ନୂଆଦିଲ୍ଲୀ ୧୨/୦୬: ପାର୍କିଂରୁ ମିଳିଲା ଇନ୍ଫ୍ଲୁଏନସରଙ୍କ ମୃତଦେହ । ପଞ୍ଜାବ ହସ୍ପିଟାଲର ପାର୍କିଂରୁ ଜଣେ ସୋସିଆଲ ମିଡିଆ ଇନ୍ଫ୍ଲୁଏନସରଙ୍କ ମୃତଦେହ ମିଳିଛି । ପାର୍କିଂ ହୋଇଥିବା କାର୍ ଭିତରୁ ତାଙ୍କର ମୃତଦେହ ମିଳିଛି । ମୃତକ ହେଉଛନ୍ତି ଲୁଧିଆନାର କମଲ କୌର ଭାବୀ। ସୋସିଆଲ ମିଡିଆରେ ବିବାଦୀୟ ବୟାନ ଓ ତାଙ୍କର ଆକ୍ଟିଭିଟି ପାଇଁ ସେ ଫେମସ । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ସେପଟେ ମୃତଦେହର ପୋଷ୍ଟମର୍ଟମ କରାଯିବ।
ପୋଲିସ କହିବା ଅନୁଯାୟୀ, କମଲ କୌରଙ୍କ ମୃତଦେହ ବହୁ ଦିନ ଧରି କାରର ଟ୍ରଙ୍କରେ ବନ୍ଦ ଥିଲା । ଦୁର୍ଗନ୍ଧ ହେବା ପରେ ପୋଲିସକୁ ଖବର ଦିଆଯାଇଥିଲା । କାରର ଟ୍ରଙ୍କ ଖୋଲିବାରୁ ମିଳିଥିଲା ତାଙ୍କର ମୃତଦେହ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କମଲ କୌର ଭାବୀଙ୍କୁ ପୂର୍ବରୁ ହତ୍ୟା ଧମକ ମିଳିଥିଲା । କମଲ କୌର ଲୁଧିଆନାର ବାସିନ୍ଦା ଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଥିଲେ।
ଘଟଣା ବିଷୟରେ ଏସପି ସିଟି ନରେନ୍ଦ୍ର ସିଂହ କହିଛନ୍ତି ଯେ, ଆଦେଶ ହସ୍ପିଟାଲର ପାର୍କିଂରେ ପାର୍କ ହୋଇଥିବା କାର୍ରୁ ଦୁର୍ଗନ୍ଧ ଆସୁଥିବା ଦେଇ ଆମକୁ ଫୋନ କଲ୍ ମାଧ୍ୟମରେ ସୂଚନା ମିଳିଥିଲା । ସୂଚନା ପାଇ ଆମର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ପହଞ୍ଚି ଯାଞ୍ଚ କରିବା ପରେ କାର୍ ଭିତରୁ ମହିଳାଙ୍କ ମୃତଦେହ ମିଳିଥିଲା ।
ପ୍ରଥମେ ମୃତଦେହ ଚିହ୍ନଟ ହୋଇପାରିନଥିଲେ ବି ପରେ ମୃତକର ନାମ କାଞ୍ଚନ କୁମାରୀ ଓରଫ କମଲ କୌର ବୋଲି ଜଣାପଡ଼ିଥିଲା । ସେ ଲୁଧିଆନାର ବାସିନ୍ଦା । ତାଙ୍କ ବୟସ ପ୍ରାୟ ୩୦ବର୍ଷ ହୋଇଥିବା ବେଳେ ଭଟିଣ୍ଡାକୁ ଏକ ପ୍ରମୋସନାଲ୍ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛି କହି ସେ ଜୁନ୍ ୯ ତାରିଖରେ ତାଙ୍କ ଘରୁ ବାହାରିଥିଲେ। ଏହା ପରେ ତାଙ୍କ ପତ୍ତା ମିଳିନଥିଲା।