ରୋମ ୫।୭ : ଇଟାଲୀ ସରକାର ଏବେ ଦୁଷ୍କର୍ମକାରୀ ଓ ଶିଶୁ ଯୌନଶୋଷଣକାରୀଙ୍କ ବିରୋଧରେ କଡ଼ା ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଅନୁସାରେ ଏଣିକି ଅପରାଧୀଙ୍କୁ ‘କେମିକାଲ କ୍ୟାଷ୍ଟ୍ରେସନ’ ଦଣ୍ଡ ଦିଆଯାଇ ପାରିବ। କେମିକାଲ କ୍ୟାଷ୍ଟ୍ରେସନ ଏକ ଔଷଧ ଆଧାରିତ ଚିକିତ୍ସା। ଏଥିରେ ଏପରି ଔଷଧ ଦିଆଯାଏ ଯାହା ଅପରାଧୀଙ୍କ ଯୌନ ଆକାଙକ୍ଷା ଅବଦମିତ କରିଦିଏ। ଏହି ଚିକିତ୍ସା ସମ୍ପୂର୍ଣ୍ଣ ସ୍ୱେଚ୍ଛିକ ଅର୍ଥାତ ଅପରାଧୀ ଚାହିଁଲେ ନିଜ ଇଛାରେ ଗ୍ରହଣ କରିପାରିବେ।
ଯଦି ଅପରାଧୀ ଏହି ଚିକିତ୍ସାକୁ ସ୍ୱୀକାର କରେ ତେବେ ତା ଦଣ୍ଡ କୋହଳ ହୋଇପାରେ। ନିକଟ ଅତୀତରେ ଇଟାଲୀରେ ଅନେକ ବଡ଼ ବଡ଼ ଯୌନ ଅପରାଧ ହୋଇଛି। ଖାସ କରି ଶିଶୁଙ୍କ ପ୍ରତି ସାମୂହିକ ଦୁଷ୍କର୍ମ ମାମଲା ବଢିଛି। ଏହି ଅପରାଧ ଏବେ ଦେଶରେ ଜନଅସନ୍ତୋଷର କାରଣ ପାଲଟିଛି। ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀଙ୍କ ସରକାର ଓ ଲିଗ୍ ପାର୍ଟି ଏହି ପ୍ରସ୍ତାବକୁ ସମର୍ଥନ କରୁଛି। ଏହି ଦଣ୍ଡଦ୍ୱାରା ଦ୍ୱିତୀୟବାର ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ।
ତେବେ କେତେକ ବିରୋଧୀ ଦଳ ନେତା ଓ ମାନବାଧିକାର ସଙ୍ଗଠନ ଏହି ଆଇନକୁ ଦେଶରେ ବିରୋଧ କରୁଛନ୍ତି। ସେମାନଙ୍କ କହିବା କଥା ହେଲା ଏହା ମଣିଷର ମୌଳିକ ଅଧିକାରର ଉଲ୍ଲଂଘନ। କିଛି ଡାକ୍ତରଙ୍କ ଅନୁସାରେ ଅପରାଧୀ ଯୌନ ଅପରାଧ କେବଳ ଯୌନ ଇଛା କାରଣରୁ ହୁଏ ନାହିଁ, ବରଂ ଆକ୍ରୋଶ ଓ ନିୟନ୍ତ୍ରଣ ଭାବନାରେ ମଧ୍ୟ ଏହି ଅପରାଧ ସଙ୍ଗଠିତ ହୁଏ। ତେବେ ସରକାର ନୂଆ ଆଇନ ଉପରେ ଏବେ କାମ ଆରମ୍ଭ କରିଦେଇଛନ୍ତି।
ଏହି ଆଇନର ଚିଠା ପ୍ରସ୍ତାବ ପ୍ରସ୍ତୁତି ନିମନ୍ତେ ଏକ କମିଟି ଗଠନ କରାଯିବ। ଏହି କମିଟି ଦ୍ୱାରା ପ୍ରସ୍ତୁତ ଚିଠା ପ୍ରସ୍ତାବ ସଂସଦରେ ଆଗତ ହେବା ପରେ ଏହା ଉପରେ ଚର୍ଚ୍ଚା ହେବ। ବିଧେୟକ ଉପରେ ବିତର୍କ ପରେ ଏହାକୁ ଗୃହୀତ କରାଯିବ।