ଶୁଭମନଙ୍କ ବ୍ୟାଟିଂର ବର୍ଣ୍ଣନା ନାହିଁ, ଦ୍ୱିଶତକ ପରେ ମାରିଲେ ଶତକ; ଗାଭାସ୍କରଙ୍କ ୫୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲା

Published By : Prameya-News7 Bureau | July 05, 2025 IST

Photo Credit: AFP

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ଶୁଭମନ ଗିଲ୍‌ଙ୍କ ବ୍ୟାଟରୁ ରନ୍ ନୁହେଁ ରେକର୍ଡ ବର୍ଷା ଜାରି ରହିଛି । ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଗିଲ୍ ପୁଣି ଏକ ଶତକୀୟ ଇନିଂସ ଖେଳିଛନ୍ତି । ସେ ୧୨୯ ବଲରେ ୧୦୦ ରନ୍ ପୂରଣ କରିଛନ୍ତି । ଏହା ପୂର୍ବରୁ ଭାରତର ଷ୍ଟାର୍ ବ୍ୟାଟର ପ୍ରଥମ ଇନିଂସରେ ଦ୍ୱିଶତକ ମାରିଥିଲେ । ଏହାସହ ଶୁଭମନ ଗିଲ୍ ଗୋଟିଏ ମ୍ୟାଚ୍‌ରେ ଦ୍ୱିଶତକ ଓ ଶତକ ମାରିବାରେ ଦୁନିଆର ନବମ ବ୍ୟାଟର ହୋଇଛନ୍ତି । ସୁନୀଲ ଗାଭାସ୍କରଙ୍କ ପରେ ଏହି କୀର୍ତ୍ତିମାନ କରିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି । ମୋଟ ଉପରେ ଏହା ଶୁଭମନଙ୍କ ଟେଷ୍ଟ କ୍ୟାରିୟରର ୮ ଶତକ । 

ଭାରତର କିମ୍ୱଦନ୍ତି ଖେଳାଳି ସୁନୀଲ ଗାଭାସ୍କର ୧୯୭୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୋଟିଏ ମ୍ୟାଚ୍‌ରେ ଶତକ ଓ ଦ୍ୱିଶତକ ମାରିଥିଲେ । ସେ ପ୍ରଥମ ପାଳିରେ ୧୨୪ ଓ ଦ୍ୱିତୀୟ ପାଳିରେ ୨୨୦ ରନ୍ କରିଥିଲେ । ଶୁଭମନ ଗିଲ୍ ୫୪ ବର୍ଷ ପରେ ଗୋଟିଏ ମ୍ୟାଚ୍‌ରେ ଦ୍ୱିଶତକ ଓ ଶତକ ହାସଲ କରିବାରେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି । ଗିଲ୍ ପ୍ରଥମ ଇନିଂସରେ ୨୬୯ ଓ ଦ୍ୱିତୀୟ ଇନିଂସରେ ଖବର ଲେଖାଯିବା ସୁଦ୍ଧା ଶତକ ପୂରଣ କରି ଅପରାଜିତ ଅଛନ୍ତି ।

ଶୁଭମନ ଗିଲ୍ ଗୋଟିଏ ଟେଷ୍ଟରେ ସବୁଠୁ ଅଧିକ ରନ୍ କରିବା ବ୍ୟାଟର ହୋଇଛନ୍ତି । ଏହି ମାମଲାରେ ସେ ଗାଭାସ୍କରଙ୍କୁ ପଛରେ ପକାଇଛନ୍ତି । ଗାଭାସ୍କର ୧୯୭୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୪୪ ରନ୍ କରିଥିଲେ । ଶୁଭମନ ଗିଲ୍ ୩୬୯ ରନ୍ ସହ ଅପରାଜିତ ଅଛନ୍ତି । ଭିଭିଏସ୍ ଲକ୍ଷ୍ମଣ ୨୦୧୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୪୦ ରନ୍ କରିଥିଲେ । ସୌରଭ ଗାଙ୍ଗୁଲି ପାକିସ୍ତାନ ବିପକ୍ଷରେ ୨୦୦୭ରେ ଗୋଟିଏ ଟେଷ୍ଟରେ ୩୩୦ ରନ୍ କରିଥିଲେ ।

ଶୁଭମନ ଗିଲ୍ ଏସିଆ ବାହାରେ କୌଣସି ଟେଷ୍ଟ ମ୍ୟାଚରେ ୩୫୦ରୁ ଅଧିକ ରନ୍ କରିବାରେ ଦ୍ୱିତୀୟ ଏସୀୟ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ହନିଫ୍ ମହମ୍ମଦ ୧୯୫୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ବ୍ରିଜଟାଉନ ଟେଷ୍ଟରେ ମୋଟ ୩୫୪ ରନ୍ କରିଥିଲେ । ଗିଲ୍ SENA (ସାଉଥ୍ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ)ରେ କୌଣସି ଟେଷ୍ଟରେ ୩୦୦ରୁ ଅଧିକ ରନ୍ କରିବାରେ ତୃତୀୟ ଏସୀୟ ବ୍ୟାଟର ହୋଇଛନ୍ତି । ତାଙ୍କ ପୂର୍ବରୁ ରାହୁଲ ଦ୍ରାବିଡ଼ (୩୦୫) ଓ ସଚିନ ତେନ୍ଦୁଲକର (୩୦୧) ଅଷ୍ଟ୍ରେଲିଆରେ ଏପରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.