ବେଙ୍ଗାଲୁରୁ ଦଳଚକଟା ଘଟଣା: ପୁଲିସ କମିଶନରଙ୍କ ସମେତ ୪ ବରିଷ୍ଠ ଅଧିକାରୀ ନିଲମ୍ବିତ

Published By : Prameya-News7 Bureau | June 05, 2025 IST

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଇଭେଣ୍ଟ ସମୟରେ ହୋଇଥିବା ଭିଡ଼ଜନିତ ମୃତ୍ୟୁ ଘଟଣାରେ କର୍ଣ୍ଣାଟକ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦ ଏବଂ ଅନ୍ୟ ଚାରି ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମୟା। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି। ନାନା ସମାଲୋଚନା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ସରକାର। 

ବୁଧବାର ଲକ୍ଷାଧିକ ଆରିସିବି ପ୍ରଶଂସକ ଆଇପିଏଲ୍ ୨୦୨୫ ଜିତିଥିବା ଦଳକୁ ସମ୍ବର୍ଦ୍ଧନା କରିବା ପାଇଁ ଏକତ୍ରିତ ହୋଇଥିଲେ। ଷ୍ଟାଡିୟମର କ୍ଷମତା ୩୦ ହଜାର ଥିବା ବେଳେ ୨ ଲକ୍ଷରୁ ଅଧିକ ପ୍ରଶଂସକ ଉପସ୍ଥିତ ଥିଲେ। ଭିତରେ ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା କରାଯାଉଥିବା ବେଳେ, ବାହାରେ ଠେଲାପେଲା ସ୍ଥିତି ଲାଗି ରହିଥିଲା। ଫଳରେ ଏତେ ବଡ଼ ଦୁଃଖଦ ଘଟଣା ଘଟି ଯାଇଛି। ଘଟଣା ପରେ ସରକାରଙ୍କ ପ୍ରତି ଅସନ୍ତୋଷ ବଢ଼ିଥିଲା। ଏତେ ବଡ଼ ଭିଡ଼କୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ଓ ଇଭେଣ୍ଟ ଆୟୋଜକମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ଏଭଳି ହୋଇଥିଲା ଅଭିଯୋଗ ହୋଇଥିଲା। 

କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧରମୈୟା କହିଛନ୍ତି ଯେ ଦଳାଚକଟା ପରେ ଅତିରିକ୍ତ ପୋଲିସ କମିଶନର, କ୍ରିକେଟ ଷ୍ଟାଡିୟମ ଇନଚାର୍ଜ, ଏସିପି, ସେଣ୍ଟ୍ରାଲ୍ ଡିସିପି, ଷ୍ଟେସନ ହାଉସ ଅଫିସର, ପୋଲିସ ହାଉସମାଷ୍ଟର ଏବଂ କ୍ୟୁବନ୍ ପାର୍କ ପୋଲିସ ଷ୍ଟେସନ ଇନଚାର୍ଜଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ଦୁଃଖଦ ଘଟଣା ପରେ ସେ କର୍ଣ୍ଣାଟକ ଡିଜିପି ଏବଂ ଆଇଜିପିଙ୍କୁ ତୁରନ୍ତ ଆରସିବି ପ୍ରତିନିଧି, ଡିଏନଏ ଇଭେଣ୍ଟ ମ୍ୟାନେଜର ଏବଂ କେଏସସିଏ ସଦସ୍ୟଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ୧୧ ଜଣଙ୍କ ଜୀବନ ଯାଇଛି। ଏବଂ ୩୭ ରୁ ଅଧିକ ଆହତ ହୋଇଛନ୍ତି ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ସେପଟେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଆରସିବି ବିରୋଧରେ ଏଫଆଇଆର୍ ରୁଜୁ ହୋଇଛି। ଏହା ବାଦ୍ ଡିଏନଏ (ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି), କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଓ ଅନ୍ୟାନଙ୍କ ବିରୋଧରେ ମଧ୍ୟ କ୍ୟୁବନ ପାର୍କ ପୋଲିସ ଷ୍ଟେସନରେ ଏଫଆଇଆର୍ ରୁଜୁ ହୋଇଛି। ଏଫ୍‌ଆଇଆର୍‌ରେ ଦଳାଚକଟା ଘଟଣାରେ ଅପରାଧିକ ଅବହେଳା କଥା କୁହାଯାଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ ଏହି ମାମଲାରେ ଧାରା ୧୦୫, ୧୨୫ (୧) (୨), ୧୩୨, ୧୨୧/୧, ୧୯୦ ଆର/ଡବ୍ଲୁ ୩(୫) ଅଧିନରେ ମାମଲା ରୁଜୁ କରାଯାଇଛି।

ସିଦ୍ଧରମୈୟା ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସରକାର ତଦନ୍ତକୁ ଅପରାଧ ତଦନ୍ତ ବିଭାଗ (CID)କୁ ହସ୍ତାନ୍ତର କରିଛନ୍ତି। ଏହି ଦୁଃଖଦ ଘଟଣାର ତଦନ୍ତ ପାଇଁ ଏକ କମିଶନ ନିଯୁକ୍ତି କରିବାକୁ ଯୋଜନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି “ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜନ୍ ମାଇକେଲ୍ ଡି'କୁହ୍ନାଙ୍କ ଦକ୍ଷ ମାର୍ଗଦର୍ଶନରେ, ଆମେ ୱାନ ମ୍ୟାନ୍ କମିଶନ ନିଯୁକ୍ତ କରିବାକୁ ଯୋଜନା କରୁଛୁ। ସମ୍ପୃକ୍ତ ସଂଗଠନର ପ୍ରତିନିଧିମାନଙ୍କୁ ସେମାନଙ୍କ ଅବହେଳା ଯୋଗୁ ଗିରଫ କରିବାକୁ ଆମେ କ୍ୟାବିନେଟରେ ନିଷ୍ପତ୍ତି ନେଇଛୁ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.