କ୍ୟାଣ୍ଟିନ ଠିକାଦାରଙ୍କୁ କୁଟିଲେ ସିନ୍ଦେ ଗୋଷ୍ଠୀ ବିଧାୟକ, ଜାଣନ୍ତୁ କ’ଣ କହିଲେ ଫଡନବୀଶ?

Published By : Prameya-News7 Bureau | July 09, 2025 IST

ମୁମ୍ବାଇ ୯।୭: ଏକନାଥ ସିନ୍ଦେଙ୍କ ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡ ଏମଏଲଏ ଗେଷ୍ଟହାଉସ୍ କ୍ୟାଣ୍ଟିନ ଠିକାଦାରଙ୍କୁ ମାରପିଟ କରିଥିବାର ଅଭିଯୋଗ ହୋଇଛି। ଖାଦ୍ୟରେ ଖରାପ ଡାଲି ଦିଆଯାଇଥିବାରୁ ଗାୟକୱାଡ ଅସନ୍ତୁଷ୍ଟ ଥିଲେ। ମାମଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ବୁଧବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିଧାୟକ ରୂପେ ସଞ୍ଜୟ ଗାୟକୱାଡ ସବୁ ବିଧାୟକଙ୍କ ସମ୍ମାନ ହାନୀ କରିଛନ୍ତି। 

ରାଜ୍ୟ ବିଧାନପରିଷଦରେ ଫଡନବୀଶ ଏ ନେଇ କହିଛନ୍ତି ଯେ ଏପରି ବ୍ୟବହାର କେବେବି ସ୍ୱୀକାର୍ଯ୍ୟ ନୁହେଁ ଓ କାହାଲାଗି ମଧ୍ୟ ସମ୍ମାନଜନକ ନୁହେଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଧାୟକ ରୂପେ ଗାୟକୱାଡଙ୍କ କାମ ସବୁ ବିଧାୟକଙ୍କ ସମ୍ମାନକୁ ଆଞ୍ଚ ଆଣିଛି। ମୁଖ୍ୟମନ୍ତ୍ରୀ ଜନପ୍ରତିନିଧିଙ୍କ ଉତ୍ତଦାୟୀତ୍ୱ ପ୍ରତି ଗୁରୁତ୍ୱ ଦେଇଛନ୍ତି। ବୁଲଢାଣା ବିଧାୟକ ସଞ୍ଜୟ ଗାୟକୱାଡ ଏବେ ଏମଏଲଏ ଗେଷ୍ଟ ହାଉସ୍ ରେ ରହୁଛନ୍ତି। ଏଣୁ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିଲେ। ତେବେ ତାଙ୍କୁ ପରସା ଯାଇଥିବା ଖରାପ ମାନର ଖାଦ୍ୟ ଲାଗି ସେ କ୍ୟାଣ୍ଟିନ କର୍ମଚାରୀଙ୍କ ସହ ପ୍ରଥମେ ଝଗଡ଼ା କରିଥିଲେ ଓ ଲୋକଙ୍କ ସହ ମିଶି କ୍ୟାଣ୍ଟିନ କଣ୍ଟ୍ରାକ୍ଟରଙ୍କୁ ମାଡ଼ ମାରିଥିଲେ। 

ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଅନୁସାରେ ବିଧାୟକ ଓ କ୍ୟାଣ୍ଟିନ କର୍ମଚାରୀଙ୍କ ମଧ୍ୟରେ ବଚସା ବଢି ଯାଇଥିଲା, ଯାହା ଶାରୀରିକ ହିଂସାରେ ପରିଣତ ହୋଇଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାମଲାରେ ଶିବସେନା ବିଧାୟକ କହିଛନ୍ତି ଯେ ‘ସାରା ରାଜ୍ୟରୁ ଲୋକେ ଏଠାକୁ ଖାଇବାକୁ ଆସୁଛନ୍ତି, କାରଣ ଏହା ସରକାରୀ କ୍ୟାଣ୍ଟିନ। ଏଣୁ ଏଠାରେ ଖାଦ୍ୟର କ୍ୱାଲିଟି ଭଲ ହେବା ଦରକାର। ଏଣୁ ମୁଁ ଯାହା କରିଛି ସେଥି ପାଇଁ ମୋର ଅନୁଶୋଚନା ନାହିଁ’। 

ସେ କହିଛନ୍ତି ଯେ ମୁଁ ଜଣେ ଜନପ୍ରତିନିଧି। ଯେବେ କିଏ ଗଣତନ୍ତ୍ରର ଭାଷା ବୁଝି ନ ପାରେ ମୋତେ ତାକୁ ଏଇ ଭାଷାରେ ବୁଝାଇବାକୁ ପଡେ। ତେବେ କ୍ୟାଣ୍ଟିନ ଠିକାଦାର ହିନ୍ଦୀ କି ମରାଠୀ ଏହା ଦେଖି ମୁଁ  ମାଡ ମାରିନି ବୋଲି ସେ କହିଛନ୍ତି। ହେଲେ ଏ ନେଇ ସେ ଅନେକ ଥର ସମ୍ବଦ୍ଧିତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ତାଙ୍କ ଅଭିଯୋଗର କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ ବାଧ୍ୟ ହୋଇ ଝଗଡ଼ାଝାଟି କରିଛନ୍ତି। ଯଦି ଏପରି ପରିସ୍ଥିତି ଜାରି ରହେ ତେବେ ମୁଁ ଆହୁରି ଅଧିକ ମାରିବି ବୋଲି କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.