ତିରୁଅବନ୍ତିପୁରମ ୯।୬: ବିଶ୍ୱର ସର୍ବ ବୃହତ କଣ୍ଟୈନର ଜାହାଜ ଏମଏସସି ଇରନା ସୋମବାର କେରଳ ଉପକୂଳର ଭିଜିନଜାମ ଅନ୍ତର୍ଜାତୀୟ ବନ୍ଦରରେ ଲାଗିଛି। ଦକ୍ଷିଣ ଏସିୟାର କୌଣସି ବନ୍ଦରକୁ ଏହି ଜାହାଜ ଆସିବା ପ୍ରଥମ ଘଟଣା ଓ ଏହାର ଭାରତ ଆଗମନକୁ ବୈଶ୍ୱିକ ଲଜିଷ୍ଟିକ ନେଟୱାର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେ କରାଯାଉଛି। ଏମଏସସି ଇରନା ସୋମବାର ପୂର୍ବାହ୍ନ ୮ଟା ବେଳେ ବନ୍ଦରକୁ ପ୍ରବେଶ କରିଛି। ପୋତକୁ ପାରମ୍ପରିକ ଜଳ ସଲାମୀରେ ସ୍ୱାଗତ କରାଯାଇଛି। ଏହା ଭାରତର ସାମୁଦ୍ରିକ ଆତିଥ୍ୟର ଏକ ସଂସ୍କୃତିକ ପ୍ରତୀକ।
ଏହି ଜାହାଜର ଆଗମନ ଭିଜିନଜାମର ଗଭୀର ବନ୍ଦର ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ଏବେ ବିଚାର କରାଯାଉଛି। ଏହା ସେହି ବନ୍ଦର ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ମେ ୨୦୨୫ରେ ଉଦଘାଟନ କରିଥିଲେ। ଏହି ବିଶାଳ ଜାହାଜକୁ ବନ୍ଦରରେ ନିୟନ୍ତ୍ରଣ କରିବା ପୋର୍ଟର ଉଚ୍ଚକ୍ଷମତା ଓ ଆଧୁନିକ ସୁବିଧାକୁ ଦର୍ଶାଉଛି। ଏମଏସସି ଇରନାର ବହନ କ୍ଷମତା ୨୪,୩୪୬ ଟିୟୁ( ଟ୍ୱେଣ୍ଟିଫୁଟ ଇକ୍ୱାଭାଲେଣ୍ଟ ୟୁନିଟସ୍) ଏହା ୩୯୯.୯ ମିଟର ଲମ୍ବା ହୋଇଥିବା ବେଳେ ୬୧.୩ ମିଟର ଚୌଡାର।
ଏହି ଜାହାଜକୁ ଫିଫା ପାଇଁ ଏକ ମାନକ ଫୁଟବଲ ଗ୍ରାଉଣ୍ଡ ଭଳି ୪ ଗୁଣା ଲମ୍ବା ଓ ଏସିୟା ଏବଂ ୟୁରୋପ ମଧ୍ୟରେ ଭାରି ମାତ୍ରାରେ କଣ୍ଟୈନର ପରିବହନ ନିମନ୍ତେ ଏହାକୁ ଡିଜାଇନ କରାଯାଇଛି। ଆଦାନୀ ପୋର୍ଟ ଆଣ୍ଡ ଏସଇଜେଡ ଲିମିଟେଡର ପରିଚାଳନା ନିର୍ଦେଶକ କରଣ ଆଦାନୀ ଏ ନେଇ ଏକ୍ସରେ ଏକ ପୋଷ୍ଟ କରିଥିବା ବେଳେ ‘ବିଶ୍ୱର ସବୁଠୁ ବଡ଼ କଣ୍ଟୈନର ଜାହାଜ ଏମଏସସି ଇରନାକୁ ଭିଜିନଜାମ ବନ୍ଦରରେ ସ୍ୱାଗତ କରି ନିଜକୁ ଗର୍ବିତ ଅନୁଭବ କରୁଛି’ ବୋଲି ଉଲ୍ଲେଖ କରିଛନ୍ତି।
ଏମଏସସି ଇରନାର ଏହି ଆଗମନରୁ ସ୍ପଷ୍ଟ ହେଉଛି ଯେ ବୈଶ୍ୱିକ ସମୁଦ୍ର ବ୍ୟାପାର ନକ୍ସାରେ ଭାରତ ଏକ ପ୍ରମୁଖ ସ୍ଥାନ ନେବାକୁ ଯାଉଛି। ଏପରି ବିଶାଳ କଣ୍ଟୈନର ଜାହାଜଙ୍କୁ ବନ୍ଦରରେ ସମ୍ଭାଳିବା କ୍ଷମତା ଭାରତର ଟ୍ରାନ୍ସ ସିପମେଣ୍ଟ ଓ କଣ୍ଟୈନର ଲଜିଷ୍ଟିକରେ ଏକ ମଜଭୁତ ବିକଳ୍ପ ଭାବେ ଉପସ୍ଥାପିତ କରୁଛି। ଏମଏସସି ଇରନାର ଆଗମନ କେବଳ ଏକ ଜାହାଜର ଆସିବା ଘଟଣା ନୁହେଁ ବରଂ ଭାରତର ସାମୁଦ୍ରିକ କ୍ଷମତା, ଲଜିଷ୍ଟିକ୍ ନେଟୱାର୍କ ଓ ବୈଶ୍ୱିକ ବ୍ୟାପାରରେ ଭୂମିକା ସ୍ପଷ୍ଟ କରୁଛି। ସେହିପରି ଭିଜିନଜାମ ବନ୍ଦର ଦେଶର ଏକ ନୂଆ ପୋର୍ଟ ନୁହେଁ ବରଂ ଦକ୍ଷିଣ ଏସିୟାର ଗେଟୱେ ହେବା ପାଇଁ ଦ୍ରୁତ ଅଗ୍ରସର ହେଉଛି।