ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବୟାନ ରଖିଥିଲେ । ରାହୁଲ ଗାନ୍ଧୀ ନିଜ ଭାଷଣରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉପରେ ଏପରି ବୟାନ ଦେଇଥିଲେ, ଯାହାକୁ ନେଇ ଏବେ ବିବାଦ ବଢିଛି । ସେ କହିଥିଲେ ଯେ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରିତ କରିବା ପାଇଁ ଆମେରିକା ପ୍ରଶାସନ ନିକଟରେ ଅନୁରୋଧ କରିବା ଲାଗି ଟ୍ରମ୍ପଙ୍କ ଶପଥ ଗ୍ରହଣକୁ ଏସ୍.ଜୟଶଙ୍କର ଯାଇଥିଲେ । ଏହା ଉପରେ ଶାସକ ଦଳ ସାଂସଦ ଆପତ୍ତି ଉଠାଇଥିଲେ । କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଥିଲେ ଯେ ଭାରତର ବିଦେଶ ନୀତିକୁ ନେଇ ରାହୁଲ ଗାନ୍ଧୀ ଅବାଞ୍ଛିତ ଟିପ୍ପଣୀ କରିପାରିବେ ନାହିଁ । ଏବେ ଏହି ମାମଲାରେ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ବୟାନ ଆସିଛି । ରାହୁଲ ଗାନ୍ଧୀଙ୍କ ଜ୍ଞାନ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଏପରି ଆୟୋଜନ ଉପରେ ପ୍ରଧାନମନ୍ତ୍ରୀ ଯାଇପାରନ୍ତି ନାହିଁ, ତେଣୁ ନିଜ ପ୍ରତିନିଧିଙ୍କୁ ପଠାନ୍ତି, ଏହା ଏକ ସାଧାରଣ ଜ୍ଞାନ ।
Leader of Opposition Rahul Gandhi deliberately spoke a falsehood about my visit to the US in December 2024.
— Dr. S. Jaishankar (@DrSJaishankar) February 3, 2025
I went to meet the Secretary of State and NSA of the Biden Administration. Also to chair a gathering of our Consuls General. During my stay, the incoming NSA-designate met…
ଜୟଶଙ୍କର ଏକ୍ସରେ ଲେଖିଛନ୍ତି, 'ରାହୁଲ ଗାନ୍ଧୀ ଜାଣିଶୁଣି ୨୦୨୪ ଡିସେମ୍ୱରରେ ମୋର ଆମେରିକା ଗସ୍ତକୁ ନେଇ ଭୁଲ ସୂଚନା ଦେଇଛନ୍ତି । ମୁଁ ବାଇଡେନ ପ୍ରଶାସନର ବିଦେଶ ମନ୍ତ୍ରୀ ଏବଂ ଏନଏସଏଙ୍କୁ ଭେଟିବାକୁ ଯାଇଥିଲି । ଏହି ଗସ୍ତରେ କନସୁଲ ଜେନେରାଲ୍ ମିଟିଂର ଅଧ୍ୟକ୍ଷତା ବି କରିଥିଲି । ମୋର ଏହି ଗସ୍ତବେଳେ ନୂଆ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ଭେଟିଥିଲେ ।' ଏହାସହ ସେ ଲେଖିଛନ୍ତି, 'କୌଣସି ବି ମଞ୍ଚରେ ପିଏମଙ୍କୁ ଆମନ୍ତ୍ରଣ ନେଇ କୌଣସି କଥା ହୋଇ ନାହିଁ । ଏହା ସାଧାରଣ ଜ୍ଞାନ କଥା ଯେ, ଏପରି ଆୟୋଜନରେ ପ୍ରଧାନମନ୍ତ୍ରୀ ସାମିଲ ହୁଅନ୍ତି ନାହିଁ । ସାଧାରଣତଃ ଭାରତ ପକ୍ଷରୁ ସ୍ୱତନ୍ତ୍ର ଦୂତଙ୍କୁ ପଠାଯାଇଥାଏ ଏବଂ ପିଏମଙ୍କ ଦୂତ ଭାବେ ମୁଁ ଆମେରିକାରେ ଟ୍ରମ୍ପଙ୍କ ଶପଥରେ ସାମିଲ ହୋଇଥିଲି ।'