ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅନ୍ତରୀକ୍ଷ ଷ୍ଟେସନ(ଆଇଏସଏସ)କୁ ଯାଉଥିବା ଦ୍ଵିତୀୟ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ଐତିହାସିକ ଉଡ଼ାଣ ସ୍ଥଗିତ ରହିଛି। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ) ସୋମବାର ଏହି ସୂଚନା ଦେଇଛି। ଇସ୍ରୋ ଅନୁଯାୟୀ, ଖରାପ ପାଣିପାଗ କାରଣରୁ Axiom-4(Ax-4) ମିଶନର ଲଞ୍ଚିଂ ଜୁନ ୧୦ ତାରିଖ ପରିବର୍ତ୍ତେ ଜୁନ ୧୧ ସନ୍ଧ୍ୟା ୫ଟା ୩୦ ସ୍ଥିର କରାଯାଇଛି। ଇସ୍ରୋ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛି।
ଭାରତର ଅନ୍ତରୀକ୍ଷ ଯାତ୍ରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଏହି ମିଶନ ସହିତ ଭାରତ ପାଇଁ ଅନ୍ତରୀକ୍ଷ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ କରିବାକୁ ଯାଉଛନ୍ତି। ତିନି ଅନ୍ୟ କ୍ରୁ ସଦସ୍ୟଙ୍କ ସହିତ ସ୍ପେଶ ମିଶନରେ ଜୁନ ୧୧ରେ ମହାକାଶ ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ। ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଯିବାରେ ଶୁଭାଂଶୁ ଶୁକ୍ଳା ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି। ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ମହାକାଶକୁ ଯାତ୍ରା କରିବାର ଚାରି ଦଶନ୍ଧି ପରେ ଶୁଭାଂଶୁ ଶୁକ୍ଳା ଏହି ଯାତ୍ରା କରିବାକୁ ଯାଉଛନ୍ତି। ରାକେଶ ଶର୍ମା ରୁଷର ସୋୟୁଜ ଅନ୍ତରୀକ୍ଷଯାନରୁ ମହାକାଶ ଯାତ୍ରା କରିଥିଲେ।
Also read: ଭାରତ ପହଞ୍ଚିଲା ବିଶ୍ୱର ସର୍ବ ବୃହତ କଣ୍ଟୈନର ଜାହାଜ MSC Irna, ଜଳ ସଲାମୀରେ କରାଗଲା ସ୍ୱାଗତ
ଶୁଭାଂଶୁ ଶୁକ୍ଳା ସ୍ପେସ ଏକ୍ସର ଫାଲକନ ଫାଲକନ-୯ ରକେଟ୍ରେ ଉଡ଼ାଣ ଭରିବେ। ଏହା ଆମେରିକାର ଫ୍ଲୋରିଡ଼ା ସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ପ୍ରକ୍ଷେପିତ କରାଯିବ। ଏହି ମିଶନରେ ତାଙ୍କ ସହ ପେଗି ହ୍ଵିଟସନ(କମାଣ୍ଡର, ଆମେରିକା), ଟିଗୋର କାପୁ(ହଙ୍ଗେରୀ) ଓ ସ୍ଲାଭୋତ୍ସ ଉଜନାସ୍କି ଭିସ୍ନିଏଭସ୍କି(ପୋଲାଣ୍ଡ) ଯାତ୍ରା କରିବେ। Axiom-4 ମିଶନରେ ଏହି ଦଳ ୧୪ ଦିନ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ରହିବେ। ସେଠାରେ ସେ କେବଳ ବିଜ୍ଞାନ ସଂପର୍କିତ ଅନେକ ପ୍ରୟୋଗ କରିବେ ନାହିଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍କୁଲ ଛାତ୍ର-ଛାତ୍ରୀ ଓ ସ୍ପେସ ଇଣ୍ଡଷ୍ଟ୍ରୀର ବିଶେଷଜ୍ଞଙ୍କ ସହିତ ସିଧାସଳଖ କଥାବାର୍ତ୍ତା ହେବେ।
କେନ୍ଦ୍ର ବିଜ୍ଞାନ ଏବଂ ପ୍ରଦୌଗିକି ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଏହି ମିଶନକୁ ନେଇ କହିଛନ୍ତି, ଏହା ଭାରତର ଅନ୍ତରୀକ୍ଷ ମିଶନକୁ ବୈଶ୍ଵିକ ସ୍ଵୀକୃତି ଦେଇଛି। ବିକ୍ରମ ସାରାଭାଇ ଓ ସତୀଶ ଧାଓ୍ଵନଙ୍କ ପରି ସଂସ୍ଥାପକଙ୍କୁ ଏହା ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ। ଶୁଭାଂଶୁ କୁଳ୍କା ଏହି ମିଶନରେ ଇସ୍ରୋ ଓ ଜୈବ ପ୍ରଦୌଗିକି ବିଭାଗ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ଓ ପୋଷଣ ସଂପର୍କିତ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ କରିବେ। ଏହି ଗବେଷଣାରେ ନାସା ସହଯୋଗ କରୁଛି।