ପାକିସ୍ତାନରେ ମୁଦ୍ରାସ୍ଫୀତିର ‘ମହାବିସ୍ଫୋରଣ’ ପେଟ୍ରୋଲ-ଡିଜେଲ ୨୦% ମହଙ୍ଗା

NEWS7
seeing-these-2-signs-during-journey-proved-lucky

ଇସ୍ଲାମାବାଦ ୧୪।୩: ପାକିସ୍ତାନ ଅର୍ଥବ୍ୟବସ୍ଥା ଏବେ ପୁଣି ଥରେ ଦାରୁଣ ସ୍ଥିତିକୁ ପହଞ୍ଚି ଯାଇଛି। ତଥ୍ୟ ଅନୁସାରେ ଦେଶର ସ୍ୱଳ୍ପକାଳୀକ ମୁଦ୍ରସ୍ଫୀତି ସୂଚକାଙ୍କ ସେନସେଟିଭ ପ୍ରାଇସ୍ ଇଣ୍ଡିକେଟର (ଏସପିଆଇ) ୧୧ ମାର୍ଚ୍ଚରେ ଶେଷ ହୋଇଥିବା ସପ୍ତାହରେ ବାର୍ଷିକ ଆଧାରରେ ୬.୪୪% ବଢି ଯାଇଛି। ପାକିସ୍ତାନ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ୍ସ(ପିବିଏସ) ରିପୋର୍ଟ ଅନୁସାରେ ଏହି ସୂଚକାଙ୍କ ଗତ ସପ୍ତାହ ତୁଳନାରେ ୧.୮୯% ବଢି ଯାଇଛି। ଏଥିରୁ ଘରୋଇ ଉପଯୋଗରେ ଆସୁଥିବା ସାମଗ୍ରୀର ଉଚ୍ଚ ମୂଲ୍ୟ ବୃଦ୍ଧିକୁ ଦର୍ଶାଉଛି।

ପେଟ୍ରୋଲ-ଡିଜେଲ ଓ ରନ୍ଧନ ଗ୍ୟାସ ଦର ଆକାଶ ଛୁଆଁ
ଏଥିରେ ସାଧାରଣ ଲୋକଙ୍କ ଲାଗି ଇନ୍ଧନ ମୂଲ୍ୟରେ ହୋଇଥିବା ବଡ଼ ବୃଦ୍ଧି ଏବେ ଝଟକା ସାବ୍ୟସ୍ତ ହୋଇଛି। ରିପୋର୍ଟ ଅନୁସାରେ ପେଟ୍ରୋଲ ଦରରେ ୨୦.୬୦% ଡିଜେଲ ମୂଲ୍ୟରେ ୧୯.୫୪% ସାପ୍ତାହିକ ବୃଦ୍ଧି ହୋଇଛି। ଏହା ଛଡା ଏଲପିଜି ମୂଲ୍ୟରେ ୧୨.୧୩ ପ୍ରତିଶତ ବୃଦ୍ଧି ଲୋକଙ୍କୁ ହତାସ କରୁଛି। ଇନ୍ଧନ ମୂଲ୍ୟବୃଦ୍ଧି ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧିରେ ସହାୟକ ହୋଇଛି।

ଥାଳିରୁ ଦୂରେଇଲା ଖାଦ୍ୟ
ପାକିସ୍ତାନରେ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ଏବେ ଆକାଶ ଛୁଆଁ ହୋଇଛି। ସପ୍ତାହକ ମଧ୍ୟରେ ପିଆଜ ୯.୬୩%, କଦଳି ୧.୪୪% ଓ ଗହମ ଅଟା ୧.୨୮% ମହଙ୍ଗା ହୋଇଯାଇଛି। ଏହା ଛଡା ଚିକେନ, ଡାଲି, ମାଂସ, ଚୁଲି ପାଇଁ କାଠ ଓ ଦୁଗ୍ଧ ଭଳି ମୌଳିକ ସାମଗ୍ରୀର ମୂଲ୍ୟ ମଧ୍ୟ ବଢିଛି। ଏଣୁ ଦେଶରେ ସାଧାରଣ ଲୋକଙ୍କ ଘର ଖର୍ଚ୍ଚ ବିଗିଡି ଯାଇଛି।

ବିଦେଶୀ ସହାୟତା ଓ ଆଇଏମଏଫ ସାହା
ପାକିସ୍ତାନର ଆର୍ଥିକ ସ୍ଥିତି ଏତେ ଗୁରୁତର ହୋଇପଡିଛି ଯେ ବିଦେଶୀ ସହାୟତା ଓ ରେମିଟେଂସ ଉପରେ ସମ୍ପୂର୍ଣ୍ଣ ନିର୍ଭର ହୋଇପଡିଛି। ପାକିସ୍ତାନ ଜିଡିପିରେ ରେମିଟେନ୍ସର ଅଂଶ ପାଖାପାଖି ୧୦%କୁ ପହଞ୍ଚିଛି, ଏହା ତାର ମୋଟ ରପ୍ତାନୀ ଆୟ ସହିତ ସମାନ। ଏହି ନିର୍ଭରତା ଦେଶର ବନ୍ଦ ପଡିଥିବା କାରଖାନା, ଉଚ୍ଚ ବେକାରୀ ହାର ଓ କମ ଉତ୍ପାଦନ କ୍ଷମତା ଭଳି ଭିତ୍ତିଭୂମି ଦୁର୍ବଳତାକୁ ଲୁଚାଉଛି। ତଥ୍ୟରୁ ଜଣାପଡେ ଯେ ୧୯୫୮ରୁ ଏପର୍ଯ୍ୟନ୍ତ ପାକିସ୍ତାନ ୨୬ ଥର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଗରେ ହାତ ପାତିଲାଣି। ବିଶ୍ୱର କୌଣସି ଦେଶ ତୁଳନାରେ ଏହା ସର୍ବାଧିକ। ଏଥିରେ ପାକିସ୍ତାନ ବିଭିନ୍ନ କାର୍ଯ୍ୟକ୍ରମରେ ୩୪ ବିଲିୟନ ଡଲାରରୁ ଅଧିକ ସହାୟତା ନେଇଛି। ଏଣୁ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ୨୦୨୬ରୁ ୨୦୩୧ ମଧ୍ୟରେ ପାକିସ୍ତାନ ଉପରେ ଋଣ, ମୁଦ୍ରାସ୍ଫୀତି ଓ ଦାରିଦ୍ର୍ୟତାର ସଂକଟ ଆହୁରି ଗମ୍ଭୀର ହୋଇ ପାରେ।