ବିବାହ କେବେ ହେବ ? ଏହି ପ୍ରଶ୍ନ ଶୁଣି ଶୁଣି ବିରକ୍ତ ହୋଇଯାଇଥିଲେ ଯୁବକ, ନେଲେ ଚରମ ନିଷ୍ପତ୍ତି

NEWS7
smriti-irani-coming-odisha-tomorrow-to-attend-bjp-meet

ହାଇଦ୍ରାବାଦ: ବର୍ତ୍ତମାନ ସମାଜରେ ଯୁବପୀଢ଼ିଙ୍କୁ ଚିନ୍ତାରେ ପକାଉଛି ଗୋଟିଏ ପ୍ରଶ୍ନ, ବିବାହ କେବେ ହେବ ? ସାଧାରଣତଃ ଯୁବପୀଢ଼ିଙ୍କ ମଧ୍ୟରେ ବିବାହକୁ ନେଇ ରୁଚି କମୁଥିବା ବେଳେ ଏହି ପ୍ରଶ୍ନ ସେମାନଙ୍କୁ ବ୍ୟଥିତ କରୁଛି । ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରଶ୍ନ ଏବେ ଜଣେ ୩୦ ବର୍ଷୀୟ ଯୁବକଙ୍କ ଜୀବନ ନେଇଯାଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି, କଥା ଟା ସତ । ତେଲେଙ୍ଗାନାର ହାଇଦ୍ରାବାଦରେ ଆଟ୍ଟାପୁର ଅଞ୍ଚଳର ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି ।

୩୦ ବର୍ଷୀୟ ଯୁବକ ପ୍ରବୀଣ ବିବାହ କରି ନ ପାରିବା କାରଣରୁ ଦୀର୍ଘ ଦିନ ଧରି ଡିପ୍ରେସନରେ ଥିଲେ। ତାଙ୍କର ବୟସ ବଢ଼ୂଥିଲା ଏବଂ ବିବାହ ସ୍ଥିର ହୋଇପାରୁନଥିଲା । ଏଥିପାଇଁ ସେ ଯେତିକି ଚିନ୍ତାରେ ଥିଲେ, ତାଠୁ ଅଧିକ ଲୋକଙ୍କ ‘କେବେ ବିବାହ କରିବ’ ପ୍ରଶ୍ନ, ବେଶୀ ବ୍ୟଥିତ କରୁଥିଲା ।

ପରିବାର ଏବଂ ବନ୍ଧୁମାନଙ୍କ ‘କେବେ ବିବାହ କରିବ?’ ପ୍ରଶ୍ନ ବାରମ୍ବାର ଶୁଣିବା ପରେ ପ୍ରବୀଣ ମାନସିକସ୍ତରରେ ଦୁର୍ବଳ ହୋଇପଡ଼ିଥିଲେ । କୁହାଯାଉଛି ଯେ, ପ୍ରବୀଣ ଗତ କିଛି ଦିନ ଧରି ଅତ୍ୟନ୍ତ ଚିନ୍ତିତ ଥିଲେ ଏବଂ ଏହି ମାନସିକ ଚାପ ତାଙ୍କୁ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା । ବିବାହ ହୋଇନପାରିବାରୁ ଅବସାଦଗ୍ରସ୍ତ ହୋଇ ପ୍ରବୀଣ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ରିପୋର୍ଟ ଅନୁଯାୟୀ, ରବିବାର ଅପରାହ୍ନରେ ପ୍ରବୀଣ ଏକ ୨୦ ମହଲା କୋଠା ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରବୀଣଙ୍କ ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିବାହ ନହେବା କାରଣରୁ ମାନସିକ ଅବସାଦରେ ଥିବା ପ୍ରବୀଣ ଆତ୍ମହତ୍ୟା କରିଥିବା କୁହାଯାଉଛି ।