ବିଶ୍ୱର ସବୁଠୁ ଛୋଟ ଜେଲ୍‌, ରହିପାରିବେ ମାତ୍ର ୨ ଜଣ କଏଦୀ

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀ ୨୭।୦୫: ବ୍ରିଟେନ୍‌ର ସାର୍କ ଦ୍ୱୀପରେ ରହିଛି ବିଶ୍ୱର ସବୁଠୁ ଛୋଟ  ଜେଲ୍‌ । ଏହା ଏତେ ଛୋଟ ଯେ ଏଥିରେ କେବଳ  ମାତ୍ର ୨ ଜଣ କଏଦୀ ରହିପାରିବା ଭଳି ସ୍ଥାନ ରହିଛି ।  ଜେଲ୍‌କୁ ୧୬୮ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା ।  ରିପୋର୍ଟ ଅନୁସାରେ, ସାର୍କ ଦ୍ୱୀପ ୫.୪ ବର୍ଗ କିମି  ଅଞ୍ଚଳରେ ପରିବ୍ୟାପ୍ତ । ୨୦୨୩ରେ କରାଯାଇଥିବା  ଜନଗଣନା ଅନୁସାରେ ସେହି ଦ୍ୱୀପରେ ମୋଟ  ୫୬୨ ଜଣ ଲୋକ ରହନ୍ତି । ୧୮୩୨ ମସିହାରେ ଏହି  ଜେଲ୍‌ ନିର୍ମାଣ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।  

କିନ୍ତୁ ଅର୍ଥାଭାବରୁ ତାହା ପୂରା ହେବାକୁ ୨୪ ବର୍ଷ  ସମୟ ଲାଗିଥିଲା । ଜେଲ୍‌ର ନିର୍ମାଣ ହେବା ପରଠାରୁ  ଅଦ୍ୟାବଧି ସେଠାରେ ସେମିତି କୌଣସି ଉଲ୍ଲେଖନୀୟ  ପରିବର୍ତ୍ତନ ହୋଇନାହିଁ । ଅବଶ୍ୟ ଜେଲ୍‌ ଭିତରର  ସୁବିଧାରେ ଟିକେ ଉନ୍ନତି ହୋଇଛି । ପାଣି, ଟୟଲେଟ୍‌  ସହିତ ବିଜୁଳିର ବ୍ୟବସ୍ଥା କରାଯାଇଛି । ଜେଲ୍‌ ଭିତର   ଅଂଶକୁ ଦୁଇ ଭାଗରେ ବିଭକ୍ତ କରି ଦୁଇଟି କୋଠରୀ   କରାଯାଇଛି । ଦୁଇଟି ଯାକ କୋଠରୀରେ କଏଦୀଙ୍କ   ଲାଗି କାଠର ଖଟ ଥିବାବେଳେ ତା’ ଉପରେ ପତଳା   ମ୍ୟାଟ୍ରେସ୍‌ ବିଛାଯାଇଛି । 

ଏହି ଦ୍ୱୀପରେ କୌଣସି   ବଡ଼ ଧରଣର ଅପରାଧ ହୋଇନଥାଏ । ତେଣୁ   ଏଠାରେ ମାତ୍ର ୨ ଜଣ ପୁଲିସକର୍ମୀ ଅଛନ୍ତି ବୋଲି   ଜଣାପଡ଼ିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ,  ଦ୍ୱୀପର କିଛି ଲୋକଙ୍କ ବିରୋଧରେ ନିଶାସକ୍ତ  ହୋଇ ଗାଡ଼ି ଚଳାଇବା କିମ୍ବା ଅନ୍ୟ ଅପରାଧରେ  ମାମଲା ରହିଛି । କିନ୍ତୁ ସଂଶାଧନର ଅଭାବ ଯୋଗୁ  ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇପାରୁନାହିଁ । ସେଥିଯୋଗୁ ଦ୍ୱୀପରେ ଜେଲ୍‌  ଥିଲେ ମଧ୍ୟ ତାର ସେତେ ଅଧିକ ବ୍ୟବହାର ହେଉନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.