ବାଂଲାଦେଶ ପୁଣି ଅଶାନ୍ତ : ହସିନା ବିରୋଧୀ ନେତାଙ୍କ ମୃତ୍ୟୁ ପରେ ଜଳିଲା ଢାକା, ଖବର କାଗଜ ଅଫିସରେ ଭଙ୍ଗାରୁଜା

NEWS7
seven-girl-and-five-boys-rescued-in-nabrangpur

ନୂଆଦିଲ୍ଲୀ, ୧୯/୧୨: ଅଶାନ୍ତ ବାଂଲାଦେଶ । ପୁଣି ଥରେ ଜଳିଲା ଭାରତର ପଡୋଶୀ ଦେଶ । ୪ଟି ସହରରେ ଭଙ୍ଗାରୁଜା ଏବଂ ହିଂସାକାଣ୍ଡ । ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନା ବିରୋଧୀ ଆନ୍ଦୋଳନର ମୁଖ୍ୟ ଶରିଫ ଉସମାନ୍ ହାଦୀଙ୍କ ମୃତ୍ୟୁ ପରେ ବାଂଲାଦେଶ ଅଶାନ୍ତ । ସିଙ୍ଗାପୁରରେ ଇନକିଲାବ୍ ମଞ୍ଚର ସଂଯୋଜକ ଶରିଫଙ୍କ ମୃତ୍ୟୁ ପରେ ଗୁରୁବାର ରାତ୍ରରେ ଢାକାରେ ନିଆଁ ଜଳିଛି ।

ପ୍ରଥମେ ଶରିଫଙ୍କ ସମର୍ଥକମାନେ ପ୍ରଥମ ଆଲୋ ଏବଂ ଡେଲି ଷ୍ଟାର ଖବର କାଗଜର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଏହାସହ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି । ଏହାବ୍ୟତୀତ କାଜସାହିରେ ଥିବା ଆଗାମୀ ଲିଗର କାର୍ଯ୍ୟାଳୟକୁ ମଧ୍ୟ ଜାଳି ଦେଇଛନ୍ତି । ତେବେ ଦେଶରେ ବଢୁଥିବା ହିଂସାକୁ ନେଇ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଢାକାରେ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ।

ରିପୋର୍ଟ ଅନୁସାରେ, ଗୁରୁବାର ଶରିଫଙ୍କ ମୃତ୍ୟୁ ଖବର ବାଂଲାଦେଶରେ ବନାଗ୍ନୀ ଭଳି ବ୍ୟାପି ଯାଇଥିଲା । ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ । ସେମାନେ ଶରିଫଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ କରିଛନ୍ତି । ପ୍ରଥମେ ପ୍ରଦର୍ଶନକାରୀମାନେ କରଓ୍ୱାନ ବଜାର ସ୍ଥିତ ପ୍ରଥମ ଓଲୋର କାର୍ଯ୍ୟାଳୟରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । କାଗଜପତ୍ର ବାହାର କରି ନିଆଁ ଲଗାଇ ଦେଇଥିଲେ ।

ସ୍ଥାନୀୟ ମିଡିଆ ଅନୁସାରେ, ଅନେକ ସାମ୍ବାଦିକ ଏବଂ କର୍ମଚାରୀ କାର୍ଯ୍ୟାଳୟରେ ଏବେବି ଫସି ରହିଛନ୍ତି । ଏହାପରେ ଉପଦ୍ରବକାରୀମାନେ ଡେଲି ଷ୍ଟାର ଦପ୍ତରରେ ଆକ୍ରମଣ କରିଥିଲେ । ସେଠାରେ ମଧ୍ୟ ସେମାନେ ଭଙ୍ଗାରୁଜା କରିଥିଲେ ।

 

ଭାରତ ବିରୋଧରେ ନାରାବାଜି

ବିଳମ୍ବିତ ରାତ୍ରରେ ପ୍ରଦର୍ଶନକାରୀମାନେ ଭାରତୀୟ ହାଇ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ନାରାବାଜି କରିଥିଲେ । ଏପରିକି ଫଥର ମଧ୍ୟ ଫିଙ୍ଗିଥିଲେ । ଏହାସହ ସେମାନେ ଭାରତ ବିରୋଧୀ ନାରା ଦେଇଥିଲେ ।

ସୂଚନାଯୋଗ୍ୟ ଡିସେମ୍ବର ୧୨ ତାରିଖରେ ଢାକାର ବିଜୟ ନଗର ଅଞ୍ଚଳରେ ଶରିଫଙ୍କୁ କିଛି ଅଜ୍ଞାତ ଆକ୍ରମଣକାରୀ ଗୁଳି ମାରିଥିଲେ । ସେ ଗୁରୁତର ହୋଇଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଢାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏୟାର ଆମ୍ବୁଲାନ୍ସ ଯୋଗେ ସିଙ୍ଗାପୁର ପଠାଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା ।