ପରିବାରକୁ ଚେତାବନୀ ଦେଇଥିଲେ ସୋନମ, ଚାଞ୍ଚଲ୍ୟକର ସୂଚନା ଦେଲେ ମୃତ ରାଜା ରଘୁବଂଶୀଙ୍କ ଭାଇ

Published By : Prameya-News7 Bureau | June 11, 2025 IST

News7

ନୂଆଦିଲ୍ଲୀ: ରାଜାଙ୍କ ସହ ବିବାହ ହେଲେ ଘଟିବ ଅଘଟଣ। ମ୍ୟାରେଜ୍‌ ପୂର୍ବରୁ ପରିବାରକୁ ଚେତାବନୀ ଦେଇଥିଲେ ସୋନମ। ରାଜା ରଘୁବଂଶୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ମୃତ ରାଜାଙ୍କ ଭାଇ ବିପିନ ରଘୁବଂଶୀ। ବିପିନ କହିଛନ୍ତି ଯେ ସୋନମଙ୍କ ପରିବାର ରାଜ କୁଶୱାହାଙ୍କ ସହ ଚାଲିଥିବା ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ। ସେ ରାଜାଙ୍କ ପରିବାରଠାରୁ ଏହା ଲୁଚାଇ ରଖିଥିଲେ। ଏପରିକି ସୋନମ ବିବାହ ପୂର୍ବରୁ ତାଙ୍କ ମାଆଙ୍କୁ ଚେତାବନୀ ଦେଇଥିଲେ। 

ସୋନମ କହିଥିଲେ ଯେ ଯଦି ସେ ରାଜାଙ୍କୁ ବିବାହ କରନ୍ତି, ତେବେ ପରିଣାମ ଭୟଙ୍କର ହେବ। ଯାହା ଘଟିବ ସେଥିରେ ସେ ଦାୟୀ ରହିବେ ନାହିଁ। ସୋନମଙ୍କ ମାଆ ଏହି ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ଜାଣିଥିଲେ, କିନ୍ତୁ ସେ ସବୁକିଛି ଲୁଚାଇ ରଖିଥିଲେ। ସୋନମଙ୍କ ମାଆଙ୍କୁ ମଧ୍ୟ ପଚରାଉଚରା କରାଯିବା ଉଚିତ। ସୋନମଙ୍କ ବାପା ଏସବୁ ଜାଣିଥାନ୍ତେ, ତେବେ ସେ ରାଜ କୁଶୱାହାଙ୍କୁ ଚାକିରିରୁ ବହିଷ୍କାର କରିଥାନ୍ତେ। ଏପରିକି ସୋନମ ରାଜାଙ୍କ ସହିତ କଥା ହେଉନଥିଲେ ବୋଲି କହିଛନ୍ତି ବିପିନ।

ସେପଟେ ରାଜାଙ୍କ ପରିବାରକୁ ଭେଟିବାକୁ ଆସିଥିଲେ ଅଭିଯୁକ୍ତ ସୋନମଙ୍କ ଭାଇ ଗୋବିନ୍ଦ। ସେ କହିଛନ୍ତି ଯେ ରାଜ କୁଶୱାହା କେବଳ ତାଙ୍କ ଘର କାମ କରୁଥିଲା। ସୋନମ୍ ରାଜ କୁଶଓ୍ଵାହାଙ୍କୁ ରାଖୀ ବାନ୍ଧୁଥିଲେ ଏବଂ ରାଜ୍‌ ତାଙ୍କୁ ‘ଦିଦି’ ବୋଲି ଡାକୁଥିଲେ।

ଏହାରି ଭିତରେ ସୋନମ ରଘୁବଂଶୀଙ୍କ ପ୍ରେମିକ ରାଜ୍‌ କୁଶଓ୍ୱାହର ନୂଆ ଭିଡିଓ ସାମନାକୁ ଆସିଛି।   ଭିଡିଓଟି ରାଜାଙ୍କ ଅନ୍ତିମ ସଂସ୍କାର ଦିନ ବୋଲି କୁହାଯାଉଛି। ସୋନମଙ୍କ ବାପା ରାଜାଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ତାଙ୍କୁ ଜଣେ ବ୍ୟକ୍ତି ସାନ୍ତ୍ୱନା ଦେଉଥିବାର ଦେଖିବାକୁ ମିଳିଥିଲା। ସେ ଆଉ କେହି ନୁହେଁ ବରଂ ସୋନମଙ୍କ ତଥାକଥିତ ପ୍ରେମିକ ରାଜ କୁଶଓ୍ୱାହା। ହତ୍ୟା କରିବା ପରେ କୁଶଓ୍ୱାହ ରାଜାଙ୍କ ଘରକୁ ଯାଇ କାନ୍ଦିବା ଭଳି ଅଭିନୟ କରିଥିଲା। କିନ୍ତୁ ରାଜ୍‌ କୁଶଓ୍ୱାହାଙ୍କ ଉପରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ।

ଏହାରି ଭିତରେ ବଡ଼ ଖୁଲାସା କରିଛି ମେଘାଳୟ ପୋଲିସ। ପୋଲିସ କହିଛି ଯେ ରାଜାଙ୍କ ପତ୍ନୀ ସୋନମ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ସୋନମଙ୍କ ସହିତ ରାଜ କୁଶୱାହାଙ୍କୁ ମଧ୍ୟ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ସୋନମ ରାଜାଙ୍କୁ ଡବଲ ଡେକର ବ୍ରିଜ୍ ଯିବାକୁ ବାଧ୍ୟ କରିଥିଲେ। ସେଠାକୁ ଯିବା ପାଇଁ ଦୁଇଟି ରାସ୍ତା ଅଛି। କିନ୍ତୁ ସୋନମ ବିପଦପୂର୍ଣ୍ଣ ରାସ୍ତା ବାଛିଥିଲେ। ଏହି ଅପରାଧରେ ସମ୍ପୂର୍ଣ୍ଣ ଭାବରେ ଜଡିତ ଥିବା ସ୍ୱୀକାର କରିଛନ୍ତି ସୋନମ।

ଖୋଲୁଛି ବେୱଫା ସୋନମର ରାଜ୍‌। ଖୁନି ପତ୍ନୀର ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ରାଜା ରଘୁବଂଶୀ ମର୍ଡର ମୋଟିଭର ହେଉଛି ପର୍ଦ୍ଦାଫାଶ। ଟ୍ରାଞ୍ଜିଟ୍‌ ରିମାଣ୍ଡରେ ପୋଲିସ ଆଉ କଣ ସତ ଓଗାଳୁଛି  ଏବେ ଦେଖିବାକୁ ବାକି ରହିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.