ଶବଦାହର ଅଜବ ପରମ୍ପରା; ଜୀବଜନ୍ତୁଙ୍କ ପୁତୁଳାରେ ହୁଏ ଶବଦାହ

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ ୧୭।୦୬: ସାରା ବିଶ୍ବରେ ଅନେକ ପରମ୍ପରା । ଏଗୁଡିକ କାହିଁ କେଉଁ କାଳରୁ ଚାଲି ଆସୁଛି । ହିନ୍ଦୁ ଧର୍ମରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଦାହ କରାଯାଇଥାଏ । ସାରା ବିଶ୍ବରେ ଶବଦାହର ବିଭିନ୍ନ ପରମ୍ପରା ପ୍ରଚଳିତ । କିନ୍ତୁ ବାଲିସ୍‌ ସମ୍ପ୍ରଦାୟରେ ଶବଦାହ କରାଯିବାର ରହିଛି ଏକ ନିଆରା ପରମ୍ପରା । ଯାହା ବିଷୟରେ ହୁଏତ କେହି ଶୁଣି ନଥିବେ । 

ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ ମୃତ ଶରୀରକୁ ଜୀବଜନ୍ତୁଙ୍କ ପୁତୁଳାରେ ରଖି ଶବ ଦାହ କରାଯାଏ । ଏହି ବାଲିସ୍‌ ସମ୍ପ୍ରଦାୟ ଇଣ୍ଡୋନେସିଆରେ ଦେଖିବାକୁ ମିଳନ୍ତି । ମୃତ ଶରୀରକୁ ପଶୁର ପୁତୁଳାରେ ରଖି ଶବଦାହ କରାଯିବା ପ୍ରଥାକୁ ଇଣ୍ଡୋନେସିଆରେ ନଗାବେନ୍ କୁହାଯାଏ । ନଗାବେନ୍ ହେଉଛି ବାଲିସ୍‌ ସମ୍ପ୍ରଦାୟର ପବିତ୍ର ଶବଦାହ ଅନୁଷ୍ଠାନ । ସମ୍ପ୍ରଦାୟର ଏହା ହେଉଛି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ । ଏହାକୁ ପେଲେବୋନ୍ ମଧ୍ୟ କୁହାଯାଏ। 

ବାଲିସ୍‌ ସମ୍ପ୍ରଦାୟ ନଗାବେନ୍ ଅଧୀନରେ ଶବର ଜାତି, ଲିଙ୍ଗ ଏବଂ ବର୍ଣ୍ଣ ଆଧାରରେ ଶବ ଦାହ ସଂସ୍କାର ପାଇଁ ଗାଇ, ଷଣ୍ଢ, ସିଂହ ଇତ୍ୟାଦି ପଶୁମାନଙ୍କ ଆକାରର କଫିନ୍ ପ୍ରସ୍ତୁତ କରାଯାଏ। ଶବଦାହ ପାଇଁ ପ୍ରସ୍ତୁତ ଏହି ପୁତୁଳାକୁ ତଳୁ ଉପର ଯାଏଁ ଅନେକ ଆଭୂଷଣରେ ସଜାଯାଏ । ଏହାକୁ ପ୍ରସ୍ତୁତ କରିବା ପରେ ଏକ ବିଶାଳ ଶୋଭାଯାତ୍ରା ନିଆଯାଏ।

ନଗାବେନ୍ ସଂସ୍କାରରେ ଏକ କାଠର ଷଣ୍ଢ ପୁତୁଳା ତିଆରି କରାଯାଇଥାଏ ଏବଂ ତା’ପରେ ମୃତ ଶରୀରକୁ ଷଣ୍ଢର ପୁତୁଳାରେ ରଖାଯାଇ ଦାହ କରି ଦିଆଯାଏ । ଏହା ଅନ୍ୟ ଶବଦାହ ସମାରୋହ ଠାରୁ ଭିନ୍ନ ହୋଇଥାଏ । ଯାହାକୁ ବାଲିସ୍‌ ସମ୍ପ୍ରଦାୟର ଲୋକମାନେ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି । 

ଏଠାକାର ଲୋକଙ୍କ ମାନ୍ୟତା ରହିଛି କି ନଗାବେନ୍ ସମୟରେ ଦୁଃଖର କରିବା ଉଚିତ୍ ନୁହେଁ । କାରଣ ଏହା ଆତ୍ମାକୁ ପୁନଃଜନ୍ମ ନେବାରେ ବାଧା ସୃଷ୍ଟି କରିଥାଏ । ନଗାବେନ୍ ଦ୍ବାରା କରାଯାଉଥିବା ଦାହ ସଂସ୍କାର କୌଣସି ବ୍ୟକ୍ତିଙ୍କ ମୃତ୍ୟୁର ତୁରନ୍ତ କରାଯାଏ ନାହିଁ । ଏହାକୁ ବାଲିସ୍‌ କ୍ୟାଲେଣ୍ଡର ଅନୁଯାୟୀ କିମ୍ବା ପୁରୋହିତଙ୍କ ଠାରୁ ପରାମର୍ଶ ନେଇ ଏକ ଖାସ୍‌ ଦିନରେ କରାଯାଏ । 

ରାଜ ପରିବାରରେ ଶବଦାହ ଏକ ପର୍ବ ପରି ପାଳନ କରାଯାଏ । ଆଉ ଏହି ପ୍ରସ୍ତୁତି ପାଇଁ ଅନେକ ମାସ ସମୟ ମଧ୍ୟ ଲାଗିଥାଏ । ନଗାବେନ୍ ଶବଦାହ ଅନୁଯାୟୀ, ବିଶ୍ୱାସ କରାଯାଏ ଯେ ଏପରି କରିବା ଦ୍ୱାରା ମୃତ ବ୍ୟକ୍ତି ଭୌତିକ ଜୀବନରୁ ମୁକ୍ତି ପାଇଥାଏ ଏବଂ ସେ ସ୍ୱର୍ଗରେ ଦ୍ୱିତୀୟ ଜନ୍ମ ହୋଇଥାଏ । ତେଣୁ ଏପରି ଭାବେ ଏଠାରେ ଶବଦାହ କରାଯାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.