ଆସିବ କି ୫୦ ଟଙ୍କିଆ କଏନ ? ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର

Published By : Prameya-News7 Bureau | July 10, 2025 IST

ନୂଆଦିଲ୍ଲୀ ୧୦।୦୭: ଚର୍ଚ୍ଚା ହେଉଥିଲା ବଜାରକୁ ଆସିବ ୫୦ ଟଙ୍କିଆ ନୂଆ କଏନ୍ । ଏହାକୁ ନେଇ କରାଯାଉଥିଲା ଅନେକ କଳ୍ପନାଜଳ୍ପନା । କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଘୋଷଣା ହୋଇଛି । ୫୦ ଟଙ୍କିଆ କଏନକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିଛନ୍ତି । 

କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟକୁ କହିଛନ୍ତି ଯେ କହିଛନ୍ତି, ବର୍ତ୍ତମାନ ୫୦ ଟଙ୍କା କଏନ୍ ଆଣିବାର କୌଣସି ଯୋଜନା ନାହିଁ । ସରକାର ଏକ ଆବେଦନର ଉତ୍ତରରେ କହିଛନ୍ତି ଯେ ଦୃଷ୍ଟିହୀନ ଲୋକଙ୍କ ପାଇଁ ୫୦ ଟଙ୍କିଆ କଏନ୍ ଜାରି କରିବାକୁ ଦାବି କରାଯାଇଥିଲା। ବର୍ତ୍ତମାନ ବଜାରରେ ୧, ୨, ୫, ୧୦ ଏବଂ ୨୦ ଟଙ୍କାର କଏନ୍ ବ୍ୟବହୃତ ହେଉଛି, କିନ୍ତୁ ୫୦ ଟଙ୍କା କଏନ୍ ନାହିଁ। 

ସରକାର କୋର୍ଟକୁ କହିଥିଲେ ଯେ ୨୦୨୨ ମସିହାରେ ରିଜର୍ଭ ବ୍ୟାଙ୍କ ଏକ ସର୍ଭେ କରିଥିଲା, ଯେଉଁଥିରେ ଜଣାପଡ଼ିଥିଲା ଯେ ଲୋକମାନେ ୧୦ ଏବଂ ୨୦ ଟଙ୍କା କଏନ୍ ଅପେକ୍ଷା ନୋଟକୁ ଅଧିକ ପସନ୍ଦ କରନ୍ତି। ଏହାର କାରଣ ହେଉଛି ଭାରୀ ଓଜନ ଏବଂ ବଡ଼ ଆକାର । ଏହି କାରଣରୁ ସରକାର ବର୍ତ୍ତମାନ ୫୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇନାହାଁନ୍ତି । 

ସରକାର କହିଛନ୍ତି ଯେ କୌଣସି ମୂଲ୍ୟର ମୁଦ୍ରା ପ୍ରଚଳନ କରିବା ପୂର୍ବରୁ, ଅନେକ ଜିନିଷର ଧ୍ୟାନ ରଖିବାକୁ ପଡିବ - ଯେପରି ଲୋକମାନେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ କି ନାହିଁ, ଏହା ଦୈନନ୍ଦିନ କାରବାରରେ ଉପଯୋଗୀ ହେବ କି ନାହିଁ, ଇତ୍ୟାଦି।

ପିଟିସନରେ କୁହାଯାଇଛି ଯେ ଅଧିକାଂଶ ନୋଟ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଦୃଷ୍ଟିହୀନ ଲୋକମାନେ ସେଗୁଡ଼ିକୁ ଚିହ୍ନିପାରିବେ । କିନ୍ତୁ ୫୦ ଟଙ୍କିଆ ନୋଟରେ ଏପରି କୌଣସି ବୈଶିଷ୍ଟ୍ୟ ନାହିଁ। ଏହି କାରଣରୁ, ଆବେଦନକାରୀମାନେ ୫୦ ଟଙ୍କାର ମୁଦ୍ରା ପ୍ରଚଳନ କରିବାକୁ ଦାବି କରିଥିଲେ ଯାହା ଦ୍ୱାରା ଅନ୍ଧ ଲୋକମାନେ ମଧ୍ୟ ଏହାକୁ ସହଜରେ ଚିହ୍ନିପାରିବେ।

 ଏହାକୁ ନେଇ ସରକାର କୋର୍ଟକୁ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ MANI ନାମକ ଏକ ମୋବାଇଲ୍ ଆପ୍ ତିଆରି କରିଛି, ଯାହା ସାହାଯ୍ୟରେ ଦୃଷ୍ଟିହୀନ ଲୋକମାନେ ନୋଟର ମୂଲ୍ୟ ଶୁଣି ଚିହ୍ନିପାରିବେ । ଏଥିପାଇଁ ବର୍ତ୍ତମାନ ୫୦ ଟଙ୍କିଆ ମୁଦ୍ରା ପ୍ରଚଳନର କୌଣସି ଆବଶ୍ୟକତା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.