ନୂଆଦିଲ୍ଲୀ, ୨୪/୦୪: ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେବା ସତ୍ତେ୍ୱ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନ ଥିଲା ଜମ୍ମୁ-କାଶ୍ମୀରର ‘ମିନି-ସ୍ୱିଜରଲ୍ୟାଣ୍ଡ’ କୁହାଯାଉଥିବା ପହଲଗାମ୍ରେ । ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ସତ୍ତେ୍ୱ ପହଲଗାମ୍-ବୈସରନ୍ ମାର୍ଗରେ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିଲା । ରିପୋର୍ଟ ଅନୁସାରେ, ସାଢ଼େ ୫ କିମି ରାସ୍ତାରେ ଗୋଟିଏ ହେଲେ ପୁଲିସ ପିକେଟିଂ ନ ଥିଲା । ଦୁର୍ଗମ, ପାହାଡ଼ିଆ ଏବଂ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ଏଠାରେ ଆକ୍ରମଣ କରିବା ସହଜ ବୋଲି ଜାଣିନେଇଥିଲେ ଆତଙ୍କୀ ।
ଫଳରେ ଆକ୍ରମଣବେଳେ ସେମାନଙ୍କୁ ସେନାର ଭୟ ଘାରି ନ ଥିଲା ଏବଂ ନରସଂହାର ପରେ ସେଠାରୁ ଖସିଯିବାରେ ସେମାନେ ସଫଳ ହୋଇଥିଲେ । ପୂର୍ବରୁ ଏହି ପର୍ଯ୍ୟଟନସ୍ଥଳରେ ସୁରକ୍ଷାରେ ଥିବା ଗ୍ୟାପ୍ ବା ବ୍ୟବଧାନକୁ ନେଇ ଚିନ୍ତା ପ୍ରକଟ ହୋଇଥିଲେ ହେଁ ପହଲଗାମ୍ ଆକ୍ରମଣ ପରେ ସେଠାରେ ସୁରକ୍ଷାର ଖାଲିସ୍ଥାନକୁ ପୂରଣ କରିବା ଲାଗି ଏବେ ତତ୍ପର ହୋଇଛି ସେନା ।
ରିପୋର୍ଟ ଅନୁସାରେ, ଏହି ପାର୍ବତ୍ୟାଞ୍ଚଳରେ ସେନା ଏବଂ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ସ୍ଥାୟୀ ଉପସ୍ଥିତି ପାଇଁ ଭାରତୀୟ ସେନା ରଣନୀତି ପ୍ରସ୍ତୁତ କରୁଛି । ଏଥିସହ ଆଗକୁ ଅମରନାଥ ଯାତ୍ରାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନକୁ ନୂଆ କରି ଅବସ୍ଥାପନ କରିବା ଜରୁରି ବୋଲି ସୁରକ୍ଷା ଏଜେନ୍ସି ଅଧିକାରୀମାନେ ଗୁରୁତ୍ୱ ଦେଇଛନ୍ତି ।
ପ୍ରକାଶଥାଉ କି, ଆସନ୍ତା ଜୁଲାଇ ୩ରେ ଅମରନାଥ ଯାତ୍ରା ଆରମ୍ଭ ହେବ । ଏବେ ଘନ ଜଙ୍ଗଲ ଘେରା ବୈସରନ ଉପତ୍ୟକାର ଘାସ ମଇଦାନ ଆଖପାଖରେ ସୁରକ୍ଷା କର୍ମଚାରୀଙ୍କ ଅଭାବ ରହିଛି । ନିକଟରେ କେବଳ ରାଷ୍ଟ୍ରୀୟ ରାଇଫଲ୍ସ(ଆର୍ଆର୍)ର ତୃତୀୟ ବାଟାଲିୟନର ଗୋଟିଏ ୟୁନିଟ୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆର୍ପିଏଫ୍)ର ୧୧୬ତମ ବାଟାଲିୟନର ଗୋଟିଏ କମ୍ପାନୀ ରହିଛି । ଏହି ଯବାନଙ୍କୁ ବୈସରନ ଅଞ୍ଚଳରେ ପହଞ୍ଚିବା ଲାଗି ବେଶ୍ ସମୟ ଲାଗିଥାଏ ।
କାରଣ ପହଲଗାମ୍ ଯବାନଙ୍କ ପୋଷ୍ଟଠାରୁ ପ୍ରାୟ ୧୦ରୁ ୧୧ କିମି ଦୂରରେ ରହିଥିବା ବେଳେ ସେଠାକୁ କେବଳ ଚାଲିଚାଲି କିମ୍ବା ଖଚର ମାଧ୍ୟମରେ ଯାଇହୋଇଥାଏ । ସାଧାରଣତଃ ସୁରକ୍ଷା ବାହିନୀ କାଶ୍ମୀର ଉପତ୍ୟକାରେ ଚେକ୍ପୋଷ୍ଟ ସ୍ଥାପନ କରି ପର୍ବତ ଶିଖରରେ ପାଟ୍ରୋଲିଂ କରିଥାନ୍ତି । ଚେକ୍ପୋଷ୍ଟରୁ ବିଭିନ୍ନ ସ୍ଥାନକୁ ପହଞ୍ଚିବାକୁ ବ୍ୟବସ୍ଥା କରାଯାଏ ।
କିନ୍ତୁ ପହଲଗାମ୍ ଘଟଣା ପରେ ସୁରକ୍ଷା ଏଜେନ୍ସି ଏଣିକି ସୈନିକଙ୍କ ପୁନଃ ମୁତୟନ ଲାଗି ରଣନୀତି ବନାଉଛି, ଯାହା ଫଳରେ ବୈସରନ ଘାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ସମ୍ଭାବିତ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ବନକ୍ଷେତ୍ରକୁ ସୁରକ୍ଷିତ କରାଯାଇପାରିବ ।