ସାଟେଲାଇଟ୍ ଫଟୋ ଖୋଲିଲା ପାକିସ୍ତାନର ମୁଖା, ଆଦମପୁର ଏୟାରବେସ୍ ଉପରେ ଆକ୍ରମଣ ଦାବି ମିଛ

Published By : Prameya-News7 Bureau | June 08, 2025 IST

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଏୟାରବେସ୍ ଭାରତର କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ ହୋଇଛି । ଅନ୍ୟପଟେ ପାକିସ୍ତାନ କିନ୍ତୁ ନିଜ ଜନତାଙ୍କୁ ଖୁସି କରାଇବା ପାଇଁ ମିଛ ଦାବି କରିବାରେ ଲାଗିଛି । ପାକିସ୍ତାନ ଦାବି କରିଥିଲା ଯେ ସେ ଭାରତର ଆଦମପୁର ଏୟାରବେସ ଉପରେ ଆକ୍ରମଣ କରିଥିଲା ଓ ସୁଖୋଇ ବିମାନକୁ କ୍ଷତି ପହଞ୍ଚାଇଛି । ଭାରତ ସ୍ପଷ୍ଟ ଭାବରେ ଏହି ଦାବିକୁ ଖଣ୍ଡନ କରିଥିଲା । ନିଜେ ପ୍ରଧାନମନ୍ତ୍ରୀ ମୋଦୀ ସେନାର ଯବାନଙ୍କୁ ଭେଟିବା ପାଇଁ ଆଦମପୁର ଏୟାରବେସ୍ ପହଞ୍ଚିଥିଲେ । ଏୟାରବେସ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ପ୍ରମାଣିତ ହୋଇଥିଲା । 

ବର୍ତ୍ତମାନ, ଜିଓ ପଲିଟିକ୍ସ ଏକ୍ସପର୍ଟ ଡେମିୟନ ସାଇମନ ଏକ୍ସର ଫଟୋ ସହ ପାକିସ୍ତାନ କରୁଥିବା ଦାବିର ଫ୍ୟାକ୍ଟ ଚେକ୍ କରିଛନ୍ତି । ସେ ଲେଖିଛନ୍ତି, ରିପୋର୍ଟର ଦାବି କରାଯାଇଥିଲା ଯେ ପାକିସ୍ତାନ ଆଦମପୁର ଏୟାରବେସ୍ ଉପରେ ଆକ୍ରମଣ କରିଛି ଓ ସୁଖୋର ଏସୟୁ-୩୦ ଏମକେଆଇ ବିମାନକୁ କ୍ଷତି ପହଞ୍ଚାଇଛି । କିନ୍ତୁ ପାକିସ୍ତାନ ସଂଘର୍ଷର ଦୁଇ ମାସ ପୂର୍ବରୁ ମାର୍ଚ୍ଚରେ ନିଆଯାଇଥିବା ସାଟେଲାଇଟ୍ ଫଟୋ ସେୟାର କରିଛି । ଏଥିରେ ମିଗ୍-୨୯ରେ ରକ୍ଷଣାବେକ୍ଷଣ କରାଯାଉଛି ଓ ଇଞ୍ଜିନ୍ ଟେଷ୍ଟ ପ୍ୟାଡ୍ ନିକଟରେ ନଜର ଆସୁଥିବା କଳା କଳି ଏକ ସାଧାରଣ କଥା । ଏହା ସଂଘର୍ଷରେ ହୋଇଥିବା କ୍ଷତି ନୁହେଁ ।

ଭାରତ ସହ ସଂଘର୍ଷ ବେଳେ ପାକିସ୍ତାନ ଦାବି କରିଥିଲା ଯେ ଜେଏଫ୍-୧୭ ଯୁଦ୍ଧ ବିମାନରେ ମାଡ଼ କରିଥିବା ମିସାଇଲ୍ ଆଦମପୁରରେ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଛି । ତେବେ ଏଥିରେ ଆଦୌ ସତ୍ୟତା ନାହିଁ । ପାକିସ୍ତାନ ଜମ୍ମୁରୁ ଗୁଜରାଟ ଯାଏ ତୁର୍କୀ ନିର୍ମିତ ଡ୍ରୋନ୍ ଜରିଆରେ ଆକ୍ରମଣ କରିଥିଲା କିନ୍ତୁ ଭାରତ ସବୁ ଡ୍ରୋନକୁ ଆକାଶରେ ହିଁ ମାରି ଖସାଇଥିଲା । ଏହାସହ ପାକିସ୍ତାନର ଅନେକ ଏୟାରବେସ୍ ଭାରତର ମିସାଇଲ୍ ମାଡ଼ରେ ବ୍ୟାପକ କ୍ଷତି ସହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.