ବାସୁଦେବପୁର ୦୮।୦୬ : ଓଲଟିଲା ବାଲି ବୋଝେଇ ଟ୍ରକ । ଭଦ୍ରକ ଜିଲ୍ଲା ବାସୁଦେବପୁର ପଦ୍ମପୁର ରାସ୍ତାର ଶୁକଦେବପୁର ଛକ ପାଖରେ ଓଲଟିଲା ବାଲି ବୋଝେଇ ଟ୍ରକ । ଅଳ୍ପକେ ବର୍ତ୍ତି ଗଲେ ରାସ୍ତା କଡରେ ଥିବା ଏକ ପରିବାର ।
ଖବର ଅନୁଯାୟୀ, ରବିବାର ଭୋର ସମୟରେ ଟ୍ରକଟି ଯାଜପୁରରୁ ବାଲି ବୋଝେଇ କରି ବାସୁଦେବପୁର ଅଭିମୁଖେ ଆସୁଥିଲେ । ଏହି ସମୟରେ ଶୁକଦେବପୁର ଛକ ନିକଟରେ କୌଣସି କାରଣ ବଶତଃ ରାସ୍ତାର ଡାହାଣ ପାଖରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା। ନିକଟରେ ଥିବା ଗୌରାଙ୍ଗ ବେହେରାଙ୍କ ଆଜବେଷ୍ଟ ଘରଠାରୁ ମାତ୍ର ୧୦ ଫୁଟ ଦୂରରେ ଏହି ଟ୍ରକ ଓଲଟିଥିଲା । ଗୌରାଙ୍ଗଙ୍କ ପରିବାର ତୁରନ୍ତ ଥାନାକୁ ଖବର କରିଥିଲେ। ପୋଲିସ ଓ ଦମକଳ ବାହିନୀ ପହଂଚି ଟ୍ରକ ମଧ୍ୟରେ କେହି ରହିଥିବା ସନ୍ଦେହ କରି ଖୋଜା ଖୋଜି କରିଥିଲେ। ତେବେ ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।