'ଇସଲାମ ସାରା ବିଶ୍ୱର ସୁରକ୍ଷା ପାଇଁ ବିପଦ' : ଆମେରିକା ଗୁଇନ୍ଦା ନିର୍ଦ୍ଦେଶକଙ୍କ ବୟାନକୁ ନେଇ ଚର୍ଚ୍ଚା

NEWS7
school-locked-down-due-to-teacher-shortage-in-athagarh

ନୂଆଦିଲ୍ଲୀ, ୧୭/୧୨:ଅଷ୍ଟ୍ରେଲିଆର ବଣ୍ଡି ବିଚରେ ଘଟିଥିବା ଗୁଳିକାଣ୍ଡ ସାରା ବିଶ୍ୱକୁ ସ୍ତବ୍ଧ କରିଛି । ଘଟଣାକୁ ବିଶ୍ୱର ବଡ ବଡ ନେତା ସମାଲୋଚନା କରିବା ସହ ନିନ୍ଦା କରିଛନ୍ତି । ଏହାରି ମଧ୍ୟରେ ବଡ ବୟାନ ଦେଇଛନ୍ତି ଆମେରିକା ନ୍ୟାଶନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର ତୁଲସୀ ଗବାର୍ଡ୍ । ଇସଲାମ୍ ଏବଂ ଇସଲାମିକ୍ ବିଚାରଧାରା ଖାଲି ଆମେରିକା ନୁହେଁ ବରଂ ସାରା ବିଶ୍ୱ ପାଇଁ ବିପଦ ବୋଲି ସେ କହିଛନ୍ତି ।

ୟୁଏସ ଜାତୀୟ ଗୁଇନ୍ଦା ମୁଖ୍ୟ ଆହୁରି କହିଛନ୍ତି ଯେ, ଇସଲାମ୍ ସାରା ବିଶ୍ୱର ସ୍ୱାଧିନତା, ସୁରକ୍ଷା ଏବଂ ସମୃଦ୍ଧି ପାଇଁ ବିପଦ । ଅଷ୍ଟ୍ରେଲିଆରେ ଇସଲାମ୍ ଧର୍ମାବଲମ୍ବୀଙ୍କ ଅତ୍ୟଧିକ ପ୍ରବେଶ ଏପରି ଘଟଣା ପାଇଁ ଦାୟୀ । ଇସଲାମିଷ୍ଟ୍ ମାନେ କେବଳ ଅଷ୍ଟ୍ରେଲିଆ ନୁହେଁ ସାରା ବିଶ୍ୱ ପାଇଁ ସମସ୍ୟା । ସେମାନେ ସବୁ ଦେଶକୁ ଇସଲାମିକରଣ କରିବାକୁ ଚାହୁଁଛନ୍ତି । ଯାହା ଆମେରିକା ସହ ସାରା ବିଶ୍ୱ ପାଇଁ ଶୁଭଙ୍କର ନୁହେଁ ।

ୟୁରୋପ ଏବଂ ଅଷ୍ଟ୍ରେଲିଆକୁ ନେଇ ମଧ୍ୟ ତୁଲସୀ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ୟୁରୋପ ପାଇଁ ଅଧିକ ବିଳମ୍ବ ହୋଇ ସାରିଛି । ଅଷ୍ଟ୍ରେଲିଆ ହାତରୁ ବହୁତ କିଛି ପରିସ୍ଥିତି ଖସି ଯାଇଛି । ତେବେ ଆମେରିକା ପାଖରେ ଏବେ ସମୟ ଅଛି । କିନ୍ତୁ ଏହି ସମୟ ଅଧିକ ଦିନ ଧରି ରହିବ ନାହିଁ ।

ଏହାସହ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନୀତିକୁ ସମର୍ଥନ କରିଛନ୍ତି । ଟ୍ରମ୍ପ୍ ୟୁଏସର ସୀମାକୁ ସୁରକ୍ଷା ଦେବା ପାଇଁ ପ୍ରତିବଦ୍ଧ ଅଛନ୍ତି । ସନ୍ଦଗ୍ଧ ଆତଙ୍କବାଦୀଙ୍କୁ ଦେଶରୁ ବିଦା କରିବା ପାଇଁ ଜୋର୍ ଦିଆଯାଉଛି । ବିନା ଯାଞ୍ଚରେ ଆମେରିକାକୁ ଆସୁଥିବା ପ୍ରବାସୀଙ୍କୁ ରୋକାଯାଉଛି । ଯାହା ଆମେରିକା ପାଇଁ ପୂର୍ବରୁ ବିପଦ ସୃଷ୍ଟି କରି ଆସିଛି । ଏବେ ଆମେରିକା ପାଖରେ ସମୟ ଅଛି । କିନ୍ତୁ ୟୁରୋପ ଏବଂ ଅଷ୍ଟ୍ରେଲିଆ ହାତରୁ ସବୁ କିଛି ଖସି ଯାଇଥିବା ସେ ପ୍ରକାଶ କରିଛନ୍ତି ।