LIVE TV

ଏକ୍ସପର୍ଟଙ୍କ ବଡ଼ ଦାବି, ଭାଙ୍ଗିଛି ଭାରତ-ଆମେରିକା ରଣନୈତିକ ସମ୍ପର୍କ, ଜାଣିସୁଣି ଏପରି କରିଛନ୍ତି ଟ୍ରମ୍ପ

NEWS7
shreyas-talpade-for-alleged-fraud-of-rs-9-crore

ନୂଆଦିଲ୍ଲୀ ୩୧।୧୦:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ଲାଗୁ ଟାରିଫ (ଆମଦାନୀ ଶୁଳ୍କ)ରେ ୧୦% ହ୍ରାସ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପରେ ଅନ୍ତର୍ଜାତୀୟ ମଞ୍ଚରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି, ଖାସ କରି ଭାରତ-ଆମେରିକା ସମ୍ପର୍କକୁ ନେଇ ଏବେ ଏହି ଚର୍ଚ୍ଚା ହେଉଛି। ରଣନୈତିକ ବ୍ୟାପାର ବିଶେଷଜ୍ଞ ସୁଶାନ୍ତ ସରୀନ ଏହି ପଦକ୍ଷେପକୁ ନେଇ ତାଙ୍କର କଡ଼ା ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଭାରତ-ଆମେରିକା ମଧ୍ୟରେ ରଣନୈତିକ ଭାଗିଦାରୀ ସମାପ୍ତ ହୋଇ ସାରିଛି।

ସୁଶାନ୍ତ ସରୀନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି ‘ଭାରତ-ଆମେରିକା ସମ୍ବଦ୍ଧ ସମାପ୍ତ ହୋଇଯାଇଛି ଏହି ସତ୍ୟତା ସ୍ୱୀକାର କରିବାକୁ ଆମକୁ କେତେ ସମୟ ଲାଗିବ? ଆମେ ଟ୍ରମ୍ପଙ୍କ ମିଛ ପ୍ରଶଂସା ଓ ଅତିଶୋୟକ୍ତିରେ ଏତେ ମାତ୍ରାରେ ଭଳି ଯାଇଛେ ଯେ ଆମେ ଭୁଲି ଯାଇଛେ ଆମେରିକା ଓ ଆମର ସମ୍ପର୍କ ଆଉ ନାହିଁ। ହୋଇପାରେ ଆମେ ଆର୍ଥିକ ସମ୍ବଦ୍ଧର କିଛି ଅଂଶକୁ ବଞ୍ଚାଇ ଦେଇ ପାରିବା । ହେଲେ ଏହା ହିଁ ସବୁଠୁ ଭଲ ସ୍ଥିତି। ନଚେତ ଆମେ ଯଦି ଭାବୁଥାଏ ଏହି ସମ୍ପର୍କ ବର୍ଷକ ପୂର୍ବସ୍ଥିତିକୁ ପୁଣି ଫେରିଯିବ, ତେବେ ଆମେ ନିଜକୁ ନିଜେ ଧୋକା ଦେଉଛେ। ଟ୍ରମ୍ପ ଜାଣିଶୁଣି ଓ ବୁଝି ବିଚାରି ଏହି ସମ୍ପର୍କ କୁ ତୁଟାଇ ଦେଇଛନ୍ତି। ଏହାକୁ ନେଇ ବିଳାପ କରିବା ବଦଳେ ଆସନ୍ତୁ ଆଗକୁ ବଢିବା’।

ସରୀନଙ୍କ ଏହି ଟିପ୍ପଣୀ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ଦକ୍ଷିଣ କୋରିଆର ବୁସାନରେ ହୋଇଛି। ଏହି ବୈଠକରେ ଦୁଇ ଦେଶ ବାଣିଜ୍ୟିକ ଉତ୍ତେଜନା ହ୍ରାସ କରିବା ଓ ରେୟାରଆର୍ଥ ମିନେରାଲ ରପ୍ତାନୀକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରିଛନ୍ତି। ଏହି ସାକ୍ଷାତ ଆଲୋଚନା ପରେ ଆମେରିକା ଚୀନରୁ ଆସୁଥିବା ସାମଗ୍ରୀ ଉପରେ ଟାରିଫ ୫୭%ରୁ ହ୍ରାସ କରି ୪୭%  କରିଦେଇଛି। ଅର୍ଥାତ ୧୦% ହ୍ରାସ ହୋଇଛି। ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ଟେକ୍ନୋଲଜି ଓ ଡିଫେନ୍ସ କମ୍ପାନୀମାନେ ରେୟାରଆର୍ଥ ଏଲିମେଣ୍ଟ ସପ୍ଲାଇ ଚେନ୍ ରେ ଆସୁଥିବା ବ୍ୟବଧାନକୁ ନେଇ ଚିନ୍ତିତ ଥିଲେ। ଏବେ ଏହି ବୁଝାମଣା ସେମାନଙ୍କୁ ଆଶ୍ୱସ୍ତ କରିବ।

ଟ୍ରମ୍ପ ବୈଠକ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏଥିରେ ସେ କହିଥିଲେ ଯେ ‘ମୁଁ ଏହା କହୁ ନାହିଁ ସବୁ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି, ହେଲେ ଆମେ କେତେକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁରେ ସହମତ  ହୋଇଛୁ। ଏଥିରେ ଫେଣ୍ଟାଇଲ (ନିଶାରେ ବ୍ୟବହାର ହେଉଥିବା ରସାୟନିକ ପଦାର୍ଥ)ରେ ସହଯୋଗ, ପୁଣି ସୋୟାବିନ କ୍ରୟ ଆରମ୍ଭ ଓ ରେୟାରଆର୍ଥ ଏକ୍ସପୋର୍ଟ ଉପରେ ସହମତି ସାମିଲ ରହିଛି’।ତେବେ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଅନୁସାରେ ଟ୍ରମ୍ପଙ୍କ ଏହି ପଦକ୍ଷେପ ଭାରତ ଲାଗି ଚିନ୍ତାର କାରଣ ହୋଇପାରେ।

ଚୀନ୍ ସହିତ ବ୍ୟବସାୟୀକ ସମ୍ପର୍କରେ ନରମ ପ୍ରଦର୍ଶନ ଭାରତ ଲାଗି ଆମେରିକା ସହିତ ରଣନୈତିକ ସମୀକରଣ ଦୁର୍ବଳ କରିପାରେ। ଏହାକୁ ନେଇ ସରୀନ କହିଛନ୍ତି ଯେ ଟ୍ରମ୍ପ ଜାଣି ଶୁଣି ଭାରତକୁ ରଣନୈତିକ ଭାଗିଦାରୀରୁ ବାହାର କରିଦେଇଛନ୍ତି ଓ ଏବେ ଏହି ସମ୍ପର୍କ କେବଳ ବ୍ୟବସାୟୀକ ସ୍ତର ପର୍ଯ୍ୟନ୍ତ ସୀମିତ ହୋଇଯିବ।