ଇରାନ ଉପରେ ଇସ୍ରାଏଲ ଆକ୍ରମଣକୁ ସାଂଘାଇ କୋପରେସନ ଅର୍ଗାନାଇଜେସନର ନିନ୍ଦା: ନିଜକୁ ଦୂରେଇ ରଖିଲା ଭାରତ

Published By : Prameya-News7 Bureau | June 14, 2025 IST

internet

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ୍‌ର ଆକ୍ରମଣ ନେଇ ସାଂଘାଇ କୋପରେସନ ଅର୍ଗାନାଇଜେସନ(ଏସ୍‌ସିଓ) ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଇସ୍ରାଏଲ୍‌ର ଆକ୍ରମଣକୁ ଏସ୍‌ସିଓ କଡ଼ା ସମାଲୋଚନା କରିଥିବା ବେଳେ ଭାରତ ଏଥିରୁ ନିଜକୁ ଦୂରେଇ ରଖିଛି। ଏସ୍‌ସିଓ ହେଉଛି ୯ଟି ଦେଶର ଏକ ସଂଘ। ଯେଉଁଥିରେ ଭାରତ ସାମିଲ ରହିଛି। ହେଲେ ଏସ୍‌ସିଓର ଏହି ମନ୍ତବ୍ୟ ଉପରେ ହୋଇଥିବା ବୈଠକରେ ଆମେ ସାମିଲ ନଥିଲୁ ବୋଲି ଭାରତ କହିଛି।

ଏସ୍‌ସିଓ ଚୀନ୍ ନେତୃତ୍ୱାଧୀନ ଇରାନ, କାଜାଖସ୍ତାନ, କିର୍ଗିଜସ୍ତାନ, ପାକିସ୍ତାନ, ରୁଷିଆ, ତାଜିକିସ୍ତାନ, ଉଜବେକିସ୍ତାନ, ବେଲାରୁଷ ଏବଂ ଭାରତ ସମେତ ସଦସ୍ୟ ରାଷ୍ଟ୍ରମାନଙ୍କୁ ନେଇ ଗଠିତ ଏକ ଆଞ୍ଚଳିକ ସଂଗଠନ। ଏହି ସଂଗଠନ ଇସ୍ରାଏଲ୍‌ର ଇରାନ ଉପରେ କରିଥିବା ‘ଅପରେସନ୍ ରାଇଜିଂ ଲାୟନ’କୁ କଡ଼ା ନିନ୍ଦା କରିଛି।

ଏସ୍‌ସିଓ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି “ସାଂଘାଇ ସହଯୋଗ ସଂଗଠନ (SCO)ର ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ୧୩ ଜୁନ୍ ୨୦୨୫ରେ ଇସଲାମିକ୍ ଗଣରାଜ୍ୟ ଇରାନର ଭୂଖଣ୍ଡରେ ଇସ୍ରାଏଲ ଦ୍ୱାରା କରାଯାଇଥିବା ସାମରିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି।”

ପଢନ୍ତୁ- ୟୁରୋପର କେଉଁ ଦେଶ ଭାରତର ସବୁଠୁ ବିଶ୍ୱସ୍ତ ବନ୍ଧୁ ? ବିଦେଶ ମନ୍ତ୍ରୀ ଦେଲେ ଜବାବ

ଏଥିରେ ଆହୁରି କୁହାଯାଇଛି “ସାଧାରଣ ନାଗରିକଙ୍କ ଅଧିକାର ବିରୁଦ୍ଧରେ ଏପରି ଆକ୍ରମଣାତ୍ମକ କାର୍ଯ୍ୟ,ଯେଉଁଥିରେ ସାଧାରଣ ଲୋକଙ୍କର ମୃତ୍ୟୁ ହେଉଛି, ଏଥିରେ ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରର ଘୋର ଉଲ୍ଲଂଘନ ହୋଇଛି। ଏଗୁଡ଼ିକ ଇରାନର ସାର୍ବଭୌମତ୍ୱର ଉଲ୍ଲଂଘନ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଇବା ଏବଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି।” 

ଅନ୍ୟପକ୍ଷରେ ଭାରତ ଏ ଦିଗରେ ନିଜ ପୂର୍ବ ଆଭିମୁଖ୍ୟ ବଜାଇ ରଖିଛି। ଏସସିଓର ବିବୃତ୍ତି ପରେ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏଥିରେ କୁହାଯାଇଛି “ଏହି ପ୍ରସଙ୍ଗରେ ଭାରତର ମତାମତ ଆମେ ୧୩ ଜୁନ୍ ୨୦୨୫ରେ ସ୍ପଷ୍ଟ କରିଥିଲୁ ଏବଂ ଏହା ଏବେ ବି କାଏମ ରହିଛି।  ଆମେ ଅନୁରୋଧ କରୁଛୁ ଯେ ଉତ୍ତେଜନା ହ୍ରାସ କରିବା ପାଇଁ ଆଲୋଚନା ଏବଂ କୂଟନୀତିର ମାଧ୍ୟମଗୁଡ଼ିକୁ ବ୍ୟବହାର କରାଯାଉ, ଏବଂ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏହି ଦିଗରେ ପ୍ରୟାସ କରିବା ଅତ୍ୟନ୍ତ ଜରୁରୀ।” ମନ୍ତ୍ରଣାଳୟ ଆହୁରି କହିଛି ଯେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ତାଙ୍କର ଇସ୍ରାଏଲୀ ଏବଂ ଇରାନୀ ପ୍ରତିପକ୍ଷଙ୍କ ସହ ପୃଥକ ଭାବରେ କଥା ହୋଇଥିଲେ। ଘଟଣାର ମୋଡ଼ରେ ସେ ଅନ୍ତର୍ଜାତୀୟ ସମୁଦାୟର ଗଭୀର ଚିନ୍ତା ପ୍ରକାଶ କରିଥିଲେ। ସେ ଯେକୌଣସି ଉତ୍ତେଜନାମୂଳକ ପଦକ୍ଷେପ ଏଡାଇବା ଏବଂ ଶୀଘ୍ର କୂଟନୀତିକୁ ଫେରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।

ଏସସିଓ ସଦସ୍ୟ ରାଷ୍ଟର ଭାବେ ଭାରତ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଭାରତ ପୂର୍ବରୁ ମତ ସ୍ପଷ୍ଟ କରିଥିବାରୁ ଏହାକୁ ଦୃଷ୍ଟିରେ ରଖି, ଭାରତ ଉପରୋକ୍ତ ଏସସିଓ ବିବୃତ୍ତି ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିନଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। 

ସୂଚନା ଥାଉକି ଇସ୍ରାଏଲ ସେନା ଶୁକ୍ରବାର ଦିନ ଅପରେସନ ରାଇଜିଂ ଲାୟନ ଅଧୀନରେ ଇରାନ ଉପରେ ରାତାରାତି ଆକ୍ରମଣ ଆରମ୍ଭ କରିଥିଲା। ଇରାନର ପରମାଣୁ ଏବଂ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଉଚ୍ଚପଦସ୍ଥ ଇରାନୀ ସାମରିକ ଅଧିକାରୀ ଏବଂ ବୈଜ୍ଞାନିକମାନେ ପ୍ରାଣ ହରାଇଥିବା ଏବଂ ନାଟାଞ୍ଜ ପରମାଣୁ ପ୍ଲାଣ୍ଟ ସମେତ ଭିତ୍ତିଭୂମି ବହୁ କ୍ଷତି ପହଞ୍ଚାଇଥିବା ଜଣାପଡ଼ିଛି। 

ପ୍ରତିଶୋଧ ମୂଳକ ଇରାନ ମଧ୍ୟ ଇସ୍ରାଏଲ ଉପରେ ଅନେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ମୋଟ ପ୍ରାୟ ୨୦୦ ମିସାଇଲ ମାଡ଼ କରିଥିବା ଆକଳନ କରାଯାଇଛି। ଇରାନୀ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏକ ଆବାସିକ କମ୍ପ୍ଲେକ୍ସ ଉପରେ ଇସ୍ରାଏଲୀ ଆକ୍ରମଣରେ ୨୦ ଶିଶୁଙ୍କ ସମେତ ପ୍ରାୟ ୬୦ ଜଣ ପ୍ରାଣ ହରାଇଛନ୍ତି। ଜାତିସଂଘରେ ଇରାନର ଦୂତଙ୍କ ଅନୁଯାୟୀ, ଶୁକ୍ରବାର ଇସ୍ରାଏଲୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୭୮ ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.