ଆଇଏସଏ ସମେତ ୬୬ଟି ଅନ୍ତର୍ଜାତୀୟ ମଞ୍ଚରୁ ଅଲଗା ହେଲା ଆମେରିକା, ଭାରତର ନେତୃତ୍ୱରେ ହୋଇଥିଲା ଆରମ୍ଭ

NEWS7
samantha-demands-telangana-government-to-release-report

ନ୍ୟୁୟର୍କ, ୦୭/୦୧: ଭେନେଜୁଏଲା ଉପରେ ଏୟାରଷ୍ଟ୍ରାଇକ୍ ପରେ ଅଧିକ ଆକ୍ରମଣାତ୍ମକ ହୋଇଯାଇଛି ଆମେରିକା । ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଦେଶକୁ ଆକ୍ରମଣ କରିବାକୁ ଧମକ ଦେଉଛି ୟୁଏସ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଅନେକ ଅନ୍ତର୍ଜାତୀୟ ମଞ୍ଚରୁ ବାହାରିବା ପାଇଁ ଦାବି କରୁଛନ୍ତି । ଆମେରିକା ଫାଷ୍ଟ୍ ନୀତିକୁ ନଜରରେ ରଖି ଏବେ ଭାରତ ଏବଂ ଫ୍ରାନ୍ସ ନେତୃତ୍ୱରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ସୋଲାର ଆଲିଆନ୍ସ ବା ଆଇଏସଏରୁ ବାହାରିବାକୁ ଘୋଷଣା କରାଯାଇଛି ।

ଆମେରିକା ଏବେ ଲଗାତାର ଭାବେ ନିଜ ଦେଶ ଉପରେ ଫୋକସ କରୁଛି । ବଡବଡ ଅନ୍ତରାଷ୍ଟ୍ରୀୟ ମଞ୍ଚରୁ ନିଜକୁ ଦୂରରେ ରଖୁଛି । ଗତ ବର୍ଷ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରୁ ବାହାରି ଯାଇଥିଲା । ଏବେ ସେ ଆଇଏସଏ ସମେତ ୬୬ଟି ମଞ୍ଚରୁ ବାହାରିଛି । ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ଘୋଷଣା କରାଯ।ଇଛି । ଏସମସ୍ତ ସଙ୍ଗଠନ ଆମେରିକା ସ୍ୱତନ୍ତ୍ରତା ଏବଂ ଆର୍ଥିକ ହିତକୁ କ୍ଷତି ପହଁଚାଉଥିଲେ ବୋଲି ୟୁଏସ କହିଛି ।

ହ୍ୱାଇଟ୍ ହାଉସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ରିଲିଜରେ କୁହାଯାଇଛି ଯେ. ୟୁଏସ ଏବେ ଅନେକ ଅନ୍ତର୍ଜାତୀୟ ମଞ୍ଚରୁ ହଟିବାକୁ ନିଷ୍ପତ୍ତି ନେଇଛି । ଏଥିରେ ୩୫ଟି ଅଣ ୟୁଏନ ମଞ୍ଚ ଏବଂ ୩୧ଟି ୟୁଏନ ସଂସ୍ଥା ରହିଛି । ଅଣ ୟୁଏନ ସଙ୍ଗଠନ ମଧ୍ୟରେ ଭାରତ ଏବଂ ପ୍ରାନ୍ସ ଦ୍ୱାରା ଆରମ୍ଭ ହୋଇଥିବା ଆଇଏସଏ ରହିଛି । ଏହାସହ ଆଇୟୁସିଏନ ଏବଂ ଆଇପିସିସି ଭଳି ସଂସ୍ଥାଠୁ ୟୁଏସ ନିଜକୁ ଦୂରେଇ ଦେଇଛି ।

ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଆମେରିକା ୬୬ଟି ଅନ୍ତରାଷ୍ଟ୍ରୀୟ ମଞ୍ଚରୁ ଓହରିଛି । ଏନେଇ ରାଷ୍ଟ୍ରପତି ଟ୍ରମ୍ପ୍ ଘୋଷଣା କରିଛନ୍ତି । ଏସମସ୍ତ ସଙ୍ଗଠନ ଆମେରିକାକୁ ବିରୋଧ କରୁଥିଲେ । କିଛି କାମ କରୁନଥିଲେ । ଆଗକୁ ଆହୁରି ଅନେକ ସଙ୍ଗଠନ ଉପରେ ବିଚାର ଚାଲିଛି । ଏବେ ଟ୍ରମ୍ପ୍ ଆମେରିକୀୟଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବେ । ସାରା ବିଶ୍ୱକୁ ଅର୍ଥ ଦେବା ଆମେରିକା ବନ୍ଦ କରିବ ବୋଲି ସେ କହିଛନ୍ତି ।