ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ଚାଲିଥିବା ପୁନଃ ନିରୀକ୍ଷଣ(ଏସଆଇଆର) ମାମଲାରେ ସୁପ୍ରିମକୋର୍ଟରେ ଚାଲିଛି ଗୁରୁତ୍ଵପୁର୍ଣ୍ଣ ଶୁଣାଣି। ସୁପ୍ରିମକୋର୍ଟ ଗୁରୁବାର ମତଦାତା ଗଣତି ପାଇଁ ଆଧାରକାର୍ଡ, ଭୋଟର ଆଇଡି କାର୍ଡ ଓ ରାସନକାର୍ଡକୁ ବୈଧ୍ୟ କାଗଜପତ୍ର ଭାବେ ସାମିଲ କରିବା ଉପରେ ବିଚାର କରନ୍ତୁ ବୋଲି ଆୟୋଗଙ୍କୁ କହିଛନ୍ତି। କୋର୍ଟ ଭୋଟର ତାଲିକାର ଭେରିଫିକେସନର ସମୟ ଓ ତରିକାକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ଶୁଣାଣି କରିବାକୁ କୋର୍ଟ ସହମତି ପ୍ରକାଶ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ ତାରିଖ ଧାର୍ଯ୍ୟ କରାଯାଇଛି। କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିଜର ଜବାବ ଦାଖଲ ପାଇଁ ଜୁଲାଇ ୨୧ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ତେବେ ମାମଲାରେ କୌଣସି ଅନ୍ତରୀଣ ଆଦେଶ ପାରିତ କରି ନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
Also read: ଆସିବ କି ୫୦ ଟଙ୍କିଆ କଏନ ? ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର
ଜଷ୍ଟିସ ସୁଧାଂଶୁ ଧୂଲିଆ ଓ ଜଷ୍ଟିସ ଜୟମାଲ୍ୟା ବାଗଚୀଙ୍କ ପୀଠ ନିର୍ବାଚନର କିଛି ମାସ ପୂର୍ବରୁ ସଂଶୋଧନ ଆରମ୍ଭ କରିବା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ ଧୂଲିଆ କହିଛନ୍ତି ଯଦି ଆପଣଙ୍କୁ ନିର୍ବାଚନ ନିକଟତର ଥିବା ବେଳେ ଭୋଟର ତାଲିକାରେ ସଂଶୋଧିତ ପାଇଁ ନାଗରିକ ଯାଞ୍ଚ କରିବାର ଥିଲା ତେବେ ଆପଣଙ୍କୁ ପ୍ରଥମରୁ ପଦକ୍ଷେପ ନେବା ଉଚିତ୍ ଥିଲା। ଏବେ ବହୁତ ବିଳମ୍ବ ହୋଇ ସାରିଛି।
ଅନ୍ୟପଟେ କୋର୍ଟ ଆବେଦନକାରୀଙ୍କ ସେହି ଯାଚିକାକୁ ଖାରଜ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ନିର୍ବାଚନ ଆୟୋଗଙ୍କ ନିକଟରେ ଏହିପରି ଭୋଟର ତାଲିକା ସଂଶୋଧନ କରିବାର ଅଧିକାର ନାହିଁ। ଖଣ୍ଡପୀଠ କହିଛନ୍ତି ଭୋଟର ତାଲିକାରେ ସଂଶୋଧନ କରିବା ନିର୍ବାଚନ ଆୟୋଗଙ୍କ ସାମ୍ବିଧାନିକ ଦାୟିତ୍ଵ। ଏହା ପ୍ରଥମ ଥର ହେଉନାହିଁ। ଏହା ପୂର୍ବରୁ ଗତ ଥର ୨୦୦୩ରେ ଭୋଟର ତାଲିକା ଯାଞ୍ଚ ହୋଇଥିଲା।
ଶୁଣାଣି ସମୟରେ ନିର୍ବାଚନ ଆୟୋଗ ଏସଆଇଆର ସପକ୍ଷରେ କହିଛନ୍ତି, ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ଏବଂ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି। ଆୟୋଗ ଯୁକ୍ତି ବାଢିଛନ୍ତି ଯେ, ଆଧାର ନାଗରିକତାଙ୍କ ବୈଧ୍ୟ ପ୍ରମାଣପତ୍ର ନୁହେଁ। ସମ୍ବିଧାନର ଅନୁଚ୍ଛେଦ ୩୨୬ ଅନୁସାରେ କେବଳ ଭାରତୀୟ ନାଗରିକ ହିଁ ଭୋଟ ଦେବାର ଅଧିକାର ରହିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀ ଦ୍ଵିବେଦୀ ପ୍ରଶ୍ନ କରିଛନ୍ତି ଯେ, ଯଦି ଆୟୋଗ ପାଖରେ ଭୋଟର ତାଲିକା ସଂଶୋଧନ କରିବାର ଅଧିକାର ନାହିଁ, ତେବେ ଆଉ କଣ ଅଛି ?
ଆୟୋଗଙ୍କ ନିଷ୍ପତ୍ତିକୁ ବିରୋଧ କରି ଇଣ୍ଡିଆ ମେଣ୍ଟର ପାର୍ଟି କଂଗ୍ରେସ, ଟିଏମସି, ଆରଜେଡି, ସିପିଏମ, ଏନସିପି(ଶରଦ ଗୋଷ୍ଠୀ), ସିପିଆଇ, ସମାଜବାଦୀ ପାର୍ଟି, ଶିବସେନା(ୟୁବିଟି) ଓ ଜେଏମଏମ ଯାଚିକା ଦାୟର ଭୋଟର ତାଲିକା ଫେରିକିକେସନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ବ୍ୟତୀତ ଦୁଇ ସାମାଜିକ କର୍ମୀ ଅରଶଦ ଅଜମଲ ଓ ରୂପେଶ କୁମାର ମଧ୍ୟ ଭେରିଫିକେସନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଛନ୍ତି ।