ୟରେ ଆମେରିକା ସେଠାରେ ଖ୍ରୀଷ୍ଟିଆନଙ୍କ ବିରୋଧରେ ବଢୁଥିବା ଅପରାଧ ବାବଦରେ ପ୍ରସଙ୍ଗ ଉଠାଇଥିଲା । ଯାହାକୁ ନାଇଜେରିଆ ସରକାର ମିଛ ବୋଲି କହିଥିଲେ । ଏହି ଘଟଣା ପରେ ଆମେରିକା ଏଠାରେ ଯୁଦ୍ଧ କରିବା ନେଇ ଘୋଷଣା କରିଥିଲା ।