ନିଆରା ପ୍ରେମ କାହାଣୀ, ୧୧ ଲକ୍ଷ ଠକେଇ ପରେ ବି...ଠକ ପ୍ରେମରେ ପଡିଲେ ମହିଳା

Published By : Prameya-News7 Bureau | June 17, 2024 IST

ଚୀନ ୧୭।୦୬: ଚୀନ୍‌ରୁ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି । ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମରେ ପୀଡ଼ିତ ଜଣେ ମହିଳା ଜଣେ ଠକେଇ ଅଭିଯୁକ୍ତର ପ୍ରେମରେ ପଡ଼ିବା ସହ ତାଙ୍କ ସହ ମିଶି ଏହି କାମରେ ସମ୍ପୃକ୍ତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏଠାକାର ଜଣେ ମହିଳା ୧୧ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିଲେ। ସ୍କାମର ତାଙ୍କର ଏତେ ବଡ଼ କ୍ଷତି କରିବା ସତ୍ତେ୍ୱ ମହିଳା ଜଣ ଅଭିଯୁକ୍ତଙ୍କ ବାବଦରେ ସକାରାତ୍ମକ ବିଚାର ରଖିଥିଲେ। ଏପରିକି ମହିଳା ଜଣକ ସେହି ସ୍କାମର ସହ ମିଶି ଠକେଇ କାମରେ ଲାଗିଥିଲେ ଏବଂ ଅନ୍ୟମାନଙ୍କୁ ଠକିଥିଲେ । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ସେହି ମହିଳାଙ୍କ ନାମ ହୁ’ । ଗତବର୍ଷ ମେ’ରେ ସେ ଏକ ଅନ୍‌ଲାଇନ ଡେଟିଂ ପ୍ଲାଟଫର୍ମରେ ମ୍ୟାଁମାରର ଚେନ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଚିହ୍ନିଥିଲେ । ଚେନ୍‌ ମହିଳା ଜଣଙ୍କୁ କହିଥିଲେ ଯେ ତାଙ୍କ ପାଖରେ ଅଧିକ ରିଟର୍ଣ୍ଣ ଦେଉଥିବା ନିବେଶ ଯୋଜନା ରହିଛି । ତାଙ୍କ ପାଖରେ ଥିବା ଇନ୍‌ଭେଷ୍ଟମେଣ୍ଟ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ଚେନ୍‌ ମହିଳା ଜଣଙ୍କୁ ପ୍ରବର୍ତ୍ତାଇ ଥିଲେ। 

ଚେନ୍‌ଙ୍କ କଥାରେ ରାଜି ହୋଇ ହୁ’ ସେହି ଆକାଉଣ୍ଟରେ ଟଙ୍କା ରଖିଥିଲେ । ହେଲେ ସେହି ଆକାଉଣ୍ଟରୁ ଟଙ୍କା କାଢ଼ି ନ ପାରିବାରୁ ସେ ଠକେଇର ଶିକାର ହୋଇଥିବା ହୁ’ ଜାଣିବାକୁ ପାଇଥିଲେ ।  ହେଲେ ଚେନ୍‌ ଏହି ଠକେଇ କରି ନ ଥିବା ଏବଂ ସେ ନିଜେ ମଧ୍ୟ ଠକେଇର ଶିକାର ହୋଇଥିବା ହୁ’ଙ୍କୁକହିଥିଲେ ।ଏଥିରୁ ମୁକୁଳିବା ପାଇଁ ଚେନ୍‌ ହୁ’ଙ୍କୁ ସହାୟତା ମାଗିଥିଲେ । ଏଥିସହ ଚେନ୍‌ ଚୀନ୍‌ ଯିବାକୁ ଚାହୁଁଥିବା କହିଥିଲେ । ଏଥିପାଇଁ ଏକ ଗ୍ୟାଙ୍ଗ୍‌କୁ ଟଙ୍କା ଦେବାକୁ ପଡ଼ିବ ବୋଲି ଚେନ୍‌ ହୁ’ଙ୍କୁ କହିଥିଲେ । ଏହାକୁ ହୁ’ ଚେନ୍‌ଙ୍କ ପ୍ରେମ ବୋଲି ଭାବିବା ସହ ତାଙ୍କୁ ଆର୍ଥିକ ସହାୟତା କରିଥିଲେ । ଏପରିକି ହୁ’ ଚେନ୍‌ଙ୍କୁ ତାଙ୍କ ସ୍ୱାମୀ ବୋଲି ଭାବି ନେଇଥିଲେ । ଦୁଇଜଣ ଅନ୍‌ଲାଇନରେ କଥାବାର୍ତ୍ତା ଜାରି ରଖିଥିଲେ । ଚେନ୍‌ ଏହି ଠକେଇ କାମରେ ହୁ’ଙ୍କୁ ମଧ୍ୟ ସାମିଲ କରିଦେଇଥିଲେ । 

ପୋଲିସଗତବର୍ଷ ସେପ୍ଟେମ୍ବରରେ ହୁ’ଙ୍କୁ ଗିରଫ କରିଥିଲା । ମାମଲା ଚାଲିବା ପରେ ହୁ’ ତାଙ୍କ ଅପରାଧ ସ୍ୱୀକାର କରିଥିଲେ । ପରେ ହୁ’ ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ ଭଳି ମାନସିକ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଏହି ରୋଗରେ ପୀଡ଼ିତ ବ୍ୟକ୍ତି ସାମ୍‌ନା ଲୋକଙ୍କୁ ଅତ୍ୟଧିକ ସହାନୁଭୂତି ଦେଖାଇଥାନ୍ତି । ଏହି କାରଣରୁ ହୁ’ ପ୍ରାୟ ୧୧ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଜାଣିବା ସତ୍ତେ୍ୱ ଅଭିଯୁକ୍ତଙ୍କ କଥାକୁ ବିଶ୍ୱାସ କରି ତାଙ୍କୁ ସହାନୁଭୂତି ଦେଖାଇ ଚାଲିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.