Live Live
LIVE

ଚୀନ ଠାରୁ ବୁଦ୍ଧି ଶିଖିବା ପରେ ଭାରତକୁ ଡରୁଛି କି ଆମେରିକା ? ଚିନ୍ତା ବ୍ୟକ୍ତ କଲେ ଟ୍ରମ୍ପଙ୍କ ମନ୍ତ୍ରୀ; ଭୟ ପଛର କାରଣ କ'ଣ?

NEWS7
shree-mandir-servitor-attack-journalists

ନୂଆଦିଲ୍ଲୀଚୀନ ଠାରୁ ଉଚିତ ଶିକ୍ଷା ମିଳିବା ପରେ ଏବେ ଭାରତ ପ୍ରତି ଆମେରିକାର ପ୍ରବଳ ଭୟ। କାରଣ ଭାରତ ଏବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ଭାରତର ଅର୍ଥନୀତି ଏବେ ଜର୍ମାନୀକୁ ଟପିବ ଉପରେ ରହିଛି। ଆଉଏଇଟା ହିଁ ଆମେରିକା ଆଖିରେ କଣ୍ଟା ହେଇ ଫୋଡ଼ି ହେଉଛି। ତେଣୁ ଭାରତ ଯେମିତି ଆମେରିକା ଅର୍ଥନୀତିକୁ ଟକ୍କର ନ ଦେଉ ସେଥିପାଇଁ ଗୋଡ଼ ଟାଣିବା କାମରେ ଜୋରସୋରରେ ଲାଗିପଡ଼ିଛି ଆମେରିକା। ଆଉ ଏହା ଲୁଚି ଛପି ନୁହେଁ, ବରଂ ଭାରତ ସାମ୍ନାରେ କରୁଛି। ଆମେରିକାର ଉପ-ବୈଦେଶ ମନ୍ତ୍ରୀ କ୍ରିଷ୍ଟୋଫର ଲାଣ୍ଡାଉ, କହିଛନ୍ତି,୨୦ ବର୍ଷ ତଳେ ଆମେରିକା ଚୀନକୁ ଯେଉଁ ସୁବିଧା ଦେଇ ଭୁଲ୍ କରିଥିଲା, ଭାରତ ସହ ସେହି ଭୁଲ ଆଉ ଦୋହରାଇବନି। ଭାରତକୁ ତୃତୀୟ ସାମୂକ୍ଷ୍ୟ କରି ଛିଡ଼ା କରାଇ ଦେବନି। ତେବେ ଭାରତ ପ୍ରତି ଆମେରିକାର ଏତେ ଭୟ କାହିଁକି ପଢ଼ନ୍ତୁ ରିପୋର୍ଟ।

ମାର୍ଚ୍ଚ ୫ ତାରିଖରେ ଭାରତର ବାର୍ଷିକ ଭୂରାଜନୀତି ଶିଖର ସମ୍ମିଳନୀ, ରାଇସିନା ଡାଏଲଗରେ ଯୋଗ ଦେଇ ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଆମେରିକା ଉପବୈଦେଶିକ ମନ୍ତ୍ରୀ କ୍ରିଷ୍ଟୋଫର ଲାଣ୍ଡାଉ। ଦୀର୍ଘ ଦୁଇ ଦଶନ୍ଧୀ ତଳେ ଆମେରିକା ଚୀନକୁ ଯେଉଁଭଳି ଆର୍ଥିକ ସୁବିଧା ଦେଇ ଏବେ ପସ୍ତାଉଛି, ଭାରତକୁ କିନ୍ତୁ ଆଉ ସେଭଳି ସୁବିଧା ଦିଆଯିବ ନାହିଁ। ଏମିତିକି ଯଦି ଭାରତୀୟ ଛାତ୍ରଛାତ୍ରୀ ଆମେରିକାରେ ପଢ଼ି ସେଠାକାର ଜବ୍ ମାର୍କେଟ୍ ଉପରେ କବ୍ଜା କରିବେ ତେବେ ସେମାନଙ୍କୁ ଆମେରିକାରେ ପଢ଼ିବାକୁ ଦିଆଯିବା ଉଚିତ ନୁହେଁ ବୋଲି ଲାଣ୍ଡାଉ କହିଛନ୍ତି। ଲାଣ୍ଡାଉଙ୍କର ଏଭଳି କଥାରେ ସତର୍କତା କମ୍ ବରଂ ଭୟ ଅଧିକ ଜଣାପଡ଼ୁଛି। କାରଣ ଭାରତର ଅର୍ଥନୀତି ଯେଉଁ ଗତିରେ ବଢ଼ୁଛି, ଲାଗୁଛି ଧାର୍ଯ୍ୟ ସମୟ ମଧ୍ୟରେ ଭାରତର ଅର୍ଥନୀତି ଆମେରିକା ପାଖାପାଖି ପହଞ୍ଚିବ। ଆଉ ଆମେରିକା ଏହା ଆଦୌ ଚାହୁଁନି।

ବର୍ତ୍ତମାନ ଭାରତ ସହିତ ବାଣିଜ୍ୟ ଡିଲ୍ ନେଇ ଆମେରିକାର ଆଲୋଚନା ଚାଲିଛି। ଏଥିରେ ଆମେରିକା ଭାରତକୁ ଆଦୌ କୌଣସି ରିହାତି ଦେବାକୁ ଚାହୁଁନି। ବରଂ ସବୁ ସୁବିଧା ଆମେରିକାର ସ୍ୱାର୍ଥରେ ହେଉ ବୋଲି ଜୋରସୋର ଉଦ୍ୟମ କରୁଛି। ଲାଣ୍ଡାଉ କହିଛନ୍ତି, ଭାରତ ଆମେରିକାର ମୁଖ୍ୟ ପାର୍ଟନର ସତ, ହେଲେ ଏଥିରେ ଏକ ସୀମାରେଖା ରହିଛି। ଭାରତକୁ ବୁଝିନେବା ଦରକାର ଯେ ଆମେ ୨୦ ବର୍ଷ ତଳେ ଚୀନ୍ ସହ ଯେଉଁ ଭୁଲ କରିଥିଲୁ, ତାହା ଏବେ କରିବୁ ନାହିଁ। ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି “ଓ….ଆମେ ତୁମକୁ ବଜାର ବିକଶିତ କରିବାକୁ ସକ୍ଷମ କରାଇବୁ, ତା’ପରେ ଆମେ ଠିକ୍ ଜାଣିଛୁ ଯେ ତୁମେ ଆମକୁ ବିଜନେଶରେ ହରାଇବ।” ଟ୍ରମ୍ପ ସରକାରଙ୍କର ଫାଷ୍ଟ ଆମେରିକୀ ପଲିସିକୁ ଦୋହରାଇଛନ୍ତି।

ଟ୍ରମ୍ପ ସରକାରରଙ୍କର ନୀତି ହେଲା ପ୍ରଥମେ ଆମେରିକା। ଏହି ଆଭିମୁଖ୍ୟ ନେଇ ଟ୍ରମ୍ପ ଆମେରିକାରେ ସରକାରଙ୍କୁ ଆସିଥିଲେ। ଏଥିପାଇଁ ତାଙ୍କୁ ଭାରତକୁ ବଳି ବୋଦା ବନାଇବାକୁ ପଡ଼ିଥଇଲା। ଆରମ୍ଭରୁ ଭାରତ ବିରୋଧୀରେ ମୁଖର ରହିଥିଲେ ଟ୍ରମ୍ପ। ତାଙ୍କର ଦ୍ୱିତୀୟ ପାଳିରେ ସେ ଭାରତ ବିରୋଧରେ ନାରାବାଜୀ ଦେଇ ସରକାକୁ ଆସିଥିଲେ। ଭାରତ ଆମେରିକାର ଜବ୍ ମାର୍କେଟ୍କୁ କବଜା କରୁଛି। ଭାରତୀୟମାନେ ଆମେରିକାକୁ ଆସି ଆମେରିକାବାସୀଙ୍କ ଚାକିରି ଛଡ଼ାଇ ନେଉଛନ୍ତି ବୋଲି ଆମେରିକାବାସୀଙ୍କ ମଧ୍ୟରେ ଭାରତୀୟଙ୍କ ପ୍ରତି ମୌଳବାଦୀ ମାନସିକତା ଭରି ଦେଇଥିଲେ। ଆଉ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଏକାଧିକ ଭାରତ ବିରୋଧୀ ନିଷ୍ପତ୍ତି ନେଇ ସାରିଚନ୍ତି ଟ୍ରମ୍ପ।ଭାରତୀୟ କମ୍ପାନୀ ଉପରେ ଭାରି ଶୁଳ୍କ ଲଗାଇବା, ଋଷ ତେଲ କିଣିବା ବାହାନାରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ କଶିବା, ଭାରତ ଉପରେ ସର୍ବାଧିକ ଟ୍ୟାକ୍ସ ଲଗାଇବା ଭଳି କାର୍ଯ୍ୟ କରି ସାରିଛନ୍ତି ଟ୍ରମ୍ପ। କେବଳ ସେତିକି ନୁହେଁ, ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରି ମଧ୍ୟ ଫେଲ୍ ମାରିଛି ଆମେରିକା।

ଏସବୁ କାରଣ ହେଉଛି ଭାରତର ଦ୍ରୁତ ବିକାଶ ଓ ଉନ୍ନତ ବାଣିଜ୍ୟ ନୀତି। କାରଣ ଚୀନ ପରେ ଭାରତ ବର୍ତ୍ତମାନ ଏମିତି ଏକ ଉଦିୟମାନ ବଜାର ହୋଇ ଉଭା ହେଉଛି, ଯାହା ପରବର୍ତ୍ତି ସମୟରେ ବିଶ୍ୱର ବଡ଼ ଅର୍ଥନୈତିକ ଶକ୍ତି ହେବ। ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶ ହେବାର ଯେଉଁ ସ୍ୱପ୍ନ ଦେଖୁଛି ତାହା ପୂରା ହେଇଯିବ। ଯାହା ଆମେରିକାର ଭୟର କାରଣ। ବର୍ତ୍ତମାନ ବିଶ୍ୱ ଅର୍ଥନୈତିକ ଶକ୍ତି ତାଲିକାରେ ଭାରତ ୪.୩ ଟ୍ରିଲିଅନ ଡଲାର ଜିଡିପି ସହ ଚତୁର୍ଥ ସ୍ଥାନରେ ରହିଛି। ୨୦୩୦ ସୁଦ୍ଧା ଜର୍ମାନୀକୁ ଟପି ତୃତୀୟ ସ୍ଥାନରେ ପହଞ୍ଚିବ।କୁ ଲକ୍ଷ୍ୟ ରଖିଛି।

ଆମେରିକାର ଉପ-ବୈଦେଶ ମନ୍ତ୍ରୀ କ୍ରିଷ୍ଟୋଫର ଲାଣ୍ଡାଉଙ୍କର ଏଭଳି ମନ୍ତବ୍ୟ ବର୍ତ୍ତମାନ ଦୁଇଟି ପ୍ରଶ୍ନ ଛିଡ଼ା କରିଛିଗୋଟିଏ ହେଲା ୨୦ ବର୍ଷ ପୂର୍ବେ ଆମେରିକା ଚୀନ୍ ସହିତ କେଉଁ ଭୁଲ୍ କରିଥିଲା,ଯେଉଁଥିପାଇଁ ଆଜି ତାକୁ ପସ୍ତାଇବାକୁ ପଡ଼ୁଛି। ଏବଂ ଦ୍ୱିତୀୟଟି ହେଲା ଆମେରିକା ଭାରତକୁ କ'ଣ ମେସେଜ୍ ଦେବାକୁ ଚାହୁଁଛି?ଆମେ ପ୍ରଥମେ ଦ୍ୱିତୀୟ ପ୍ରଶ୍ନର ଉତ୍ତର ଜାଣିବା ତାପରେ ପ୍ରଥମ ପ୍ରଶ୍ନର ଉତ୍ତର ସହଜ ଲାଗିବ।

ଭାରତକୁ ଆମେରିକାର ମେସେଜ୍ ଖୁବ୍ ସହଜ। ଆମେରିକା ଭାରତ ପାଇଁ ବିନା କଟକଣାରେ ଏହାର ବଜାର ଖୋଲି ଦେବ ନାହିଁ, ଯେଉଁ ସୁବିଧା ସିଏ ୨୦ ବର୍ଷ ତଳେ ଚୀନକୁ ଦେଇଥିଲା। ପରିଣାମ ସ୍ୱରୂପ ଆଜି ଚୀନ ଆମେରିକାର ଏକ ପ୍ରମୁଖ ଅର୍ଥନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡ଼ା ହୋଇଛି, ଓ ଆମେରିକାକୁ ଚ୍ୟାଲେଞ୍ଜ ଦେଉଛି। ଏହାର ଅର୍ଥ ନୁହେଁ ଯେ ଆମେରିକା ବର୍ତ୍ତମାନ ଭାରତକୁ ଏହାର ଅର୍ଥନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖୁଛି, ତେବେ ଭାରତର ଭବିଷ୍ୟତ ନେଇଁ କେଉଠି ନା କେଉଁଠି ଆମେରିକା ମନରେ ଭୟ ସୃଷ୍ଟି ହୋଇଛି।
କାରଣ ଆମେରିକା ସାରା ବିଶ୍ୱରେ ନିଜର ପତିଆରା ଦେଖାଇବାକୁ ଚାହେଁ, କେଉଁ ଦେଶ ଆମେରିକାକୁ ଟକ୍କର ଦେଉ ଏକଥା ୱାଶିଂଟନ କେବେ ଚାହେଁନା। ତେଣୁ ଭାରତ ସହ ଯେଉଁ ଡିଲ୍ ହେବ କେବଳ ଆମେରିକା ସ୍ୱାର୍ଥରେ ହେବ। ପାରସ୍ପରିକ ଶୁଳ୍କ ଆଧାରରେ ହେବ ବୋଲି ଆମେରିକା ଚାହୁଁଛି। ଯେଉଁଥିରେ ଭାରତ ପୂର୍ବରୁ ଯେଉଁ କମ ଶୁଳ୍କରେ ଆମେରିକା ଠାରୁ ସୁବିଧା ପାଉଥିଲା ଏବେ ଆମେରିକା ବାଜି ଓଲଟାଇ ଭାରତକୁ ଉପରେ ଶୁଳ୍କ ଲଗାଇବା ଓ ନିଜ ପାଇଁ ଇଣ୍ଡିଆରେ ଫ୍ରି ଏଣ୍ଟ୍ରି ଚାହୁଁଛି।

ହେଲେ ଭାରତ କାହା ଦୟାରେ ଆଗକୁ ବଢ଼ିବା ଶିଖି ନାହିଁ। କି ଭୟରେ ଚାପି ହୋଇ ରହି ନାହିଁ, ଏହା ଭାରତ ଦୀର୍ଘକାଳୀନ ଇତିହାସ କୁହେ। ବ୍ରିଟିସ ସାମ୍ରାଜ୍ୟ ଭାରତକୁ ଦୀର୍ଘ ୨୦୦ ବର୍ଷ ଲୁଟିବା ପରେ ବି ଆଜି ଅର୍ଥନୀତିରେ ଭାରତ ବ୍ରିଟିସକୁ ପଛରେ ପକାଇ ଦେଇଛି। ୨୦୩୦ ସୁଦ୍ଧା ୫ ଟ୍ରିଲିଅନ ଅର୍ଥନୀତି ହାସଲ କରି ଜର୍ମାନୀକୁ ଟପିବାକୁ ଲକ୍ଷ୍ୟ ରଖିଛି। ଭାରତ ପାଖରେ ଥିବା ଏହି କ୍ଷମତାକୁ ଲାଣ୍ଡାଉ ସ୍ୱୀକାର କରିଛନ୍ତି। ଭାରତ ପାଖରେ ଜବରଦସ୍ତ ଆର୍ଥିକ, ମାନବୀୟ ଓ ଅନ୍ୟାନ୍ୟ ସମ୍ବଳ ରହିଛି, ଯାହାକୁ ଭାରତକୁ ଶକ୍ତିଶାଳୀ କରାଇ ପାରିବ ବୋଲି ସେ କହିଛନ୍ତି। ଏବେ, ପ୍ରଥମ ପ୍ରଶ୍ନକୁ ଆସିବା, ୧୯୯୦ ଦଶକର ଶେଷ ଭାଗରେ ଆମେରିକା ଚୀନ୍ ସହିତ କରିଥିବା ସେହି ତଥାକଥିତ "ଭୁଲ" ଯାହା ପାଇଁ ଚୀନ ମେନୁଫେକ୍ଚରିଂ ଓ ଜିଓପଲିଟିକାଲ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହେଲା।

ପ୍ରକୃତରେ ୧୯୯୦ ଦଶକର ଶେଷ ଭାଗରେ ୱାଶିଂଟନ ଚୀନକୁ ନିଜ ଇଚ୍ଛା ଅନୁସାରେ ଗଢ଼ି ତୋଳିବାକୁ ଚେଷ୍ଟା କରିଥିଲା। ଏବଂ ନିଜେ ଚୀନର ପଥପ୍ରଦର୍ଶକ ହୋଇ ରହିବାକୁ ଚାହୁଁଥିଲା। ହେଲେ ଚୀନ ଆମେରିକା ଠାରୁ ସହଯୋଗ ନେଇ ଖୁବ୍ ଡେଭଲପ ତ କଲା, କିନ୍ତୁ ଆମେରିକାର ଦୃଷ୍ଟିକୋଣକୁ ପ୍ରତ୍ୟାଖ୍ୟାନ କଲା। ଶକ୍ତିଶାଳୀ ହେବା ପାଇଁ ଆମେରିକାର ପଥ ଛାଡ଼ି ନିଜ ରାସ୍ତା ନିଜେ ତିଆରି କଲା। ଆଉ ବର୍ତ୍ତମାନ ଏହା ହିଁ ଦୁଇ ଦେଶର ସଂଘର୍ଷକୁ ମୂଳ ବିନ୍ଦୁ।

ଐତିହାସିକ ଭାବରେ ଦେଖିଲେ ରିଚାର୍ଡ ନିକ୍ସନଙ୍କ ଠାରୁ ଆରମ୍ଭ କରି ଏକାଧିକ ଆମେରିକୀୟ ରାଷ୍ଟ୍ରପତି ଚୀନକୁ ଆଗକୁ ନେବା ପାଇଁ ଆର୍ଥିକ ରିହାତି ଦେଇଥିଲେ। ହେଲେ ଏଥିରେ ବ୍ରେକ୍ ଲଗାଇଥିଲେ ଟ୍ରମ୍ପ। ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଚୀନକୁ ତାଙ୍କ ଜାତୀୟ ସୁରକ୍ଷା ରଣନୀତିରେ ଏକ ପ୍ରତିପକ୍ଷ ବୋଲି ବିଚାର କଲେ। ଏହାପରେ ଚୀନ ସହ ଆମେରିକାର ଏକପ୍ରକାର ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଥିଲା। ଦ୍ୱିତୀୟ କାର୍ଯ୍ୟାକଳରେ ଏହି ଯୁଦ୍ଧ ଆହୁରି ଗମ୍ଭୀର ହୋଇଛି।

ପଢ଼ନ୍ତୁ- ଦେଶରେ ବଢ଼ିଲା ଧନୀଙ୍କ ସଂଖ୍ୟା, ଦୁନିଆର ସବୁଠୁ ଧନୀ ତାଲିକାର ତୃତୀୟ ନମ୍ବରରେ ଭାରତ

ଇଏ ସେହି ଆମେରିକା ଯିଏ ଚୀନକୁ ଏକ ଆର୍ଥିକ ଶକ୍ତିଶାଳୀ ଦେଶ ଭାବରେ ଉଭା ହେବାକୁ ସହଯୋଗ କରିଥିଲା।ଆଉ ଆଜି ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖୁଛି।ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଆରମ୍ଭ ହୋଇଥିଲା। ଯାହା ଏପର୍ଯ୍ୟନ୍ତ ବି ଜାରି ରହିଛି। ତେବେ ୯୦ ଦଶକରେ ଆମେରିକା କେଉଁସବୁ ଭୁଲ୍ କରିଥିଲା, ଯାହା ପାଇଁ ବେଜିଂ ଆଜି ୱାଶିଂଟନର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି ଆସନ୍ତୁ ୫ଟି ପଏଣ୍ଟରେ ବୁଝିବା।

ପ୍ରଥମ ଭୁଲ୍-୧୯୯୦ ଦଶକ ପରଠାରୁ, ଆମେରିକାର ଏହାର ଶତ୍ରୁ ରାଷ୍ଟ୍ରଗୁଡ଼ିକ ଉପରେ ଲଗାଇଥିାବ ବ୍ୟାନ ଚୀନକୁ ଅନେକ ସମୟରେ ଲାଭ ଦେଇଥିଲା। ଉଦାହରଣ ସ୍ୱରୂପ, ଆମେରିକାର କଟକଣା ଯୋଗୁ ପ୍ରାକୃତିକ ସମ୍ପଦ ସମୃଦ୍ଧ ମିଆଁମାର ଏବଂ ଇରାନ ଚୀନର ନିକଟତର ହୋଇଥିଲେ। ଆଉ ଚୀନ ଏହି ଦୁଇ ଦେଶର ପ୍ରାକୃତିକ ସମ୍ବଳର ସୁଯୋଗ ନେଇ ନିଜର ଭିତ୍ତିଭୂମି ମଜଭୁତ କରିବାରେ ସଫଳ ହେଲା।

ଦ୍ୱିତୀୟ ଭୁଲ୍ ହେଲା-୨୦୦୦ ମସିହାରେ, ଆମେରିକା ଚୀନକୁ ପରମାନେଣ୍ଟ ନର୍ମାଲ ଟ୍ରେଡ୍ ରିଲେସନ (PNTR) କିମ୍ବା ମୋଷ୍ଟ ଫେବର୍ଡ ନେସନ (MFN) ମାନେ ସବୁଠାରୁ ପସନ୍ଦର ଦେଶ ମାନ୍ୟତା ଚୀନକୁ ପ୍ରଦାନ କରିଥିଲା। ଏହା ମୂଳତଃ ଚୀନର ବାଣିଜ୍ୟ ସ୍ଥିତିର ବାର୍ଷିକ ସମୀକ୍ଷାର ଆବଶ୍ୟକତାକୁ ଦୂର କରିଥିଲା ଏବଂ ଚୀନର ରପ୍ତାନୀ ଉପରେ ଆମେରିକାରେ ଶୁଳ୍କ କମିଗଲା। ଏଥିରେ ଚୀନରେ ନିବେଶ ବଢ଼ିଲା, ବିଶେଷକରି ପାଶ୍ଚାତ୍ୟ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଆସି ଚୀନରେ ନିବେଶ କରିଥିଲେ।

ତୃତୀୟ ଭୁଲ୍ ହେଲା-ବିଶ୍ୱ ବାଣିଜ୍ୟ ସଂଗଠନରେ ଚୀନର ପ୍ରବେଶ ଦିଗରେ ଯେଉଁ କେତୋଟି ଦେଶ ଓକିଲାତି କରିଥିଲେ ସେଥିରେ ଆମେରିକା ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଫଳରେ ଚୀନର ଶସ୍ତା ମାଲ ରପ୍ତାନୀ ପାଇଁ ବିଶ୍ୱ ବଜାର ଖୋଲିଗଲା। ଫଳରେ ଦଶନ୍ଧୀ ଧରି ଚୀନର ଶସ୍ତା ସାମଗ୍ରୀ ରପ୍ତାନୀ ଦେଶଗୁଡ଼ିକୁ ବ୍ୟାପିଗଲା। ତଥ୍ୟ ଦେଖିଲେ ୨୦୦୧ ମସିହାରେ, ଚୀନର ରପ୍ତାନି ପ୍ରାୟ ୨୬୬ ବିଲିୟନ ଡଲାର ( ଭାରତୀୟ ମୁଦ୍ରାରେ୨୪.୪ ଲକ୍ଷ କୋଟି ଟଙ୍କା) ଥିଲା। ପରବର୍ତ୍ତୀ ଦଶନ୍ଧିରେ ଏହା ୬ ଗୁଣ ବୃଦ୍ଧି ପାଇ ୨୦୧୦ ସୁଦ୍ଧା $୧.୫୮ ଟ୍ରିଲିୟନ ଡଲାର (,ଯାହା ଭାରତୀୟ ମୁଦ୍ରାରେ ୧୪୫ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଥିଲା। ସେତେବେଳକୁ, ଚୀନ ବିଶ୍ୱର ସର୍ବବୃହତ ରପ୍ତାନିକାରୀ ହୋଇସାରିଥିଲା।

ଚତୁର୍ଥ କାରଣ ହେଲା- ଏଥିରେ ଏକ ଚେନ୍ ରିଆକ୍ସନ ଦେଖିବାକୁ ମିଳିଲା। ଖୁବ୍ ଶୀଘ୍ର, ଆମେରିକୀୟ କମ୍ପାନୀଗୁଡ଼ିକ (ଉଦାହରଣ ସ୍ୱରୂପ, ଆପଲ୍) କମ ଶ୍ରମ ଖର୍ଚ୍ଚ ଏବଂ ବ୍ୟବସାୟ ଅନୁକୂଳ ନୀତି ଯୋଗୁ ସେମାନଙ୍କର ମେନୁଫେକ୍ଚରିଂ ସପ୍ଲାଏ ଚେନ୍ର ଏକ ବଡ଼ ଅଂଶ ଚୀନକୁ ସ୍ଥାନାନ୍ତରିତ କରିନେଲେ।ଫଳରେ ଚୀନକୁ ଟେକ୍ନୋଲୋଜୀ ଟ୍ରାନ୍ସଫର ଓ ପୁଞ୍ଜି ପ୍ରବାହ ବଢିଲା। ଆଉ ଚୀନ୍ ବିଶ୍ୱର କାରଖାନା ପାଲଟିଗଲା। ଆମେରିକୀୟ ଟେକ୍ନୋଲୋଜୀ ନିବେଶ ନେଇ ଚୀନ ଭିତରେ ଭିତରେ ନିଜର ଉଦ୍ୟୋଗକୁ ବଳ ଦେଲା। ଫଳରେ ହୁଆୱେଇ ଭଳି କମ୍ପାନୀଗୁଡ଼ିକ ଗଢ଼ି ଉଠିଲା ଯାହା ବିଶ୍ୱସ୍ତରରେ ଆମେରିକାର ଆଧିପତ୍ୟକୁ ଟକ୍କର ଦେଲା।

ପଢ଼ନ୍ତୁ- ଭାରତକୁ ତୈଳ ରପ୍ତାନି ପରିମାଣ ପ୍ରକାଶ କରିବନି ରୁଷ, କ୍ରେମଲିନ କହିଲା- ଖରାପ ଲୋକଙ୍କ ନଜର ଲାଗିଯିବ

ଭୁଲ୍ ନମ୍ବର ୫ ହେଲା ଆମେରିକାର ବାଣିଜ୍ୟ ନିୟମର ଦୁର୍ବଳ କାର୍ଯ୍ୟକାରୀତା, ଯାହା ପ୍ରତି ଆମେରିକା ସମ୍ପୂର୍ଣ୍ଣ ଆଖିବୁଜି ଦେଇଥିଲା। ଯେପରିକି ଇଣ୍ଟେଲେକ୍ଚୁଆଲ ପ୍ରପର୍ଟିର ଚୋରି ହେବା, ବିଦେଶୀ କମ୍ପାନୀ ମାର୍କେଟ୍ରେ ନାନା ପ୍ରତିବନ୍ଧକ, ଏଥିରେ ଚୀନ କମ୍ପାନୀଗୁଡ଼ିକୁ ଧୀରେ ଧୀରେ ଆଗକୁ ବଢ଼ିବାକୁ ମଉକା ମିଳିଲା। ଆଉ ଚୀନର ବଡ଼ କମ୍ପାନୀ ଏବେ ଆମେରିକାର ଆଧିପତ୍ୟକୁ ଚ୍ୟାଲେଞ୍ଜ ଦେଉଛନ୍ତି। ଆଉ ଏବେ ହଠାତ ଆମେରିକାର ନିଦ ଭାଙ୍ଗିଛି। ଭାରତ ଭଳି ଏକ ଦ୍ରୁତ ପ୍ରଗତିଶୀଳ ଦେଶକୁ ଚୀନ ଭଳି ସୁବିଧା ଦେବାକୁ ଡରୁଛି।
ଭାରତକୁ ଚୀନ୍ ଭଳି ଅପ୍ରତିବନ୍ଧିତ ବଜାର ପ୍ରବେଶ ପ୍ରଦାନ କଲେ, କାଳେ ବଡ଼ ବଡ଼ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଦିଲ୍ଲୀକୁ ସ୍ଥାନାନ୍ତରିତ ହେବେ, ସେହି ଭୟ ଆମେରିକାକୁ ଘାରିଛି। ଚୀନ୍ ପରି, ଭାରତରେ ମଧ୍ୟ ଏକ ବିଶାଳ ଜନସଂଖ୍ୟା ଅଛି ଏବଂ ଶସ୍ତାରେ ଶ୍ରମ ବଳ ପ୍ରଦାନ କରୁଛି, ତେଣୁ ଭାରତ ଚୀନ ପରି ତୃତୀୟ ସାମୁକ୍ଷ ହେବାର ସମ୍ଭାବନା ରହିଛି ବୋଲି ଆମେରିକା ଭାବୁଛି।

ଆଉ ଆମେରିକାର ଏହି ଭୟ ସ୍ପଷ୍ଟ ଝଲୁସୁଛି ମଧ୍ୟ। କାରଣ ଗତ ବର୍ଷ, ଟ୍ରମ୍ପ ଆପଲର ସିଇଓ ଟିମ୍ କୁକଙ୍କୁ ଧମକ ଦେଇଥିଲେ, କହିଥିଲେ ଯଦି ଆଇଫୋନ ନିର୍ମାତା ଭାରତରେ ଉତ୍ପାଦନ ହ୍ରାସ ନକରନ୍ତି, ତେବେ ସେ ସେମାନଙ୍କ ଉପରେ ଶୁଳ୍କ ଲଗାଇବେ। କେବଳ ସେତିକି ନୁହେଁ ଭାରତର କୌଣସି କମ୍ପାନୀ ନ ଖୋଲିବାକୁ ଟ୍ରମ୍ପ ଆମେରିକୀୟ କମ୍ପାନୀଗୁଡ଼ିକୁ ଧମକ ବି ଦେଇ ସାରିଛନ୍ତି। ଏପଟେ ଆମେରିକା ପାଇଁ, ଭାରତ ସର୍ବଦା ଚୀନ ପ୍ରତି ଏକ ରଣନୈତିକ ସନ୍ତୁଳନ ହୋଇଆସିଛି। ଭାରତକୁ ଅସ୍ତ୍ର କରି ଆମେରିକା ଚୀନକୁ ଚିତ୍ କରିବାକୁ ଉଦ୍ୟମ କରି ଆସୁଛି।

ଶେଷରେ ଗୋଟିଏ କଥା.. କ୍ରିଷ୍ଟୋଫର ଲାଣ୍ଡାଉଙ୍କ ମନ୍ତବ୍ୟରେ ଟ୍ରମ୍ପ ସରକାର ଥିବା ପର୍ଯ୍ୟନ୍ତ ଭାରତ-ଆମେରିକା ଭବିଷ୍ୟତ ସ୍ପଷ୍ଟ। ଟ୍ରମ୍ପ ସରକାରରେ ଭାରତକୁ ସେଭଳି କୌଣସି ବ୍ୟବସାୟିକ ଫାଇଦା ମିଳିବ ନାହିଁ। ଯାହାର ଲାଭ ଉଠାଇ ପାରିବ ଭାରତ। ହେଲେ ଭାରତ କିନ୍ତୁ ଚୀନ ଭଳି ଆମେରିକା ଉପରେ ନିର୍ଭରଶୀଳ ନୁହେଁ, ନିଜ ପଲିସିରେ ନିଜେ ଉପରକୁ ଉଠି ପାରିବାର ଦମ୍ଭ ରଖିଛି।