ନୂଆଦିଲ୍ଲୀ ୧୨।୦୬: ବେଶ୍ ଚର୍ଚ୍ଚାରେ ମେଘାଳୟର ହନିମୁନ୍ ହତ୍ୟା । ଦିନକୁ ଦିନ ନେଉଛି ନୂଆ ଟ୍ବିଷ୍ଟ । ସ୍ୱାମୀଙ୍କୁ ହତ୍ୟା କରି ଗିରଫ ହୋଇଛନ୍ତି ସୋନମ୍ । ପ୍ରେମିକ ସଙ୍ଗେ ରହିବାକୁ ସ୍ବାମୀକୁ ସୁପାରି ଦେଇ ହତ୍ୟା କରି ବଢିଆ ନାଟକ କରିଥିଲେ ସୋନମ । କିନ୍ତୁ ଧରା ପଡିଗଲେ । ଆଉ ଏବେ ଚର୍ଚ୍ଚାରେ ସୋନମ୍ଙ୍କ ସଇତାନୀ ବିଶ୍ବାସ ଘାତକତା । ଯାହା ମନେ ପକାଇ ଦେଇଛି ୨୨ ବର୍ଷ ତଳର ଘଟଣା । ସେବେ ଶୋଭା ଆଉ ଏବେ ସୋନମ । କିନ୍ତୁ ଦୁହିଁଙ୍କର ସଇତାନୀ ବୁଦ୍ଧି ସମାନ । ଖୁନୀ ଯୁବତୀଙ୍କ ବିଭତ୍ସ କାରନାମା । ଉଭୟ ଜୀବନସାଥୀଙ୍କୁ କରିଛନ୍ତି ହତ୍ୟା ।
୨୦୦୩ ପରେ ୨୦୨୫ । କିନ୍ତୁ ୨୦୦୩ର ଖଳନାୟୀକା ଶୁଭା ଶଙ୍କରନାରାୟଣ । କର୍ଣ୍ଣାଟକର ବାସିନ୍ଦା । ସେ ଥିଲେ ଜଣେ ଆଇନ୍ ଛାତ୍ରୀ । ୨୦୦୩ ବେଳକୁ ତାଙ୍କୁ ହୋଇଥିଲା ୨୧ ବର୍ଷ ବୟସ । ତାଙ୍କର ଭାବି ସ୍ବାମୀ ବିବି ଗିରିଶ । ବୟସ ୨୭ ବର୍ଷ । ସେ ସଫ୍ଟଓୟାର ଇଞ୍ଜିନିୟର ଥିଲେ । ଶୁଭା ନିଜ ପ୍ରେମିକ ସହ ମିଶି ନିର୍ବନ୍ଧ ପରେ ଭାବି ସ୍ବାମୀଙ୍କୁ କରିଥିଲେ ହତ୍ୟା । ମାରପିଟ୍ରେ ଗଭୀର ଆହାତ ହୋଇ ଚିକିତ୍ସା ଲାଗି ଆସିଥିବା ଗିରିଶଙ୍କର ସେତେବେଳେ ହସ୍ପିଟାଲରେ ହୋଇଥିଲା ମୃତ୍ୟୁ । ଶୁଭା ଏବଂ ଗିରିଶଙ୍କ ନିର୍ବନ୍ଧ ହୋଇସାରିଥିଲା । ଆଉ ସେତେବେଳେ ଗିରିଶଙ୍କର ଦରମା ଥିଲା ମାସିକ ୧ଲକ୍ଷ । ଗିରିଶ ବହୁତ ଶାନ୍ତ ସ୍ବଭାବର ଥିଲେ । ଉଭୟଙ୍କ ବିବାହ ୨୦୦୪ରେ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ନିର୍ବନ୍ଧର ୩ ଦିନ ପରେ ଅର୍ଥାତ୍ ୩୦ ନଭେମ୍ବର ୨୦୦୩ରେ ଗିରିଶଙ୍କୁ କରାଯାଇଥିଲା ହତ୍ୟା । ଯାହାର ପ୍ଲାନିଂ କରିଥିଲେ ଶୁଭା ।
ଶୁଭାଙ୍କ ପ୍ଲାନିଂ ଥିଲା ଜବରଦସ୍ତ । ଗିରିଶଙ୍କୁ ଡିନର ପାଇଁ ରେଷ୍ଟୁରାଣ୍ଟକୁ ଯିବାକୁ କହିଥିଲେ ଶୁଭା। ସେଠାରୁ ଫେରିବା ସମୟରେ ଶୁଭା HAL ବିମାନବନ୍ଦର ନିକଟରେ ବିମାନ ଉଡାଣ ଦେଖିବାକୁ ଇଚ୍ଛା କରିଥିଲେ । ଯେତେବେଳେ ଉଭୟ ସେଠାରେ ପହଞ୍ଚିଲେ, ସେତେବେଳେ କିଛି ଯୁବକ ଆସି ଗିରିଶଙ୍କୁ ମାରପିଟ କରିଥିଲେ । ଆଉ ଶୁଭା ନିଜକୁ ନିର୍ଦ୍ଦୋଷ ଦେଖାଇ ସାହାଯ୍ୟ ପାଇଁ ଚିତ୍କାର କରିବା ଆରମ୍ଭ କରିଥିଲେ । ଆକ୍ରମଣରେ କିନ୍ତୁ ଗୁରୁତର ଆହତ ହୋଇଥିଲେ ଗିରିଶ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତା ପରଦିନ ହିଁ ତାଙ୍କର ହୋଇଥିଲା ମୃତ୍ୟୁ ।
ଗିରିଶଙ୍କ ପରିବାର ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଯାଞ୍ଚ ସମୟରେ ପ୍ରଥମେ ସେଭଳି କିଛି ଠୋସ୍ ତଥ୍ୟ ପାଇନଥିଲା । ପୋଲିସ ନିର୍ବନ୍ଧର ଭିଡିଓ ଦେଖିଥିଲେ, ଯେଉଁଠାରୁ ଶୁଭାଙ୍କ ଉପରେ ସନ୍ଦେହ ହୋଇଥିଲା । କାରଣ ନିର୍ବନ୍ଧରେ ଖୁସି ନଥିଲେ ଶୁଭା । ଆଉ ଯାଞ୍ଚ ସମୟରେ ଜଣାପଡିଥିଲା କି ଶୁଭା ଘଟଣା ଦିନ ଅରୁଣ ବର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ୭୩ଥର କଲ୍ ଏବଂ ମେସେଜ୍ ପଠାଇଥିଲେ ।
ଏହାପରେ ପୋଲିସର ବଢିଥିଲା ସନ୍ଦେହ । ଅରୁଣ କଲେଜ୍ରେ ଶୁଭାଙ୍କ ଜୁନିଅର ଥିଲେ । ପୋଲିସ ଅରୁଣଙ୍କ ବିଷୟରେ ଖବର ନେଇଥିଲେ । ଫୋନ୍ ଲୋକେସନ୍ରୁ ଜଣାପଡିଲା ଯେ, ଗିରିଶଙ୍କୁ ଆକ୍ରମଣ ଦିନ ଅରୁଣ ସେହି ସ୍ଥାନରେ ଉପସ୍ଥିତ ଥିଲେ । ପୋଲିସ ଶୁଭା ଏବଂ ଅରୁଣଙ୍କୁ ପଚରାଉଚରା କରିଥିଲା । ପ୍ରଥମେ ମାନିନଥିଲେ ସେ ଦୁହେଁ । କିନ୍ତୁ ପୋଲିସ୍ର ପ୍ରଶ୍ନରେ ଘାବରେଇ ସେମାନେ ଗିରିଶଙ୍କୁ ହତ୍ୟା କରିଥିବା ମାନି ଯାଇଥିଲେ ।
ଜଣାପଡିଲା ଯେ ଶୁଭା ଅରୁଣଙ୍କୁ ପ୍ରେମ କରୁଥିଲେ ଏବଂ ଶୁଭାଙ୍କ ବାପା ସେହି ପ୍ରେମ ସମ୍ପର୍କ ବିରୋଧରେ ଥିଲେ । ସେ ଶୁଭାଙ୍କ ବିବାହ ଗିରିଶଙ୍କ ସହ ସ୍ଥିର କରିଥିଲେ ଆଉ ନିର୍ବନ୍ଧ ବି କରିଦେଇଥିଲେ । ଏଥିରେ ରାଜି ନଥିବା ଶୁଭା ତାଙ୍କ ପ୍ରେମିକ ଅରୁଣଙ୍କ ସହ ମିଶି ଗିରିଶଙ୍କୁ ରାସ୍ତାରୁ ହଟାଇବାକୁ କରିଥିଲେ ଏକ ଭୟଙ୍କର ପ୍ଲାନ । ଗିରିଶଙ୍କୁ ହତ୍ୟା କରିବା ପାଇଁ ଦୁଇଜଣଙ୍କୁ ସୁପାରୀ ଦେଇଥିଲେ ଶୁଭା ଓ ଅରୁଣ । ଏହି ଘଟଣାର ପର୍ଦ୍ଦାଫାସ ହୋଇଥିଲା ଏବଂ ସମସ୍ତ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ କୋର୍ଟ ।
ଏବେ ୨୨ ବର୍ଷ ପରେ ସୋନମ । ତେବେ ପାଦେ ଆଗରେ । ସେ ମଧ୍ୟ ରାଜାଙ୍କୁ ବିବାହ କରିବାକୁ ରାଜି ନଥିଲେ । ପରିବାରକୁ ବି ଜଣାଇଥିଲେ । ତଥାପି ସୋନମଙ୍କ ପରିବାର ରାଜା ରଘୁବଂଶୀଙ୍କ ସହ ତାଙ୍କର ବିବାହ କରାଇଥିଲେ । ଆଉ ଏପଟେ ପ୍ରେମିକ ରାଜ୍ ସହ ମିଶି ସୋନମ କରିଥିଲେ ହତ୍ୟା ଷଡଯନ୍ତ୍ର । ହନିମୁନରେ ଯାଇ ହତ୍ୟା । ୨୦ ଲକ୍ଷ ସୁପାରୀ । ସୋନମ ୧୧ ମଇରେ ଇନ୍ଦୋରରେ ବିବାହ କରିଥିଲେ। ଏହାପରେ ଉଭୟ ୨୦ ମେ’ରେ ହନିମୁନ ପାଇଁ ଶିଲଂ ଯାଇଥିଲେ । ୨୩ ମେ’ରେ ଉଭୟ ନିଖୋଜ ହୋଇଯାଇଥିଲେ ।
ଉଭୟଙ୍କୁ ବହୁତ ଖୋଜାଖୋଜି କରିବା ପରେ, ଜୁନ୍ ୨ ତାରିଖରେ ରାଜାଙ୍କ ମୃତଦେହ ମିଳିଥିଲା । ଯେତେବେଳେ ସୋନମ୍ ନିଖୋଜ ଥିଲେ । ସୋନମଙ୍କ ମୃତଦେହ ନମିଳିବା ପରେ ତାଙ୍କ ଉପରେ ସନ୍ଦେହ ବଢ଼ିଥିଲା। ଏହି ସମୟରେ ସୋନମଙ୍କୁ ହଠାତ୍ ଗାଜିପୁରର ଏକ ଢାବାରେ ଦେଖିବାକୁ ମିଳିଥିଲା । ଏହାପରେ ଗାଜିପୁର ପୋଲିସ ତାଙ୍କୁ ଗିରଫ କରି ଶିଲଂ ପୋଲିସକୁ ହସ୍ତାନ୍ତର କରିଥିଲା । ଏବେ ପିକ୍ଚର କ୍ଲିୟର । ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଛନ୍ତି । ଆଉ ସମସ୍ତ ଅଭିଯୁକ୍ତ ହୋଇଛନ୍ତି ଗିରଫ ।