ଅହମ୍ମଦାବାଦ: ଅହମ୍ମଦାବାଦର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗୁରୁବାର ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିବା ବିମାନରେ କ୍ରୁ ସଦସ୍ୟ ସମେତ ମୋଟ୍ ୨୪୨ ଯାତ୍ରୀ ଥିଲେ। ଉଡ଼ାଣ ଭରିବାର ୫ ମିନିଟ୍ ପରେ ବିମାନଟି ବିମାନ ବନ୍ଦର ନିକଟସ୍ଥ ଜନବହୁଳ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ କ୍ରାଶ ହେବା ପରେ ବିଜେ ମେଡିକାଲ କଲେଜର କୋଠାରେ ଧକ୍କା ହୋଇଛି। ଦେଖନ୍ତୁ ଫଟୋରେ ବିମାନ ଦୁର୍ଘଟଣାର ଭୟାବହ ଚିତ୍ର।
ବିମାନରେ ୨୩୦ ଯାତ୍ରୀ ଏବଂ ୧୨ କ୍ରୁ ମେମ୍ବର ଥିଲେ। ଘଟଣାସ୍ଥଳରେ ବିମାନ ଜଳୁଥିବା ଏବଂ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଅପରାହ୍ଣ ୧ଟା ୩୮ରେ ଅହମ୍ମଦାବାଦ ବିମାନ ବନ୍ଦରର ରନଓ୍ଵେ ୨୩ରୁ ଏୟାର ଇଣ୍ଡିଆର ବିମାନର ଉଡ଼ାଣ ଭରିଥିଲା। ଟେକଅଫ ତୁରନ୍ତ ପରେ ବିମାନ ଏଟିସିକୁ ମେଡେ କଲ୍ କରିବା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
କ୍ରାଶ ହେବା ପରେ ବିମାନଟି କଲେଜରେ ପିଟି ହୋଇଛି। ଫଳରେ ୨୦ରୁ ଅଦିକ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।
ଏଡିଏମ-ବି ଡାଟାରୁ ଜଣା ପଡ଼ିଛି ଯେ ବିମାନ ୬୨୫ ଫୁଟ୍ ବାରୋମିଟରିକ ଉଚ୍ଚତା ପର୍ଯ୍ୟନ୍ତ ଉଠିଥିଲା ଏବଂ ମାଇନସ ୪୭୫ ଫୁଟ୍ ପ୍ରତି ମିନିଟର ଭର୍ଟିକାଲ ସ୍ପିଡ ସହ ତଳକୁ ଖସିଥିଲା।
ଦୁର୍ଘଟଣା ପରେ ଦୁର୍ଘଟଣାସ୍ଥଳର ଅନେକ ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ଏଥିରେ ବିମାନ ବଡ଼ ବିସ୍ଫୋରଣ ସହ ତଳକୁ ଖସିଥିବା ଦେଖିବାକୁ ମିଳିଛି।
ଏୟାର ଇଣ୍ଡିଆ ଅନୁଯାୟୀ, ବିମାନରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିଶ ନାଗରିକ, ଜଣେ କାନାଡ଼ାଇ ନାଗରିକ ଓ ୭ ପର୍ତ୍ତୁଗାଲ ନାଗରିକ ଥିଲେ।
ତେବେ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ମୃତାହତ ସଂଖ୍ୟା ସ୍ପଷ୍ଟ ହୋଇ ନାହିଁ। ଘଟଣାସ୍ଥଳରେ ଫାୟର ବ୍ରିଗେଡ, ଏନଡିଆରଏଫ ରିଲିଫ ଓ ଉଦ୍ଧାରକାର୍ଯ୍ୟରେ ଜୁଟିଛନ୍ତି।