ନୂଆଦିଲ୍ଲୀ ୫।୬: ସ୍ୱର୍ଣ୍ଣାଳଙ୍କାର ବଜାରରେ ଗୁରୁବାର ରୂପା ଦର ୨ ହଜାର ଟଙ୍କା ବଢି କେଜି ପିଛା ଦର ୧ଲକ୍ଷ ୪ ହଜାର ୧୦୦ଟଙ୍କାର ଉଚ୍ଚତମ ସ୍ତରକୁ ପହଞ୍ଚି ଯାଇଛି। ମଜଭୁତ ବୈଶ୍ୱିକ ସଂକେତ ଅନୁସାରେ ସୁନା ଦରରେ ମଧ୍ୟ ୪୫୦ ବୃଦ୍ଧି ହୋଇଛି। ଅଲ ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଏହି ସୂଚନା ଦେଇଛି। ସୁନା ଓ ରୂପା ଦର ଲଗାତାର ୪ଟି ବ୍ୟବସାୟୀକ ଅଧିବେଶନରେ ମଜଭୁତ ରହିଛି।
ଏଚଡିଏଫସି ସିକ୍ୟୁରିଟିଜ ବରିଷ୍ଠ ବିଶ୍ଲେଷକ ସୌମିଲ ଗାନ୍ଧି କହିଛନ୍ତି ଯେ ଘରୋଇ ବଜାରରେ ରୂପା ଦର ସର୍ବ କାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିଛି। ଏହି ମୂଲ୍ୟ ବୃଦ୍ଧିକୁ ଉଚ୍ଚ ଔଦ୍ୟୋଗିକ ଚାହିଦା, ଇନଫ୍ଲେସନ ରିସ୍କ ଓ ସୀମିତ ବୈଶ୍ୱିକ ଯୋଗାଣ ଯୋଗୁ ବଳ ମିଳିଛି। ଏହା ପୂର୍ବରୁ ମାର୍ଚ୍ଚ ୧୯ ତାରିଖ ଦିନ ରୂପା ତାର ସର୍ବକାଳୀନ ଉଚ୍ଚତମ ସ୍ତର ୧,୦୩,୫୦୦ ଟଙ୍କାକୁ ପହଞ୍ଚିଥିଲା। ସ୍ୱର୍ଣ୍ଣାଳଙ୍କର ବ୍ୟବସାୟୀ ସଂଘ ଅନୁସାରେ ୯୯.୯% ଶୁଦ୍ଧ ସୁନା ଦର ୪୩୦ ଟଙ୍କା ବଢି ୧୦ଗ୍ରାମ ପିଛା ଦର ୯୯, ୬୯୦ ଟଙ୍କାରେ କାରବାର ହେଉଛି।
ଏଲକେପି ସିକ୍ୟୁରିଟିଜ ଉାପାଧ୍ୟକ୍ଷ ଜତିନ ତ୍ରିବେଦୀଙ୍କ ଅନୁସାରେ ଡଲାରର ଦୁର୍ବଳତା ଓ ଶୁଳ୍କକୁ ନେଇ ଅନିଶ୍ଚିତତା ତଥା ଆମେରିକା ଋଣ ଚିନ୍ତା ମଧ୍ୟରେ ସୁରକ୍ଷିତ ନିବେଶ ଚାହିଦା ବୃଦ୍ଧି ଯୋଗୁ ସୁନା ମୂଲ୍ୟରେ ପୁଣି ବୃଦ୍ଧି ଦେଖାଯାଇଛି। ବୈଶ୍ୱିକ ସ୍ତରରେ ସୁନା ଦର ପ୍ରତି ଆଉନ୍ସ ୨,୩୯୫ ଡଲାରକୁ ପହଞ୍ଚି ଯାଇଛି। ଏହି ସମୟରେ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୧୦ଗ୍ରାମ ପିଛା ସୁନା ଦର ୯୮,୪୫୦ ଟଙ୍କାରେ କାରବାର ହେଉଛି।
ତ୍ରିବେଦୀ କହିଛନ୍ତି ଯେ ବୈଶ୍ୱିକ ସ୍ତରରେ ଜାରି ଉତ୍ତେଜନା ଓ ବୈଶ୍ୱିକ ବାଣିଜ୍ୟକୁ ନେଇ ଅନିଶ୍ଚିତତା ଯୋଗୁ ସ୍ୱର୍ଣ୍ଣାଳଙ୍କାର କ୍ଷେତ୍ରରେ ଧାରଣା ସକରାତ୍ମକ ରହିଛି। ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ଆଉନ୍ସ ୨୧.୫୮ ଡଲାର ଅର୍ଥାତ ୦.୬୪ ପ୍ରତିଶତ ବଢି ୩, ୩୯୩.୯୩ ଡଲାର ପ୍ରତି ଆଉନ୍ସ ହୋଇ ଯାଇଛି। ଏହା ଛଡା ବିଦେଶୀ ବଜାରରେ ରୂପା ଦର ୪ ପ୍ରତିଶତ ବଢି ପ୍ରତି ଆଉନ୍ସ ୩୫.୮୦ ଡଲାରରେ କାରବାର ହେଉଛି।