ମାଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳର ମୁସ୍କିଲ ଥମିବାର ନାଁ ନେଉନି। ମ୍ୟାଚ୍ର ପ୍ରଥମ ଦିନରେ ବୁଧବାର ଭାରତକୁ ବଡ଼ ଝଟକା ଲାଗିଛି। ଭାରତର ତାରକା ଓ୍ଵିକେଟ୍ କିପର ବ୍ୟାଟର ଗୁରୁତର ଆହତ ହୋଇଛନ୍ତି। କ୍ରିସ ଓ୍ଵକ୍ସଙ୍କ ବଲରେ ସଟ୍ ଖେଳିବା ସମୟରେ ପନ୍ତଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଛି। ତାଙ୍କ ଗୋଡ଼ରୁ ସାମାନ୍ୟ ରକ୍ତ ବି ବାହାରିଛି। ତାଙ୍କୁ ମିନି ଆମ୍ବୁଲାନ୍ସ ଜରିଆରେ ପଡ଼ିଆରୁ ବାହାରକୁ ନିଆଯାଇଛି। ସେ ୪୮ ବଲ୍ରୁ ୨ଟି ଚୌକା ଓ ଗୋଟିଏ ଛକା ଜରିଆରେ ୩୭ ରନ କରି ରିଟାୟର୍ଡ ହଟ୍ ହୋଇଛନ୍ତି।
କ୍ରିସ୍ ଓ୍ଵକ୍ସ ୬୮ତମ ଓଭରର ଚତୁର୍ଥ ବଲ୍ରେ ପନ୍ତ ରିଭର୍ସ ସୁଇପ୍ ଖେଳିବାକୁ ଉଦ୍ୟମ କରିଥିଲେ। ବଲ୍ ପ୍ୟାଡ୍ରେ ବାଜିଥିଲା ଏବଂ ଇଂଲଣ୍ଡ ଖେଳାଳି ଜୋରଦାର ଅପିଲ୍ କରିଥିଲେ। କିନ୍ତୁ ଘରୋଇ ଦଳକୁ କୌଣସି ଫାଇଦା ମିଳି ନ ଥିଲା। ୨୭ ବର୍ଷୀୟ ପନ୍ତ ଆଉଟ୍ ହୋଇ ନ ଥିଲେ ହେଁ ଆଘାତ ଲାରିବା ପରେ ପଡ଼ିଆରେ ଆଉ ଛିଡ଼ା ହୋଇ ପାରି ନ ଥିଲେ। ଫିଜିଓ ପଡ଼ିଆକୁ ଆସି ଯାଞ୍ଚ କରିଥିଲେ।
ଆରମ୍ଭରୁ ଲାଗୁଥିଲା ପନ୍ତଙ୍କୁ ଗୁରୁତର ଆଘାତ ଲାଗିନି। ହେଲେ ଓ୍ଵିକେଟ୍ କିପର ଜୋତା ଖୋଲିବା ପରେ ପାଦ ଫୁଲି ଯାଇଥିବା ଦେଖିବାକୁ ମିଳିଥିଲା। ସେ ପିଚ୍ରେ ଅଧିକ ସମୟ ଛିଡ଼ା ହୋଇ ପାରି ନ ଥିଲେ। ଏହା ପରେ ପନ୍ତଙ୍କୁ ମିନି ଆମ୍ବୁଲାନ୍ସ ଜରିଆରେ ପଡ଼ିଆ ବାହାରକୁ ନିଆଯାଇଥିଲା। ଆଙ୍ଗୁଠିରେ ଆଘାତ ଲାରିବା କାରଣରୁ ପନ୍ତ ଲର୍ଡ୍ସ ଟେଷ୍ଟରେ ଓ୍ଵିକେଟ୍ କିପିଂ କରି ପାରି ନ ଥିଲା।ଏବେ ପନ୍ତଙ୍କ ନୂଆ ଆଘାତ ଭାରତର ଚିନ୍ତାକୁ ବଢାଇ ଦେଇଛି। ପନ୍ତଙ୍କ ଆଘାତ କେତେ ଗମ୍ଭୀର ଏବଂ ସେ ଏହି ମ୍ୟାଚ୍ରେ ଅଂଶଗ୍ରହଣ କରିବେ କି ନାହିଁ ସେ ବିଷୟରେ ଆନୁଷ୍ଠାନିକ ଭାବରେ କିଛି କୁହାଯାଇ ନାହିଁ।