ଭୋଟର ଲିଷ୍ଟ ଗଡ଼ବଡ ପ୍ରସଙ୍ଗ: ଶରଦ ପାୱାରଙ୍କ ଚାଞ୍ଚଲ୍ୟକର ବୟାନ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | August 09, 2025 IST

ମୁମ୍ବାଇ ୯।୮: ଏନସିପି (ଶରଦ) ନେତା ଶରଦ ପାୱାର ଏପରି ଏକ କଥା କହିଛନ୍ତି ଯାହା ମହାରାଷ୍ଟ୍ର ରାଜନୀତିକୁ ଚହଲାଇ ଦେବ। ପାୱାର କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ଦିଲ୍ଲୀରେ ତାଙ୍କର ଦୁଇଜଣ ଲୋକଙ୍କ ସହ ସାକ୍ଷାତ ହୋଇଥିଲା, ଯେଉଁମାନେ ତାଙ୍କୁ ୨୮୮ ଆସନରୁ ୧୬୦ଟି ଜିତାଇ ଦେବାର ଗ୍ୟାରେଣ୍ଟି ଦେଇଥିଲେ। ଭୋଟର ଲିଷ୍ଟରେ ଗଡ଼ବଡ଼ କରି ଭୋଟ ଚୋରି ନେଇ ରାହୁଲଙ୍କ ଅଭିଯୋଗ କାଳରେ ପାୱାରଙ୍କ ଏପରି ବୟାନ ଏବେ ହଟଚମଟ ସୃଷ୍ଟି କରିଛି। 

ପାୱାର କହିଛନ୍ତି ମୋର ମନେ ଅଛି ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ଦୁଇଜଣ ମୋତେ ଦିଲ୍ଲୀରେ ଭେଟିଥିଲେ। ସେମାନେ ମୋତେ କହିଥିଲେ ୨୮୮ ସିଟରୁ ୧୬୦ଟି ସିଟରେ ଆପଣଙ୍କୁ ଜିତାଇବାର ଗ୍ୟାରେଣ୍ଟି ଦେବୁ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସତ କହିବାକୁ ଗଲେ ମୋର ନିର୍ବାଚନ ଆୟୋଗଙ୍କ ଉପରେ କୌଣସି ସନ୍ଦେହ ନଥିଲା..ଏହା ପରେ ମୁଁ ସେ ଦୁଇଜଣଙ୍କର ରାହୁଲ ଗାନ୍ଧିଙ୍କ ସହ ଏକ ବୈଠକ ନିର୍ଦ୍ଧାରିତ କରିଥିଲି। 


ଯାହା ବି କଥା ଥିଲା ସେମାନେ ରାହୁଲ ଗାନ୍ଧିଙ୍କ ଆଗରେ ଉପସ୍ଥାପନ କରିଥିଲେ। ତେବେ ରାହୁଲ ଓ ମୁଁ ନିଷ୍ପତ୍ତି ନେଇଥିଲୁ ଯେ ଯାହା ବି ହେଉ ଆମେ ଏହା ଉପରେ ଧ୍ୟାନ ଦେବା ଉଚିତ ନୁହେଁ, କାରଣ ଏହା ଆମର ମାର୍ଗ ନୁହେଁ। ଏଣୁ ପାୱାର ଓ ରାହୁଲ ଗାନ୍ଧି ଏହି ପ୍ରସ୍ତାବକୁ ଗୁରତର ସହ ଗ୍ରହଣ କରିନଥିଲେ ଓ ଏହାକୁ ଅଣଦେଖା କରିଯାଇଥିଲେ। ପାୱାର ସ୍ପଷ୍ଟ ଭାବେ କହିଛନ୍ତି ଯେ ରାହୁଲ ଓ ମୁଁ ଏହି କଥା ଉପରେ ସହମତ ଥିଲୁ ଯେ ଆମେ ଏହା ଉପରେ ଧ୍ୟାନ ଦେବା ଉଚିତ ନୁହେଁ, କାରଣ ଏହା ଆମର ରାସ୍ତା ନୁହେଁ। 


ପାୱାରଙ୍କ ଏହି ବୟାନ ଏବେ ଅନେକ ପ୍ରଶ୍ନ ଛିଡା କରୁଛି। ପାୱାର ସେହି ଲୋକମାନଙ୍କ ପରିଚୟ ଅଥବା ସେମାନଙ୍କ ଦାବିର ପ୍ରକୃତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ନାହାନ୍ତି। ହେଲେ ତାଙ୍କର ଏହି ବୟାନ ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ବିବାଦକୁ ଜନ୍ମ ଦେଇପାରେ। ପାୱାରଙ୍କ ଏହି ବୟାନ ଏବେ ନା କେବଳ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି, ବରଂ ଏ ପ୍ରଶ୍ନ ଉଠୁଛି ନିର୍ବାଚନ ପ୍ରକ୍ରିୟାରେ କୌଣସି ଅନୁଚିତ ପ୍ରଭାବ ପକାଇବାର ଉଦ୍ୟମ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.