ନୂଆଦିଲ୍ଲୀ ୧୧/୦୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ତୃତୀୟ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ । ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଆରମ୍ଭ ହେବ ଫାଇନାଲ ମୁକାବିଲା । ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟେଷ୍ଟ ଗଦା ବଜାୟ ରଖିବାକୁ ପ୍ରୟାସ କରିବ । ପ୍ରଥମ କରି ଫାଇନାଲ୍ ଖେଳିବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ଆଗାମୀ ୫ଦିନ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିବ ।
ଘରୋଇ ଗ୍ରାଉଣ୍ଡ୍ରେ ଅଧିକାଂଶ ମ୍ୟାଚ୍ ଖେଳି ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଥିବା ଦକ୍ଷିଣ ଆଫ୍ରିକା ଅସଲ ପରୀକ୍ଷାର ସମ୍ମୁଖୀନ ହେବ । କେବଳ ତେମ୍ବା ବଭୁମା ଓ ଆଡେନ ମାରକ୍ରମଙ୍କୁ ଛାଡ଼ିଦେଲେ ଦକ୍ଷିଣ ଆଫ୍ରିକାର ଅନ୍ୟ କୌଣସି ବ୍ୟାଟର ଟେଷ୍ଟ କ୍ରିକେଟ୍ରେ ଅଷ୍ଟ୍ରେଲିଆ ବୋଲିଂ ବାହିନୀର ସାମ୍ନା କରି ନାହାନ୍ତି । ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଜୋସ ହାଜେଲଉଡ୍ ଓ ନାଥାନ ଲାୟନ୍ଙ୍କୁ ନେଇ ଗଠିତ ବୋଲିଂ ବିଭାଗ ସମଗ୍ର ବିଶ୍ୱରେ ଶ୍ରେଷ୍ଠ ।
ଏକତ୍ର ଖେଳିବା ଦିନଠୁ ପ୍ରତ୍ୟେକ ବୋଲର ୨୫୦ରୁ ଊଦ୍ଧ୍ୱର୍ ୱିକେଟ୍ ଅକ୍ତିଆର କରିଛନ୍ତି । ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପ୍ରଥମ କରି ୧୯୧୨ରେ ଏକ ଟେଷ୍ଟ ମ୍ୟାଚ ଖେଳିଥିଲେ । ଅଷ୍ଟ୍ରେଲିଆ ୧୦ ୱିକେଟ୍ରେ ଉକ୍ତ ମ୍ୟାଚ ଜିତିଥିଲା । ୧୧୩ ବର୍ଷ ପରେ ଉଭୟ ଦଳ ପୁଣି ଥରେ ଏହି ଗ୍ରାଉଣ୍ଡ୍ରେ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ଲର୍ଡ୍ସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ମୋଟ୍ ୪୦ଟି ଟେଷ୍ଟ ଖେଳିଛି । ଏଥିରୁ ଦଳ ୧୮ଟି ମ୍ୟାଚ୍ ଜିତିଥିବାବେଳେ ୧୫ଟି ମ୍ୟାଚ୍ ଡ୍ର’ ରଖିଛି ଓ ୭ଟି ମ୍ୟାଚ୍ରେ ପରାଜିତ ହୋଇଛି ।
ଦକ୍ଷିଣ ଆଫ୍ରିକା ଏହି ଗ୍ରାଉଣ୍ଡ୍ରେ ୧୮ଟି ଟେଷ୍ଟ ଖେଳିଛି । ଏଥିରୁ ୬ଟି ଟେଷ୍ଟ ଜିତିଥିବାବେଳେ ୮ଟିରେ ପରାଜିତ ହୋଇଛି । ବାକି ୪ଟି ଟେଷ୍ଟ ଡ୍ର’ ରହିଛି । ଉଭୟ ଦଳ ଏକାଦଶ ଘୋଷଣା କରିସାରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଏହି ମ୍ୟାଚ୍ରେ ମାର୍ନସ ଲାବୁସାନ ଓପନ କରିବା ନିଶ୍ଚିତ ହୋଇଛି । ସେ ପ୍ରଥମ କରି କୌଣସି ଟେଷ୍ଟରେ ଓପନ କରିବାକୁ ଯାଉଛନ୍ତି ।
କାମେରନ ଗ୍ରୀନ୍ ୩ନଂ ସ୍ଥାନରେ ବ୍ୟାଟିଂ କରିବେ । ଗ୍ରୀନଙ୍କୁ ବୋଲିଂରୁ ବିରତ ରଖାଯାଇଥିବାରୁ ଅଲ୍ରାଉଣ୍ଡର ଭାବେ ବ୍ୟୁ ୱେବଷ୍ଟର କିଛି ଓଭର ପକାଇବେ । ଦକ୍ଷିଣ ଆଫ୍ରିକା ଦଳରେ ଅନେକ ଯୁବ ଖେଳାଳି ରହିଥିବାରୁ ଅଷ୍ଟ୍ରେଲିଆ ବୋଲରଙ୍କୁ ସ୍ୱତନ୍ତ୍ର ରଣନୀତି ସହ ଓହ୍ଲାଇବାକୁ ପଡ଼ିବ । ପେସ୍ ବୋଲିଂ ଅଲ୍ରାଉଣ୍ଡର ୱିଆନ ମୋଲ୍ଡର ପୂର୍ବ ଭଳି ୩ନଂ ସ୍ଥାନରେ ବ୍ୟାଟିଂ କରିବା ନିଶ୍ଚିତ । ଅନ୍ୟ ଅଲରାଉଣ୍ଡର
ଭାବେ ମାର୍କୋ ଜାନସେନ ଦଳରେ ରହିଛନ୍ତି ।
ଅଷ୍ଟ୍ରେଲିଆ ଦଳ ତୁଳନାରେ ଦକ୍ଷିଣ ଆଫ୍ରିକା ଦଳ ଅଧିକ ସନ୍ତୁଳିତ ମନେ ହେଉଛି । ଜୁନ୍ ପ୍ରଥମ ଭାଗରେ ଲର୍ଡ୍ସ ପିଚ୍ ସମ୍ପୂର୍ଣ୍ଣ ଭିନ୍ନ ରୂପ ଦେଖାଇବା ଅନୁମାନ କରାଯାଉଛି । ପିଚ୍ ଶୁଷ୍କ ରହିବ ଓ ସ୍ପିନରମାନେ ଏହାର ଫାଇଦା ଉଠାଇବେ । ଉଭୟ ଦଳ ଜୁନ୍ ପ୍ରଥମ ଭାଗରେ ପୂର୍ବରୁ କେବେ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳି ନାହାନ୍ତି । ତେଣୁ ଲର୍ଡ୍ସରେ ଖେଳିବାର ଅଭିଜ୍ଞତା କାମ ଦେବନି ।