ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଅଭିଯୋଗ ଉପରେ ନିର୍ବାଚନ ଆୟୋଗ କଠୋର ହୋଇଛନ୍ତି । ନିର୍ବାଚନ ଆୟୋଗ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି, ଆପଣଙ୍କ ଅଭିଯୋଗ ସମର୍ଥନରେ ଏକ ଘୋଷଣାପତ୍ରରେ ଦସ୍ତଖତ କରନ୍ତୁ, ନଚେତ୍ ମିଛ ଅଭିଯୋଗ ଲଗାଇବା ପାଇଁ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ତିନି ରାଜ୍ୟରେ କଥିତ ଭୋଟ ଚୋରିକୁ ନେଇ ରାହୁଲ ଗାନ୍ଧୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟ ବୟାନବାଜିର ଗୋଟିଏ ଦିନ ପରେ ପୁଣି ଏହି ବୟାନ ଆସିଛି । ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର, ହରିୟାଣା ଓ କର୍ଣ୍ଣାଟକରେ ଭୋଟ ଚୋରି ନେଇ ନିର୍ବାଚନ ଆୟୋଗଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ ରାହୁଲ ଗାନ୍ଧୀ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନିର୍ବାଚନ କମିଶନ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ଘୋଷଣାପତ୍ରରେ ଦସ୍ତଖତ କରିବାକୁ କହିଛନ୍ତି । ଯଦି ସେ ଏପରି ନକରନ୍ତି, ତେବେ ମିଛ ଅଭିଯୋଗ ପାଇଁ ଦେଶକୁ କ୍ଷମା ମାଗନ୍ତୁ । ନିର୍ବାଚନ କମିଶନ କହିଛନ୍ତି, ଯଦି ରାହୁଲ ଗାନ୍ଧୀ ତାଙ୍କ ଅଭିଯୋଗରେ ବିଶ୍ୱାସ କରନ୍ତି ଓ କମିଶନଙ୍କ ବିରୁଦ୍ଧରେ ତାଙ୍କର ଅଭିଯୋଗ ସଠିକ୍, ତେବେ ଘୋଷଣାପତ୍ରରେ ଦସ୍ତଖତ କରିବାରେ ତାଙ୍କୁ କୌଣସି ଅସୁବିଧା ହେବା କଥା ନୁହେଁ ।
ଏହା ପୂର୍ବରୁ ଶୁକ୍ରବାର ନିର୍ବାଚନ କମିଶନ ରାହୁଲଙ୍କ ଅଭିଯୋଗ ଏବଂ ଦାବି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ନିର୍ବାଚନ କମିଶନ କହିଥିଲେ ଯେ ରାହୁଲ ଗାନ୍ଧୀ ଏକ ପୁରୁଣା କାହାଣୀ ଦୋହରାଇଛନ୍ତି । ଏହା ଠିକ୍ ପୁରୁଣା ବୋତଲରେ ନୂଆ ମଦ ପରି । ନିର୍ବାଚନ କମିଶନ ଆହୁରି କହିଥିଲେ ଯେ ୨୦୧୮ରେ ତତ୍କାଳୀନ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲନାଥ ମଧ୍ୟ ସମାନ କଥା କହିଥିଲେ, ଏବେ ଲୋକସଭାରେ ବିରୋଧୀ ଦଳ ନେତା ସମାନ କଥା କହୁଛନ୍ତି ।
ଅନ୍ୟପଟେ ରାହୁଲ ଗାନ୍ଧୀ ସ୍ପଷ୍ଟ କରିଥିଲେ ଯେ ସେ କୌଣସି ଘୋଷଣାପତ୍ରରେ ସ୍ୱାକ୍ଷର କରିବେ ନାହିଁ । ସେ ସଂସଦ ସଦସ୍ୟ ଭାବରେ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଶପଥ ନେଇସାରିଛନ୍ତି । ଏହା ପୂର୍ବରୁ ଗୁରୁବାର ରାହୁଲ ଗାନ୍ଧୀ ସରକାର ଓ ନିର୍ବାଚନ କମିଶନଙ୍କ ଉପରେ ଭୋଟର ତାଲିକା ହେରଫେର ଏବଂ ଭୋଟ ଚୋରିର ଅଭିଯୋଗ ଆଣିଥିଲେ ।