ମାଞ୍ଚେଷ୍ଟର: ଏଠାକାର ଓଲ୍ଡ ଟ୍ରାଫର୍ଡରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଦୁଇ ଦଳ ଭାରତ ଓ ଇଂଲଣ୍ଡ ସମ୍ମାନ ଭାଗ କରିଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୨୬୪ ରନ କରିଛି। ରବୀନ୍ଦ୍ର ଜାଡ଼େଜା ୧୯ ରନ ଓ ଶାର୍ଦ୍ଦୁଳ ଠାକୁର ୧୯ ରନ କରି ଅପରାଜିତ ଅଛନ୍ତି। ସାଇ ସୁଦର୍ଶନ ଓ ଯଶସ୍ଵୂୀ ଜୟସ୍ଵାଲ ପ୍ରଥମ ଦିନରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ଭାରତ ଚତୁର୍ଥ ଟେଷ୍ଟରେ ତିନି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ ଷ୍ଟୋକ୍ସ ୨ଟି ଓ୍ଵିକେଟ୍ ନେଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳକୁ ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ପ୍ରଥମ ସେସନରେ ଭାରତ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା। ତେବେ ୯୪ ରନ ସ୍କୋରରେ ଭାରତକୁ ପ୍ରଥମ ଝଟକା ଲାଗିଥିଲା। କେଏଲ ରାହୁଲ ୪୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅର୍ଦ୍ଧଶତକ ସହ କ୍ରିଜରେ ଜମି ରହିଥିବା ଜୟସ୍ଵାଲ ୫୮ ରନ କରି ଆଉଟ୍ ହୋଇଥିଲେ। ପୁଣି ଅଧିନାୟକ ଶୁଭମନ ଗିଲ୍(୧୨) ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ।
Also read: ମାଞ୍ଚେଷ୍ଟର ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଆହତ ହୋଇ ପଡ଼ିଆରୁ ବାହାରିଲେ ଋଷଭ ପନ୍ତ
୧୪୦ ନନରେ ୩ ଓ୍ଵିକେଟ୍ ହରାଇ ଚାପଗ୍ରସ୍ତ ଥିବା ଭାରତୟ ଦଳର ଇନିଂ ସମ୍ଭାଳିଥିଲେ ସାଇ ସୁଦର୍ଶନ ଓ ଋଷଭ ପନ୍ତ। ଉଭୟ ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଭାରତର ସ୍ଥିତି ମଜବୁତ କରିଥିଲେ। ମିଳିଥିବା ସୁଯୋଗର ଭରପୂର ଫାଇଦା ଉଠାଇ ଅର୍ଦ୍ଧଶତକ ହାସଲ କରିଥିଲେ ସାଇ ସୁଦର୍ଶନ। ତେବେ ବଡ଼ ସଟ୍ ଖେଲିବାକୁ ଯାଇ ଏହି ବାମହାତୀ ବ୍ୟାଟର ୬୧ ରନ କରି ପାଭିଲିୟନ ଫେରିଥିଲେ। ଏହା ପୂର୍ବରୁ ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ ପାଇଁ ୯୫ ରନ ଯୋଡ଼ିଥିଲେ। ଏହା ମଧ୍ୟରେ ଦ୍ରୁତ ବ୍ୟାଟିଂ କରୁଥିବା ଋଷଭ ପନ୍ତ ୪୮ ବଲ୍ରୁ ୩୭ ରନ କରି ରିଟାୟର୍ଡ ହଟ୍ ହୋଇଥିଲେ। ଏହା ପରେ ଜାଡ଼େଜା ଓ ଶାର୍ଦ୍ଦୁଳ ଠାକୁର ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୨୬୪ ରନ କରିଛି। ରବୀନ୍ଦ୍ର ଜାଡ଼େଜା ୧୯ ରନ ଓ ଶାର୍ଦ୍ଦୁଳ ଠାକୁର ୧୯ ରନ କରି ଅପରାଜିତ ଅଛନ୍ତି।