ଛାଡ଼ପତ୍ର ମାମଲାରେ ପ୍ରମାଣ ଭାବରେ ସ୍ୱାମୀ-ସ୍ତ୍ରୀଙ୍କ ରେକର୍ଡିଂ ଗ୍ରହଣୀୟ: ସୁପ୍ରିମକୋର୍ଟ

Published By : Prameya-News7 Bureau | July 15, 2025 IST

News7

ନୂଆଦିଲ୍ଲୀ: ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ବାର୍ତ୍ତାଳପର ଟେଲିଫୋନ୍ କଲ୍‌ ରେକର୍ଡ ଛାଡପତ୍ର ମାମଲାରେ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ।ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପତ୍ନୀଙ୍କ ଅଜଣାତରେ ନିଆଯାଇଥିବା କଲ ରେକର୍ଡିଂ ଛାଡ଼ପତ୍ର ମାମଲାରେ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏକ ବୈବାହିକ ମାମଲା ଶୁଣାଣି ସମୟରେ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ବିଚାରପତି ବି.ଭି. ନାଗରଥନା ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ।

ଖଣ୍ଡପୀଠ କହିଛନ୍ତି ଯେ ଭାରତୀୟ ପ୍ରମାଣ ଆଇନର ଧାରା ୧୨୨ ଅନୁଯାୟୀ, ସମ୍ମତି ବିନା ବୈବାହିକ ବାର୍ତ୍ତାଳାପ ପ୍ରକାଶ କରିବା ଉପରେ ନିଷେଧ ଅଛି, କିନ୍ତୁ ଏଥିରେ ଏକ ବ୍ୟତିକ୍ରମ ଅଛି। ଏହି ବ୍ୟତିକ୍ରମ ବୈବାହିକ ବିବାଦରେ ପ୍ରଯୁଜ୍ୟ ଯେଉଁଠାରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଆଇନଗତ ପ୍ରକ୍ରିୟା ଚାଲିଛି। କୋର୍ଟ କହିଛନ୍ତି ଯେ ଏହି ମାମଲାରେ ଗୋପନୀୟତାର କୌଣସି ଉଲ୍ଲଂଘନ ହୋଇନାହିଁ।

ଜଣେ ସ୍ୱାମୀ ୨୦୧୭ ମସିହାରେ ଛାଡପତ୍ର ପାଇଁ ଏକ ଆବେଦନ ଦାଖଲ କରିଥିଲେ। ପ୍ରମାଣ ଭାବରେ ତାଙ୍କ ସ୍ତ୍ରୀଙ୍କ ସହିତ ଟେଲିଫୋନ୍ କଥାବାର୍ତ୍ତାର ଏକ କମ୍ପାକ୍ଟ ଡିସ୍କ ଅର୍ଥାତ୍ ସିଡି କିମ୍ବା ମେମୋରୀ କାର୍ଡ ଉପସ୍ଥାପନ କରିଥିଲେ। ସ୍ୱାମୀ ଦାବି କରିଥିଲେ ଯେ ଏହି ରେକର୍ଡିଂଗୁଡ଼ିକ ତାଙ୍କ ସ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ମାନସିକ ନିଷ୍ଠୁରତାକୁ ପ୍ରମାଣିତ କରେ। ବଠିଣ୍ଡା ଫ୍ୟାମିଲି କୋର୍ଟ ଏହି ସିଡିକୁ ପ୍ରମାଣ ଭାବରେ ଗ୍ରହଣ କରିବାକୁ ଅନୁମତି ଦେଇଥିଲେ।

କିନ୍ତୁ ପତ୍ନୀ ଏହି ନିଷ୍ପତ୍ତିକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ପତ୍ନୀଙ୍କ ଅଜାଣତରେ ତାଙ୍କର ଟେଲିଫୋନ୍ ବାର୍ତ୍ତାଳାପ ରେକର୍ଡ କରିବା ଗୋପନୀୟତାର ମୌଳିକ ଅଧିକାରର ସ୍ପଷ୍ଟ ଉଲ୍ଲଂଘନ। ଏହାକୁ ଫାମିଲି କୋର୍ଟରେ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ କହିଥିଲେ କୋର୍ଟ।

ସୁପ୍ରିମ କୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରି କହିଥିଲେ ଯେ ଧାରା ୧୨୨ର ବ୍ୟତିକ୍ରମକୁ ଏକ ନିରପେକ୍ଷ ବିଚାରର ଅଧିକାର ସହିତ ସନ୍ତୁଳିତ କରାଯିବା ଆବଶ୍ୟକ, ଯାହା ସମ୍ବିଧାନର ଧାରା ୨୧ର ଅଂଶ। କୋର୍ଟ କହିଛନ୍ତି, "ଯଦି ବିବାହ ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠାରେ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ଉପରେ ଗୁପ୍ତଚର କରୁଛନ୍ତି, ତେବେ ଏହା ନିଜେ ସମ୍ପର୍କ ଭାଙ୍ଗିବାର ଏକ ଲକ୍ଷଣ ଏବଂ ସେମାନଙ୍କ ମଧ୍ୟରେ ବିଶ୍ୱାସର ଅଭାବକୁ ଦର୍ଶାଉଛି।"

ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଧାରା 122 ଅନୁଯାୟୀ ଗୋପନୀୟତାର ଅଧିକାର ସମ୍ପୂର୍ଣ୍ଣ ନୁହେଁ ଏବଂ ଏହାକୁ ବୈବାହିକ ବିବାଦରେ ଏକ ନିରପେକ୍ଷ ବିଚାର ପରିପ୍ରେକ୍ଷୀରେ ଦେଖାଯିବା ଉଚିତ। ଏହା ବ୍ୟତୀତ ପରିବାର ଅଦାଲତ ଆଇନ, ୧୯୮୪ର ଧାରା ୧୪ ଏବଂ ୨୦କୁ ଉଦ୍ଧୃତ କରି କୋର୍ଟ କହିଛନ୍ତି ଯେ ବୈବାହିକ ବିବାଦରେ ସତ୍ୟ ଖୋଜିବା ଏବଂ ନିରପେକ୍ଷ ଶୁଣାଣି ସୁନିଶ୍ଚିତ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ବୈବାହିକ ମାମଲା ଏବଂ ବିଶେଷକରି ମାନସିକ ନିଷ୍ଠୁରତାର ଅଭିଯୋଗରେ ଏପରି ପରିସ୍ଥିତିରେ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରି ପ୍ରମାଣ ଉପସ୍ଥାପନ କରିବା ଜରୁରୀ ହୋଇପଡ଼େ। ପରିବାର ଅଦାଲତକୁ ମାମଲାକୁ ଆଗକୁ ନେବାକୁ ଏବଂ ରେକର୍ଡିଂକୁ ନ୍ୟାୟିକ ଭାବରେ ପ୍ରକ୍ରିୟାକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.