ନୂଆଦିଲ୍ଲୀ: ସମୟ ରାଇନାଙ୍କ ବିବାଦୀୟ ଶୋ’ ଇଣ୍ଡିଆସ୍ ଗଟ୍ ଲାଟେଣ୍ଟରେ ଅଶ୍ଲୀଳ ଟିପ୍ପଣୀକୁ ନେଇ ଦାଖଲ ଯାଚିକା ଉପରେ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି । ଆଜି ସମୟ ରାଇନା ଓ ଅନ୍ୟମାନେ କୋର୍ଟରେ ହାଜର ହୋଇଥିଲେ । କ୍ୟୁୋର ଏସ୍ଏମ୍ଏ ଇଣ୍ଡିଆ ଫାଉଣ୍ଡେସନ୍ ମାମଲାରେ ନିଜର ଜବାବ ଦାଖଲ କରିବା ପାଇଁ ତାଙ୍କ ଓକିଲ ସମୟ ମାଗିଛନ୍ତି । ରଣବୀର ଆହ୍ଲାବାଦିଆଙ୍କ ଆବେଦନ ସହ କ୍ୟୁୋର ଏସ୍ଏମ୍ଏ ଇଣ୍ଡିଆ ଫାଉଣ୍ଡେସନ ଦ୍ୱାରା ଦାଖଲ ଆବେଦନ ମଧ୍ୟ ସୂଚୀବଦ୍ଧ କରାଯାଇଥିଲା । ଏଥିରେ ସ୍ପାଇନଲ୍ ମସ୍କୁଲର ଏଣ୍ଟ୍ରୋଫିର ମହଙ୍ଗା ଚିକିତ୍ସା ଉପରେ ସମୟ ରାଇନା ସମ୍ୱେଦନହୀନ ଟିପ୍ପଣୀ କରିଥିବା ଅଭିଯୋଗ ରହିଛି । ରାଇନା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପରିହାସ କରିଥିବା ଅଭିଯୋଗ ରହିଛି ।
ଆବେଦନରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଜୀବନ ଓ ସମ୍ମାନର ଅଧିକାର ଉଲ୍ଲଂଘନ କରୁଥିବା ଏପରି ଅନଲାଇନ୍ କଣ୍ଟେଣ୍ଟର ପ୍ରସାରଣ ପାଇଁ ନିୟମ ଦାବି କରାଯାଇଛି । ମେ’ରେ ସୁପ୍ରିମକୋର୍ଟ ମୁମ୍ୱାଇ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇ ପରବର୍ତ୍ତୀ ଶୁଣାଣିରେ ସମୟ ରାଇନା, ବିପୁଲ ଗୋୟଲ, ବଲରାଜ ପରମଜିତ୍ ସିଂହ ଘଇ, ସୋନାଲି ଠାକର ଓରଫ୍ ସୋନାଲି ଆଦିତ୍ୟ ଦେସାଇ ଓ ନିଶାନ୍ତ ଜଗଦୀଶ ତନୱରଙ୍କ କୋର୍ଟରେ ଉପସ୍ଥିତି ସୁନିଶ୍ଚତ କରିବା ପାଇଁ କହିଥିଲେ ।
ସୋସିଆଲ୍ ମିଡିଆ ନିୟମ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ବାକ୍ ସ୍ୱାଧୀନତା ମାମଲାରେ ବଜାରରେ ଅନେକ ମାଗଣା ପରାମର୍ଶଦାତା ଅଛନ୍ତି । ସୋସିଆଲ୍ ମିଡିଆ ଓ ଅନଲାଇନ୍ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତାବିତ ତନ୍ତ୍ର ସାମ୍ବିଧାନିକ ନୀତି ଅନୁରୂପ ହେବା ଦରକାର ଉପରେ ଜୋର ଦେଇ କୋର୍ଟ ଏହି କଥା କହିଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ହାସ୍ୟ ଅଭିନେତା ଏବଂ ପଡ୍କାଷ୍ଟରମାନଙ୍କ ସହ ଜଡିତ ଆବେଦନଗୁଡ଼ିକର ଶୁଣାଣି କରୁଥିଲେ ।
ସର୍ବୋଚ୍ଚ ଅଦାଲତ ପ୍ରଥମେ ସମ୍ୱିଧାନର ଅନୁଚ୍ଛେଦ ୧୯(୨) ଅଧିନରେ ବାକ୍ ସ୍ୱାଧୀନତାର ଅଧିକାର ଉପରେ ଉଚିତ୍ ପ୍ରତିବନ୍ଧକ କ୍ରିୟାନ୍ୱୟନକୁ ସୁନିଶ୍ଚିତ କରିବା ପାଇଁ ନିୟାମକ ଉପାୟର ଆହ୍ୱାନ କରିଥିଲେ । ଶୁଣାଣି ବେଳେ ଆଟର୍ଣ୍ଣିଂ ଜେନେରାଲ୍ ଆର୍ ଭେଙ୍କଟରମଣି କହିଥିଲେ ଯେ ପ୍ରସ୍ତାବିତ ମାର୍ଗଦର୍ଶିକା ଉପରେ ଚର୍ଚ୍ଚାର ଆବଶ୍ୟକତା ରହିଛି । ଜଷ୍ଟିସ୍ କାନ୍ତ ସହମତି ଦେଇ ସମସ୍ତ ଅଂଶୀଦାର ଏହି ପ୍ରସଙ୍ଗରେ ସେମାନଙ୍କ ମତାମତ ଦେଇପାରିବେ ବୋଲି କହିଛନ୍ତି ।